ଓଡିଶା କଂଗ୍ରେସର ଘର ସଜଡା ଉଦ୍ୟମ : ମୁରବୀ ବାଛିବାକୁ ଦିଲ୍ଲୀ ଦରବାରରେ କସରତ୍

25

କନକ ବ୍ୟୁରୋ :  ବରିଷ୍ଠ କଂଗ୍ରେସ ନେତା କମଳନାଥଙ୍କ ବାସଭବନରେ ପହଂଚିଥିଲେ ଜଣେ ପରେ ଜଣେ ଓଡିଶା କଂଗ୍ରେସ ନେତା । ପୂର୍ବତନ ପିସିସି ଅଧ୍ୟକ୍ଷ ନିରଂଜନ ପଟ୍ଟନାୟକ, ପ୍ରଦୀପ ମାଝୀ, ନବ ଦାସ ଓ ଚିରଂଜୀବୀ ବିଶ୍ୱାଳ । ଚାଲିଲା ରୁଦ୍ଧଦ୍ୱାର ବୈଠକ । ପ୍ରସଙ୍ଗ ରାଜ୍ୟ କଂଗ୍ରେସର ସାଂଗଠନିକ ସ୍ଥିତି । ଆଉ ଏମାନଙ୍କସହ ଉପସ୍ଥିତ ଥିଲେ କଂଗ୍ରେସ ନେତା ଜିତେନ୍ଦ୍ର ସିଂହ । ଯିଏ କିଛି ମାସ ଆଗରୁ ରାଜ୍ୟ କଂଗ୍ରେସର ସ୍ଥିତି ନେଇ ରାହୁଲଙ୍କୁ ଦେଇଥିଲେ ରିପୋର୍ଟ ।

କୁହାଯାଉଛି ଦୀର୍ଘ ଦିନ ହେବ ପିସିସି ମୁଖିଆ ପଦ ନେଇ ଚାଲିଥିବା କଳ୍ପନା ଜଳ୍ପନାର ଖୁବଶୀଘ୍ର ଅନ୍ତ ଘଟିବ । ଆଗକୁ ନିର୍ବାଚନ ଋତୁ ଆସୁଥିବାରୁ କିଏ ରାଜ୍ୟ କଂଗ୍ରେସର ମଙ୍ଗ ଧରିବ ସେ ନେଇ ରାହୁଲ ତୁରନ୍ତ କିଛି ନିଷ୍ପତ୍ତି ନେବେ । କାରଣ ଗତ କିଛି ମାସ ଧରି ପିସିସି ସଭାପତି ପଦକୁ ନେଇ ବିବାଦ ଚରମ ସୀମାରେ ପହଂଚିଛି । ରାଜ୍ୟ ରାଜଧାନୀରୁ ଆରମ୍ଭ କରି ଦିଲ୍ଲୀ ଦରବାରରେ ବିଭିନ୍ନ ସମୟରେ ନେତୃତ୍ୱ କନ୍ଦଳକୁ ନେଇ ଚର୍ଚ୍ଚା ହୋଇଛି । ସୂଚନା ଅନୁସାରେ ରାଜ୍ୟ କଂଗ୍ରେସର ନେତା ନିରଂଜନଙ୍କୁ ନେତୃତ୍ୱ ଦେବାକୁ ମତ ରଖିଛନ୍ତି ।

ଦିଲ୍ଲୀ ଗସ୍ତରେ ଥିବା ନେତାଙ୍କଠାରୁ ମିଳିଥିବା ସୂଚନା ଅନୁସାରେ ଦିନେ ଦୁଇ ଦିନ ଭିତରେ ରାଜ୍ୟ କଂଗ୍ରେସ ସଂଗଠନରେ ହେବ ବଡ ପରିବର୍ତନ । ତେଣୁ ଏବେ ଅପେକ୍ଷା କାହା ମୁଣ୍ଡରେ ଶିରପା ବାନ୍ଧୁଛନ୍ତି ରାହୁଲ ।