ସଭାପତିଙ୍କ ବିନା ହେଉଛି ସଭା ! ପ୍ରସାଦଙ୍କୁ ବୟକଟ କଲେ ବିଧାୟକ, ଜ୍ୱାଇଁଙ୍କ ପାଇଁ ବାହାରିଲେ ଶ୍ୱଶୁର

25

କନକ ବ୍ୟୁରୋ : ସଭା ହେଉଛି କିନ୍ତୁ ସଭାପତିଙ୍କୁ ଡକାଯାଉନି । ଦଳୀୟ ସଭାପତିଙ୍କୁ ନ ଡାକି ରାଜ୍ୟର ଅନେକ ସ୍ଥାନରେ ସମାନ୍ତରାଳ ଭାବେ ଚାଲିଛି କଂଗ୍ରେସର ସଂକଳ୍ପ ସମାବେଶ । ଗତକାଲି କଟକରେ ନଗର କଂଗ୍ରେସ ସଭାପତି ମହମ୍ମଦ ମୋକିମ ପ୍ରସାଦଙ୍କୁ ନଡାକି ସମାବେଶ କରିଥିଲେ ଆଉ ଆଜି ରାଜକନିକାରେ ଦଳୀୟ ବିଧାୟକ କରିଛନ୍ତି ଗର୍ଜନ ସମାବେଶ । ଏହାରି ଭିତରେ ମୁହାଁମୁହିଁ ହୋଇଛନ୍ତି ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ ଓ ମହମ୍ମଦ ମୋକିମ । ଗୋଟିଏ ପଟେ ଜାତୀୟ କଂଗ୍ରେସର ମଂଗ ଧରିବାକୁ ପ୍ରସ୍ତୁତ ହେଉଛନ୍ତି ରାହୁଲ, ଅନ୍ୟପଟେ ରାଜ୍ୟ କଂଗ୍ରେସରେ ଥମୁନି କନ୍ଦଳ ।

କଂଗ୍ରେସରେ କନ୍ଦଳ କିଛି ନୂଆ କଥା ନୁହେଁ । କେତେବେଳେ ସଭାପତି ପଦ ପାଇଁ କନ୍ଦଳ ତ ପୁଣି କେତେବେଳେ ବିରୋଧୀ ଦଳ ମୁଖ୍ୟ ସଚେତକ ପଦ ପାଇଁ । କଂଗ୍ରେସରେ କନ୍ଦଳ ଲୋକଙ୍କ ପାଇଁ ଏକ ନିତିଦିନଆ ଘଟଣା । ତେବେ ଏହାର ପୁନରାବୃତ୍ତି ପୁଣି ଥରେ ଦେଖିବାକୁ ମିଳିଛି । ମୁହଁ ଖୋଲିଛନ୍ତି ଦଳର ବରିଷ୍ଠ ନେତା ସୁର ରାଉତରାୟ । ଦିନ ଥିଲା ପ୍ରଶଂସାରେ ପୋତି ପକାଉଥିଲେ । ଆଉ ଆଜି.. ମୋକିମଙ୍କ ନାଁ ଶୁଣିଲେ ଚିହିଁକି ଉଠୁଛନ୍ତି ସୁର । କଟକରେ ସଂକଳ୍ପ ସମାବେଶ ପରେ ନଗର କଂଗ୍ରେସ ସଭାପତି ମହମ୍ମଦ ମୋକିମଙ୍କ ପ୍ରତି ବରିଷ୍ଠ ନେତା ସୁର ରାଉତରାୟଙ୍କ ଏଭଳି ବୟାନ କଂଗ୍ରେସ ରାଜନୀତିକୁ ସରଗରମ କରିଦେଇଛିି ।

Congress Infighting Intensifies After Suresh Routray's Explosive Statementସୁର-ମୋକିମ ତୁତୁ ମେମେ ପଛରେ ରହିଛି କଂଗ୍ରେସର ସଂକଳ୍ପ ସମାବେଶ । ମୋକିମ ସଫା ସଫା କହୁଛନ୍ତି, ସମାବେଶକୁ ପିସିସି ସଭାପତିଙ୍କୁ ଡକାଯାଇନି । ତେବେ ପ୍ରକୃତ କଥା ହେଉଛି, ପ୍ରସାଦଙ୍କୁ ନିମନ୍ତ୍ରଣ ନକରି ରାଜ୍ୟର ଅନେକ ସ୍ଥାନରେ ଚାଲିଛି ସମାନ୍ତରାଳ ସଂକଳ୍ପ ସମାବେଶ । କେବଳ କଟକ ନୁହେଁ କେନ୍ଦ୍ରାପଡାରେ ମଧ୍ୟ ଏହାର ଛିଟା ଦେଖିବାକୁ ମିଳିଛି । ରାଜକନିକାରେ ବିଧାୟକ ଅଂଶୁମାନ ମହାନ୍ତିଙ୍କ ଡାକରାରେ ଦଳ କରିଛି ଗର୍ଜନ ସମାବେଶ । ହେଲେ ଏଠିବି ଦଳର ସଭାପତିଙ୍କୁ ଡାକିନାହାଁନ୍ତି ବିଧାୟକ । ଦଳର ସଭାପତିଙ୍କୁ ବୟକଟ କରି ଯେଉଁଭଳି ଭାବେ ସମାବେଶ କରାଯାଉଛି ଲାଗୁଛି ଦଳରେ ସଭାପତି ଯେମିତି ଏକ ଘରକିଆ ହୋଇଯାଇଛନ୍ତି ।

ଗୋଟିଏ ପଟେ ରାହୁଲ ଗାନ୍ଧି ଜାତୀୟ କଂଗ୍ରେସର ଅଧ୍ୟକ୍ଷ ବନିବାକୁ ଯାଉଥିବା ବେଳେ ଏପଟେ ରାଜ୍ୟ କଂଗ୍ରେସରେ କନ୍ଦଳ ବଢିବାରେ ଲାଗିଛି । ଖୁଲମଖୁଲ୍ଲା ସଭାପତିଙ୍କୁ ନଡାକି ସଭା କରୁଛନ୍ତି କଂଗ୍ରେସ ନେତା । ସଂକଳ୍ପ ସମାବେଶରେ ଦଳ ଏକାଠି ହେବ କଣ ଓଲଟା ଭାଗ ଭାଗ ହୋଇଯାଇଛି ।