ଥାନା ଭିତରେ ଗୋଟିଏ ରାତି ! କନ୍ଧମାଳକୁ ପଲିଟିକାଲ୍ ପିଚ୍ କଲା କଂଗ୍ରେସ୍

39

କନ୍ଧମାଳ : ଥାନା ଭିତରେ ଗୋଟିଏ ରାତି । ସନ୍ଧ୍ୟା ସାଢ଼େ ୬ରୁ ରାତି ସାଢ଼େ ୩ଟା ଯାଏଁ ବାଲିଗୁଡ଼ା ଥାନାକୁ ଘେରିଲା କଂଗ୍ରେସ । ଗୁମୁଡୁମାହା ଗୁଳିକାଣ୍ଡ ଘଟଣାର ପ୍ରତିବାଦରେ ରାତିସାରା ଯୁକ୍ତି ତର୍କ ଚାଲିଲା । ପ୍ରଥମେ ଆଇଆଇସି, ପରେ ଏସଡିପିଓ ଏବଂ ଶେଷରେ ପହଂଚଥିଲେ ଏସପି । ହେଲେ ସମାଧାନର ବାଟ ବାହାରିପାରିଲାନି । ଫଳରେ ଥାନାରୁ ରାଜରାସ୍ତାକୁ ଓହ୍ଲାଇଲା ବିକ୍ଷୋଭ । ରାସ୍ତା ଉପରେ ଛିଡ଼ା ହୋଇଗଲେ ଶହ ଶହ କଂଗ୍ରେସ କର୍ମୀ ଓ ସ୍ଥାନୀୟ ବାସିନ୍ଦା । କଂଗ୍ରେସ ଜିଦରେ ବାଧ୍ୟ ହୋଇ ପହଂଚିଲେ ଏସ୍ଆଇଟି ମୁଖ୍ୟ ମହେନ୍ଦ୍ର ପ୍ରତାପ। ଦୋଷୀଙ୍କ ବିରୋଧରେ ଏସସିଏସଟି ଆକ୍ଟ ଲାଗୁ, ଶୀଘ୍ର ତଦନ୍ତ ସାରିବାର ପ୍ରତିଶ୍ରୁତି ଏବଂ ଅଭିଯୁକ୍ତଙ୍କୁ ଗିରଫ କରିବାର ପ୍ରତିଶ୍ରୁତି ଦେବା ପରେ ହଟିଥିଲା ବିକ୍ଷୋଭ ।

ସେପଟେ ଗୁମୁଡୁମାହା ଘଟଣାର ପ୍ରତିବାଦରେ ଅଗଷ୍ଟ ପ୍ରଥମ ସପ୍ତାହରେ ଅସ୍ଥିକଳସ ଶୋଭାଯାତ୍ରା କରିବ କଂଗ୍ରେସ। ଲୋକଙ୍କୁ ସଚେତନ କରିବା ଉଦେଶ୍ୟରେ ଏକ ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରା କରିବ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି।

ତେବେ ମାଓବାଦୀଙ୍କ ନାଁରେ ବାରମ୍ବାର ନିରୀହ ଲୋକଙ୍କୁ ହତ୍ୟା କରାଯାଉଥିବା ଅଭିଯୋଗ କରିଛି କଂଗ୍ରେସ। ପୂର୍ବରୁ ଏଭଳି ୭ଟି ଘଟଣାରେ ୨୬ ଜଣ ପ୍ରାଣ ହରାଇଥିବା କଂଗ୍ରେସ ଅଭିଯୋଗ କରିଛି। ତେଣୁ ଘଟଣାର ଏକ ବିଚାର ବିଭାଗୀୟ ତଦନ୍ତ ହେବା ଆବଶ୍ୟକ ବୋଲି ମଧ୍ୟ କଂଗ୍ରେସ ଦାବି କରିଛି।