ସମ୍ବଲପୁର ଅଇଁଠାପାଲି ଥାନାରେ ହାଜତ ମୃତ୍ୟୁ ଘଟଣା ! ମୃତକଙ୍କ ପରିବାରକୁ ଭେଟିଲେ କଂଗ୍ରେସ କର୍ମୀ, ୩୦ ଲକ୍ଷ ଟଙ୍କାର କ୍ଷତିପୂରଣ ଦାବି

35

କନକ ବ୍ୟୁରୋ : ସମ୍ବଲପୁର ଇଁଠାପାଲି ଥାନାରେ ହାଜତ ମୃତ୍ୟୁ ଘଟଣାକୁ ନେଇ ରାଜ୍ୟ ସରକାରଙ୍କୁ ଦାୟୀ କଲା କଂଗ୍ରେସ । କଂଗ୍ରେସର ଆଜି ଏକ ଉଚ୍ଚସ୍ତରୀୟ ଟିମ୍ ମୃତକଙ୍କ ପରିବାରକୁ ଭେଟିଛନ୍ତି ମୃତ ଅବିନାଶଙ୍କ ପରିବାରକୁ ଭେଟି ସମବେଦନା ଜଣାଇଛନ୍ତି । ତାଙ୍କ ପରିବାରକୁ ୩୦ ଲକ୍ଷ ଟଙ୍କାର କ୍ଷତିପୂରଣ ଦାବି କରିଛନ୍ତି । ହାଇକୋର୍ଟର ଜଣେ କାର୍ଯ୍ୟରତ ବିଚାରପତିଙ୍କ ଦ୍ୱାରା ତଦନ୍ତ ଦାବି କରିଛନ୍ତି କଂଗ୍ରେସ କର୍ମୀ । ହାଜତ ମୃତ୍ୟୁ ପ୍ରତିବାଦରେ ଆସନ୍ତା ୨୫ରୁ ୨୯ତାରିଖ ପର୍ଯ୍ୟନ୍ତ ଯନ୍ତରମନ୍ତରରେ ବିକ୍ଷୋଭ କରିବ କଂଗ୍ରେସ । ଏହାପରେ ୨୯ତାରିଖ ଦିନ ରାଷ୍ଟ୍ରପତିଙ୍କୁ ଦାବି ପତ୍ର ଦେବ । କଂଗ୍ରେସର ୪ ଜଣିଆ ଦଳ କୁଷ୍ଣଚନ୍ଦ୍ର ସଗରିଆ, ପ୍ରଦୀପ ମାଝୀ, ନବ ଦାସ ଓ ଦୟଦେବ ଜେନା ଭାଲୁପାଲି ଗାଁକୁ ଯାଇ ମୃତକଙ୍କ ପରିବାରକୁ ଭେଟିଛନ୍ତି । ମୃତ ଅଭିନାଶଙ୍କ ପରିବାର ସହ ଗ୍ରାମବାସୀଙ୍କ ସହ ଆଲୋଚନା କରିଛି କଂଗ୍ରେସ । ୩୦୨ ଦଫାରେ ହତ୍ୟା ମାମଲା ରୁଜୁ କରି ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ସହ ୩୦ ଲକ୍ଷ ଟଙ୍କା ଆର୍ଥିକ ସହାୟତା ଦେବାକୁ ଦାବି କରିଛି ।

ଅନ୍ୟପଟେ ଅଇଁଠାପାଲି ଥାନା ହାଜତ ମୃତ୍ୟୁ ଘଟଣାରେ ଏଚଆରପିସି ତଦନ୍ତ ଜାରି ରହିଛି । ଶବ ବ୍ୟବଚ୍ଛେଦ ରିପୋର୍ଟ ପହଂଚି ନଥିବାରୁ ଅବିନାଶଙ୍କ ମୃତ୍ୟୁ ରହସ୍ୟ ଉନ୍ମୋଚିତ ହୋଇପାରି ନାହିଁ । ଅପରକ୍ଷରେ ମଂଗଳବାର ସନ୍ଧ୍ୟାରେ ସମ୍ବଲପୁର ବିଧାୟିକା ଡାକ୍ତର ରାସେଶ୍ୱରୀ ପାଣିଗ୍ରାହୀ ଭାଲୁପାଲି ଯାଇ ମୃତକଙ୍କ ମା’ ଓ ଅନ୍ୟ ପରିବାରବର୍ଗଙ୍କୁ ସ୍ୱାନ୍ତନା ଦେଇଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ, ରୋୟାଲ ରିଟ୍ରେଟରୁ ଚୋରିରେ ସଂପୃକ୍ତି ଅଭିଯୋଗରେ ଅବିନାଶଙ୍କୁ ପୁଲିସ୍ ଧରି ଆଣିଥିଲା । ପୁଲିସ କହିବା ଅନୁସାରେ, ତା’ଠାରୁ ଚୋରି ସାମଗ୍ରୀ ଉଦ୍ଧାର କରାଯାଇଥିଲା । ତେବେ ୮ ତାରିଖ ରାତିରେ ଅଇଁଠାପାଲି ଥାନା ହାଜତରେ ଅବିନାଶଙ୍କ ମୃତ୍ୟୁ ହୋଇଥିଲା । ୯ ତାରିଖ ଦିନ ଏହି ଘଟଣାକୁ ନେଇ ପ୍ରବଳ ଉତ୍ତେଜନା ପ୍ରକାଶ ପାଇବା ସହ ଥାନା ଜଳାପୋଡ଼ା ହୋଇଥିଲା । ୧୦ ତାରିଖ ଦିନ ଏଚଆରପିସି ଟିମ୍ ସମ୍ବଲପୁର ଆସି ଏହି ଘଟଣାର ତଦନ୍ତ ଚଳାଇଛନ୍ତି । ଅଇଁଠାପାଲି ଥାନା ହାଜତ ନିରୀକ୍ଷଣ କରିବା ସହିତ ପୁଲିସ, କର୍ମଚାରୀମାନଙ୍କୁ କେଉଁ ପରିସ୍ଥିତିରେ ଅବିନାଶଙ୍କ ଜୀବନ ଗଲା, ତାହା ପଚାରିଛନ୍ତି । ଭାଲୁପାଲି ଗାଁକୁ ଯାଇ ଅବିନାଶଙ୍କ ମା, ଭାଇ ଓ ଅନ୍ୟ ସଂପର୍କୀୟଙ୍କ ବୟାନ ରେକର୍ଡ କରିଥିବା ଜଣାପଡ଼ିଛିି ।