ବସୁଛି କଂଗ୍ରେସ ନେତାଙ୍କ ତୁହାକୁ ତୁହା ବୈଠକ : ହାଇକମାଣ୍ଡଙ୍କ ଉପରେ ଚାପ ପକାଇବାକୁ ବଡ଼ ଯୋଜନା

26

କନକ ବ୍ୟୁରୋ : ପୁଣି ଚର୍ଚ୍ଚାରେ କଂଗ୍ରେସର ଦଳୀୟ ରାଜନୀତି । ତୁଙ୍ଗ ନେତାଙ୍କ ବସୁଛି ତୁହାକୁ ତୁହାକୁ ବୈଠକ । ନେତୃତ୍ୱ ପରିବର୍ତ୍ତନ ନେଇ ହାଇକମାଣ୍ଡଙ୍କ ଉପରେ ଚାପ ପକାଇବା ପାଇଁ ପ୍ରସ୍ତୁତ ହେଉଛି ଯୋଜନା । ଅସନ୍ତୁଷ୍ଟ ନେତା ଓ ବିଧାୟକ କଂଗ୍ରେସ ଭବନକୁ କବ୍ଜା କରିବାକୁ ମସୁଧା ହେଉଥିବା ଚର୍ଚ୍ଚା ଜୋରଦାର ହୋଇଛି । ଏଥର ହାଇକମାଣ୍ଡ ଚୁଡାନ୍ତ ନିଷ୍ପତ୍ତି ନହେଲେ ରାଜ୍ୟରେ ସମାନ୍ତରାଳ ସଂଗଠନ ନେଇ କାମ କରିବେ ବିଧାୟକ ଦଳ ।

ଗୋଷ୍ଠୀ ବିବାଦ ପରେ କାଁଭାଁ କଂଗ୍ରେସ ଭବନକୁ ଆସୁଥିବା କଂଗ୍ରେସ ବିଧାୟକ, ଏଣିକି ରାଜ୍ୟ କାର୍ଯ୍ୟାଳୟରୁ ପ୍ରସ୍ତୁତ କରିବେ ରଣନୀତି । ପିସିସିର ବିନା ସହାୟତାରେ ସଂଗଠନକୁ ସୁଦୃଢ଼ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି କଂଗ୍ରେସ ବିଧାୟକ । ଆଉ ନିଷ୍ପତ୍ତି ହୋଇଛି ପୁଣି ଦିଲ୍ଲୀରେ ଡେରା ପକାଇବ ବିଧାୟକ । ରାହୁଲ ଗାନ୍ଧୀଙ୍କୁ ଚରମବାଣୀ ଶୁଣାଇବେ ନେତା । ଏଥର ଆର୍ ୟା ପାର୍ ଲଢ଼େଇ । ହାଇକମାଣ୍ଡ ନେତୃତ୍ୱ ପରିବର୍ତ୍ତନ ନେଇ କିଛି ସକରାତ୍ମକ ପଦକ୍ଷେପ ନନେଲେ ରାଜ୍ୟରେ ସମାନ୍ତରାଳ ସଂଗଠନ ନେଇ କାମ କରିବେ ।

କଂଗ୍ରେସର ଏହି ଗୋଷ୍ଠୀ କନ୍ଦଳ ପୁଣି ଥରେ ଜୋରଧରିଛି, ଯେତେବେଳେ ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ବାସଭବନରେ ଘନ ଘନ ବୈଠକ କରିଛନ୍ତି ବିଧାୟକ ଦଳ । କୁହାଯାଉଛି ସଂଗଠନ ଚିନ୍ତା ଓ ମହାନଦୀ ପ୍ରସଙ୍ଗରେ ଆଲୋଚନା ହେଉଛି, ହେଲେ ବୈଠକରେ ମୁଖ୍ୟ ପ୍ରସଙ୍ଗ ରହିଛି ନେତୃତ୍ୱ ପରିବର୍ତ୍ତନ । ବିଧାୟକ କହୁଛନ୍ତି- ଉପର ସ୍ତରର ପାଣି ଗୋଳିଆ ହୋଉଯାଉଥିବାରୁ ତଳସ୍ତରରେ କର୍ମୀ ଓ ନେତାଙ୍କ ଉପରେ ଏହାର ପ୍ରଭାବ ପଡୁଛି ।

ସୂଚନା ଅନୁସାରେ ଆସନ୍ତା ୧୬ ତାରିଖରେ କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ଭେଟିବ କଂଗ୍ରେସ ବିଧାୟକ ଦଳ । କିନ୍ତୁ ଏସବୁ ଭିତରେ ଜ୍ୱାଇଁ ପୁଅଙ୍କ ସମର୍ଥନରେ ବାହାରିଛନ୍ତି କଂଗ୍ରେସର ବରିଷ୍ଠ ନେତା ସୁର ରାଉତ ରାୟ । ଦଳରେ ଫାଟ ଥିବା ଦେଖି ପାରୁନଥିବା ସୁର ଖୋଲାଖୋଲି ଏହି ସବୁ ବିବାଦ ପାଇଁ ବିଧାୟକ ଦଳକୁ ଦାୟୀ କରିଛନ୍ତି । ଏବେ ଦେଖିବାର କଥା ସଂଗଠନକୁ ଆଳ କରି ବିଧାୟକ ମାନେ କଂଗ୍ରେସ ଭବନକୁ ନିଜ କବ୍ଜାକୁ ନେଉଛନ୍ତି ନା’ ହାଇକମାଣ୍ଡ, ବିଧାୟକଙ୍କୁ ସୁହାଇଲା ଭଳି କିଛି ନିଷ୍ପତ୍ତି ନେଇ ଓଡ଼ିଶା କଂଗ୍ରେସକୁ ସୁଧାରିବାକୁ ପ୍ରୟାସ କରୁଛନ୍ତି ।