ଦିଲ୍ଲୀରେ ବୈଠକ ପରେ ରାଜ୍ୟ କଂଗ୍ରେସରେ କଂପନ : ଆଜି ହାଇକମାଣ୍ଡ ସୋନିଆ ଗାନ୍ଧିଙ୍କୁ ଭେଟି ପାରନ୍ତି ବିଧାୟକ ଦଳ

32

କନକ ବ୍ୟୁରୋ : ପଂଚାୟତ ନିର୍ବାଚନ ପୂର୍ବରୁ ରାଜ୍ୟ କଂଗ୍ରେସରେ ଝଡ । ଦିଲ୍ଲୀରେ ଡେରା ପକାଇଥିବା ବିଧାୟକ ଦଳ ଏଆଇସିସି ଉପାଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ଭେଟିବା ପରେ ଆଜି ହାଇକମାଣ୍ଡ ସୋନିଆ ଗାନ୍ଧିଙ୍କୁ ଭେଟିବା କାର୍ଯ୍ୟକ୍ରମ ରହିଥିବା ଚର୍ଚ୍ଚା ହେଉଛି । ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ନେତୃତ୍ୱରେ ଯାଇଥିବା ଅନ୍ୟ ୧୫ ବିଧାୟକ ମଧ୍ୟ ପିସିସି ନେତୃତ୍ୱ ପରିବର୍ତନ ଦାବି ଉଠାଇ ପାରନ୍ତି ବୋଲି କଳ୍ପନା ଜଳ୍ପନା ପ୍ରକାଶ ପାଇଛି । ତେବେ କିଛି ଆଂଚଳିକ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି ଯେ, ନେତୃତ୍ୱ ପରିବର୍ତନ ଦାବିରେ ବିଧାୟକ ଦଳ ପଦରୁ ଇସ୍ତଫା ଦେଇଛନ୍ତି ନରସିଂହ ମିଶ୍ର ।

ଯଦିଓ ଏନେଇ ଦଳୀୟ ସୂତ୍ରରୁ କୌଣସି ସ୍ପଷ୍ଟ ସୂଚନା ଦିଆଯାଇ ନାହିଁ । ରାହୁଲ ଗାନ୍ଧିଙ୍କୁ ବିଧାୟକ ଦଳ ଭେଟିବା ପରେ ସେ ସମସ୍ତଙ୍କୁ ସଂଗଠିତ ହୋଇ କାମ କରିବାକୁ ପରାମର୍ଶ ଦେଇଥିଲେ ବୋଲି ଶୁଣିବାକୁ ମିଳୁଛି । ହେଲେ ରାହୁଲ ଗାନ୍ଧିଙ୍କ ସହ ସାଂଗଠନିକ ଆଲୋଚନା କରିଥିବା ବାବଦରେ ମଧ୍ୟ ମୁହଁ ଖୋଲୁ ନାହାନ୍ତି ନେତା । ଏସବୁ ଗୋଲକ ଧନ୍ଦା ଭିତରେ ସନ୍ଦିହାନ ହୋଇ ରହିଛି ରାଜ୍ୟ କଂଗ୍ରେସ ରାଜନୀତି ।