ଜୋର ଧରିଲା ସୁର-ତାରା ଲଢେଇ ! ତାରା କହିଲେ, କଂଗ୍ରେସକୁ ଧ୍ୱଂସ କରୁଛନ୍ତି ସୁର, ଆଗକୁ କଂଗ୍ରେସରେ ହେବ ବଡ ଧରଣର ବିସ୍ଫୋରଣ

36

କନକ ବ୍ୟୁରୋ : ଆସନ୍ତା କାଲିଠାରୁ ନୂଆଦିଲ୍ଲୀରେ ବସୁଛି ଏଆଇସିସିର ବୈଠକ । ଏଥିରେ ଯୋଗ ଦେବାକୁ ଆଜି ଅଧିକାଂଶ ରାଜ୍ୟ ନେତା ଦିଲ୍ଲୀ ଗସ୍ତ କରିଛନ୍ତି । କିନ୍ତୁ ନେତୃତ୍ୱ ବିବାଦ ପିଛା ଛାଡୁନି । ପ୍ରସାଦ ହରିଚନ୍ଦନଙ୍କୁ ସଭାପତି ପଦରୁ ନହଟାଇଲେ ଦଳ ଛାଡିବେ ବୋଲି କିଛି ବିଧାୟକ ଖୋଲାଖୋଲି କହିବା ପରେ ବିଧାୟକ ଦଳକୁ ଟାର୍ଗେଟ କରିଥିଲେ ପ୍ରସାଦଙ୍କ ଶ୍ୱଶୁର ସୁର ରାଉତରାୟ । ଆଉ ଆଜି ସୁରଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି ।

ଯିଏ ନେତୃତ୍ୱକୁ ଚ୍ୟାଲେଂଜ କରିବ ସେ ତୁରନ୍ତ ଦଳ ଛାଡ । ଯଦି କଂଗ୍ରେସ ଭଲ ଲାଗୁନାହିଁ ତେବେ ତୁରନ୍ତ ଦଳ ଛାଡ । ସୁରଙ୍କ ଏମିତି ବିବୃତିର କଡା ଜବାବ ରଖିଛନ୍ତି ତାରା ବାହିନୀପତି । ସୁରଙ୍କୁ ଟାର୍ଗେଟ କରିବା ସହ ସିଧାସଳଖ ନିଶାନା ସାଧିଛନ୍ତି ସଭାପତି ପ୍ରସାଦଙ୍କୁ । ତାରା କହିଛନ୍ତି ସୁରଙ୍କ କଥାର କୌଣସି ମୂଲ୍ୟ ନାହିଁ । ବରଂ ସୁର ହିଁ କଂଗ୍ରେସ ଧ୍ୱଂସର ମୂଳ କାରଣ । ଏହାଛଡା ପ୍ରସାଦ ଯଦି ପିସିସି ସଭାପତିରୁ ପରିବର୍ତ୍ତନ ନ ହୁଅନ୍ତି ତେବେ ଦଳର ଅଧିକାଂଶ ନେତା ନିର୍ବାଚନ ଲଢିବେନି । ଏପରିକି ସେ ନିଜେ ମଧ୍ୟ ନିର୍ବାଚନ ଲଢିବେ ନାହିଁ ତାହାକୁ ନେଇ ଦ୍ୱନ୍ଦରେ ଅଛନ୍ତି । ଏହାଛଡା ପ୍ରସାଦ ସଭାପତି ରହିଲେ ଦଳର ବଡ କ୍ଷତି ହେବ ବୋଲି ସେ ସର୍ତକ କରିଛନ୍ତି ।

ସୁର ଓ ତାରାଙ୍କ ଭିତରେ ବୟାନବାଜି ଦଳ ଭିତରେ ଚାଲିଥିବା ଅସନ୍ତୋଷର ଆଉ ଏକ ପ୍ରତିଫଳନ । ଆଉ ଏହାର ମୁଳରେ ରହିଛି ପିସିସି ପରିବର୍ତନ ପ୍ରସଙ୍ଗ । ଯାହା ପୁରା ଦଳକୁ ଜଟିଳ ପରିସ୍ଥିତି ଆଡକୁ ଟାଣି ନେଉଛି ।ଏଆଇସିସି ବୈଠକରେ ଯୋଗ ଦେବାକୁ ଦିଲ୍ଲୀ ଯାଉଛନ୍ତି କିନ୍ତୁ ମନରେ ଆଶା ଓ ଆଶଙ୍କାର କଳା ବାଦଲ । ନେତୃତ୍ୱ ବିବାଦ ଭିତରେ ଦଳର ସ୍ଥିତିକୁ ନେଇ ସମସ୍ତେ ଏବେ ସନ୍ଦେହ ଘେରରେ ।ଏହାରି ଭିତରେ ଖବର ଆସୁଛି ତିନି ବିଧାୟକ ତାରା ପ୍ରସାଦ ବାହିନୀପତି, ଯୋଗେଶ ସିଂହ ଓ ପ୍ରଫୁଲ୍ଲ ମାଝୀଙ୍କ ସମେତ ବରିଷ୍ଠ ନେତା ଅନନ୍ତ ସେଠୀଙ୍କ ନାମକୁ ଏଆଇସିସି ସଭ୍ୟ ତାଲିକାରୁ ବାଦ ଦେଇଛନ୍ତି ହାଇକମାଣ୍ଡ । ତେଣୁ ଏହା ଯଦି ସତ ହୋଇଥାଏ ତେବେ ରାଜ୍ୟ କଂଗ୍ରେସରେ ବିସ୍ଫୋରଣକୁ ଏଡେଇ ଦେଇ ହେବନାହିଁ ବୋଲି ଚର୍ଚ୍ଚା ହେଉଛି ।