କି ମନ୍ତ୍ର ଦେବେ ରାହୁଲ ଗାନ୍ଧି ? ଏଆଇସିସି ଅଧିବେଶନରେ ସଭାପତି ଭାବେ ରାହୁଲଙ୍କ ଆଜି ପ୍ରଥମ ଅଭିଭାଷଣ

41

କନକ ବ୍ୟୁରୋ: କଂଗ୍ରେସ ଅଧିବେଶନରେ ଆଗାମୀ ପାଂଚ ବର୍ଷ ପାଇଁ ବ୍ଲୁ ପ୍ରିଂଟ ପ୍ରସ୍ତୁତ କରାଯିବ । ଦିଲ୍ଲୀ ସ୍ଥିତ ଇନ୍ଦିରା ଗାନ୍ଧୀ ଇଣ୍ଡୋର ଷ୍ଟାଡିୟମରେ ଆଜି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଅଭିଭାଷଣରୁ ଆରମ୍ଭ ହେବ ମହାଅଧିବେଶନର ଦ୍ୱିତୀୟ ଦିନ । ପାର୍ଟି ଅଧ୍ୟକ୍ଷ କଂଗ୍ରେସର ଦୃଷ୍ଟିକୋଣକୁ ଦଳର ନେତା ଓ କର୍ମୀଙ୍କ ଆଗରେ ରଖିବେ । ଏହା ରାହୁଲଙ୍କ ଅଧ୍ୟକ୍ଷତାରେ କଂଗ୍ରେସର ପ୍ରଥମ ମହାଅଧିବେଶନ । ଏଥିରେ ଅର୍ଥନୈତିକ, ବୈଦେଶିକ ପ୍ରସଙ୍ଗ ସମେତ ୪ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ପାରିତ ହେବ । ୧୨ ହଜାରରୁ ଅଧିକ କାର୍ଯ୍ୟକର୍ତା ସାମିଲ ହୋଇଛନ୍ତି । ଅଧିବେଶନରେ କଂଗ୍ରେସ ଓଳ୍ୱାର୍କିଂ କମିଟିର ଗଠନ କରାଯିବ । ଏଥିପାଇଁ ଏଆଇସିସି ସଦସ୍ୟ କଂଗ୍ରେସ ସଭାପତିଙ୍କୁ ଅଧିକୃତ କରିବେ ।

ସୂଚନା ମୁତାବକ, କଂଗ୍ରେସର ୩ ଦିନିଆ ମହାଅଧିବେଶନ ଦିଲ୍ଲୀର କନଷ୍ଟିଚ୍ୟୁସନ କ୍ଲବରେ ଆରମ୍ଭ ହୋଇଛି । ଏହି ଅଧିବେଶନରେ ଗୃହୀତ ହେବାକୁ ଥିବା ରାଜନୈତିକ ପ୍ରସ୍ତାବ, କୃଷି, ରୋଜଗାର ଓ ଦୁର୍ନୀତି ଭଳି ୫ଟି ପ୍ରସ୍ତାବ ଉପରେ ଆଲୋଚନା କରାଯାଇ ତାହାକୁ ଚୂଡ଼ାନ୍ତ କରାଯାଇଥିବା ଜଣାପଡ଼ିଛି । ଏହି ଅବସରରେ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ମହାଅଧିବେଶନରେ ଉଦଘାଟନୀ ଭାଷଣ ଦେବେ। ଆଜିଠାରୁ ୨ ଦିନ ଧରି ମହାଅଧିବେଶନ ଇନ୍ଦିରା ଗାନ୍ଧୀ ଇନଡୋର ଷ୍ଟାଡିୟମରେ ଅନୁଷ୍ଠିତ ହେବ। ଏହି ଅଧିବେଶନରେ ସ୍ଲୋଗାନ ରହିଛି ‘ସମୟ ପରିବର୍ତ୍ତନ’। କଂଗ୍ରେସ ଦଳର ବରିଷ୍ଠ ନେତାମାନଙ୍କ କହିବା ଅନୁସାରେ ପ୍ରଥମ ଥର ପାଇଁ ମହା ଅଧିବେଶନରେ ବରିଷ୍ଠ ନେତାମାନଙ୍କ ସହିତ ଜିଲ୍ଲା ଓ ବ୍ଲକସ୍ତରୀୟ ନେତାଙ୍କୁ ମଧ୍ୟ କହିବା ସୁଯୋଗ ମିଳିବ।

ଏହି ମହାଅଧିବେଶନରେ ୧୫ ହଜାର କଂଗ୍ରେସ କର୍ମୀ ଯୋଗଦେଉଛନ୍ତି । ଓଡ଼ିଶାରୁ ପ୍ରାୟ ୨୦୦ କଂଗ୍ରେସ ନେତା ଯାଇ ପହଞ୍ଚିଛନ୍ତି। ରାଜ୍ୟ କଂଗ୍ରେସ ସଭାପତି, ବିରୋଧୀ ଦଳ ନେତା, ପୂର୍ବତନ ପିସିସି ସଭାପତି, ପୂର୍ବତନ ମନ୍ତ୍ରୀ, ବିଧାୟକ, ପୂର୍ବତନ ବିଧାୟକଙ୍କ ସମେତ ବ୍ଳକ୍ ଓ ଜିଲ୍ଲାସ୍ତରରୁ ନେତାମାନେ ମହାଅଧିବେଶନରେ ଯୋଗ ଦେଉଛନ୍ତି। ମହାଅଧିବେଶନରେ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କ ବାର୍ତ୍ତାକୁ ନେଇ ଓଡ଼ିଶାର ଘରେ ଘରେ ପହଞ୍ଚାଇବା ପାଇଁ ଦଳୀୟ ନେତାମାନେ ମତ ଦେଇଛନ୍ତି । ଓଡ଼ିଶାରେ ଦଳକୁ ସଜାଡ଼ିବା ନିମନ୍ତେ ରାହୁଲଙ୍କ ଦୃଷ୍ଟି ଆକର୍ଷଣ କରାଯିବ ବୋଲି କିଛି ନେତା କହିଛନ୍ତି । ଓଡ଼ିଶାର କିଛି ନେତାଙ୍କୁ ଏଆଇସିସି ତାଲିକାରୁ ବାଦ ଦିଆଯିବା ସତ୍ତ୍ୱେ ସେମାନେ ୧୭ ଓ ୧୮ ତାରିଖ ମହାଅଧିବେଶନରେ ଯୋଗଦେବେ ବୋଲି କହିଛନ୍ତି । ଏହି ଅବସରରେ ରାହୁଲ କୋର୍ କମିଟିର ସଦସ୍ୟମାନଙ୍କ ସହିତ ଆଲୋଚନା କରିବେ ଏବଂ ଓଡ଼ିଶାର କିଛି ନେତା ମଧ୍ୟ ରାହୁଲଙ୍କୁ ଭେଟିବା ସମ୍ଭାବନା ରହିଛି।