ପଶ୍ଚିମବଙ୍ଗ ହିଂସାକାଣ୍ଡ ଓ ପ୍ରଚାର ବନ୍ଦ ପରେ ନିର୍ବାଚନ କମିଶନଙ୍କ ଆଡକୁ ଆଙ୍ଗୁଳି ଉଠାଇଲା କଂଗ୍ରେସ : ପ୍ରେସମିଟ୍ କରି କହିଲା ବିପଦରେ ନିରପେକ୍ଷ ନିର୍ବାଚନ

189

କନକ ବ୍ୟୁରୋ : ପଶ୍ଚିମବଙ୍ଗ ହିଂସାକାଣ୍ଡ ଓ ପ୍ରଚାର ବନ୍ଦ ପରେ ନିର୍ବାଚନ କମିଶନଙ୍କ ନିରପେକ୍ଷତା ନେଇ ପ୍ରଶ୍ନ ଉଠାଇଲା କଂଗ୍ରେସ । ପ୍ରେସମିଟ୍ କରି କଂଗ୍ରେସ ମୁଖପାତ୍ର ସୁରଜେୱାଲା କହିଲେ ବିପଦରେ ନିରପେକ୍ଷ ନିର୍ବାଚନ । ମୋଦି, ଶାହାଙ୍କ ଇସାରାରେ କାମ କରୁଛନ୍ତି ନିର୍ବାଚନ କମିଶନ । ନିର୍ବାଚନ ଆଚରଣବିଧି ମୋଦି-ଶାହାଙ୍କ ଆଚରଣ ବିଧିରେ ପରିଣତ ହୋଇଛି । ମୋଦି- ଶାହ ବାରମ୍ବାର ଆଚରଣ ବିଧି ଉଲଂଘନ କରୁଛନ୍ତି । ଶାହଙ୍କ ନେତୃତ୍ୱରେ ପଶ୍ଚିମବଙ୍ଗରେ ତାଣ୍ଡବ ହୋଇଛି । ବିଜେପି ଗୁଣ୍ଡାମାନେ ଇଶ୍ୱର ଚନ୍ଦ୍ର ବିଦ୍ୟାସାଗରଙ୍କ ମୂର୍ତ୍ତି ଭାଙ୍ଗିଛନ୍ତି ବୋଲି ଅଭିଯୋଗ କରିଛି କଂଗ୍ରେସ । କିନ୍ତୁ ନିର୍ବାଚନ କମିଶନ ଶାହାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ବଦଳରେ ପ୍ରଚାର ଉପରେ ରୋକ୍ ଲଗାଇଛନ୍ତି । ଏହା ଦୁଃଖଦାୟକ ।

୧୯ ଘଂଟା ଆଗରୁ ବନ୍ଦ ହେବ ପଶ୍ଟିମବଙ୍ଗରେ ପ୍ରଚାର । ପଶ୍ଚିମବଙ୍ଗରେ ହିଂସାକାଣ୍ଡ ଯୋଗୁଁ ନିର୍ବାଚନ କମିଶନ ନେଇଛନ୍ତି ଏଭଳି ବଡ ନିଷ୍ପିତ୍ତ । ଆଜି ରାତି ୧୦ଟା ପରେ ପଶ୍ଚିମବଙ୍ଗରେ ଆଉ ନିର୍ବାଚନୀ ପ୍ରଚାର ହେବ ନାହିଁ । ଏହା ଉପରେ କଟକଣା ଲଗାଇଛନ୍ତି ନିର୍ବାଚନ କମିଶନ । ଏଥିସହ ରାଜ୍ୟ ଗୃହ ସଚିବଙ୍କୁ ଛୁଟିରେ ଯିବାକୁ ନିର୍ଦ୍ଦେଶ ଦିଆଯାଇଛି । ମତଦାନ ପ୍ରକ୍ରିୟାରେ ସେ ହସ୍ତକ୍ଷେପ କରିଥିବା ଅଭିଯୋଗ ପରେ ନିର୍ବାଚନ କମିଶନ ଏଭଳି ନିଷ୍ପତ୍ତି ନେଇଛନ୍ତି । ଏନେଇ ମୁଖ୍ୟ ଶାସନ ସଚିବଙ୍କୁ ଏକ ଚିଠି ଦ୍ୱାରା ସୂଚନା ଦେଇଛନ୍ତି ନିର୍ବାଚନ କମିଶନ । ଏହା ସହ ସିଆଇଡି ଏଡିଜି ରାଜୀବ କୁମାରଙ୍କୁ ମଧ୍ୟ ଦାୟିତ୍ୱରୁ ହଟାଯାଇଛି । ଆଜି ଦିନ ୧୦ଟା ସୁଦ୍ଧା ସ୍ୱରାଷ୍ଟ୍ର ମନ୍ତ୍ରାଳୟରେ ହାଜର ହେବାକୁ ରାଜୀବଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଆସନ୍ତା ୧୯ ତାରିଖ, ଶେଷ ପର୍ଯ୍ୟାୟରେ ପଶ୍ଚିମବଙ୍ଗରେ ମତଦାନ ହେବ । ତେବେ ଏହା ପୂର୍ବରୁ ମଙ୍ଗଳବାର ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ କୋଲକାତାରେ ନିର୍ବାଚନୀ ପ୍ରଚାର କରୁଥିବାବେଳେ ରାଜନୈତିକ ହିଂସାକାଣ୍ଡ ଘଟିଥିଲା । ଶାହଙ୍କ ରାଲି ଉପରକୁ ଟେକାପଥର ମାଡ ହୋଇଥିଲା । କୋଲକାତା ବିଶ୍ୱବିଦ୍ୟାଳୟ ନିକଟରେ ଯେତେବେଳେ ଅମିତ ଶାହାଙ୍କ ରାଲି ଯାଉଥିଲା ସେହି ସମୟରେ ବାମ ଦଳର ଛାତ୍ର ନେତା ଏବଂ ବିଜେପିର ଛାତ୍ରନେତାମାନେ ମୁହାଁମୁହିଁ ହୋଇଥିଲେ । ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ମଧ୍ୟ ହୋଇଥିଲା ।