ଆଇଜିଏଚ୍ ପାଇଁ କଂଗ୍ରେସ ଭିଡ଼ିଲା ଅଂଟା : ନିରଞ୍ଜନ ଦେଲେ ୧୧ହଜାର, ପିସିସି ପ୍ରଭାରୀ ଦେଲେ ୨୧ ହଜାର

29

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀଙ୍କୁ ପ୍ରତିଶ୍ରୁତି କଥା ମନେପକେଇ ଦେବା ପାଇଁ ରାଉରକେଲାରୁ ଦିଲ୍ଲୀ ଚଲୋ ଅଭିଯାନ ଆରମ୍ଭ କରିଥିଲେ ରାଉରକେଲାର ମୁକ୍ତିକାନ୍ତ ବିଶ୍ୱାଳ । ଏପ୍ରିଲ ୧୬ରୁ ଆରମ୍ଭ ହୋଇଥିଲା ମୁକ୍ତିକାନ୍ତଙ୍କ ଦିଲ୍ଲୀ ଚଲୋ ଅଭିଯାନ । ଉଦ୍ଦେଶ୍ୟ ଥିଲା ପ୍ରଧାନମନ୍ତ୍ରୀ ଦେଇଥିବା ପ୍ରତିଶ୍ରୁତିକୁ ମନେ ପକେଇଦେବା । ୨୦୧୫ ଏପ୍ରିଲ ୧ ତାରିଖରେ ଷ୍ଟିଲ ସିଟିରେ ପହଞ୍ଚିଥିଲେ ପ୍ରଧାନମନ୍ତ୍ରୀ । ପ୍ରଧାନମନ୍ତ୍ରୀ ହେବା ପରେ ରାଉରକେଲା ବାସୀଙ୍କ ପାଇଁ ଉପହାର ଆଣିଦେଇଥିଲେ । ରାଉରକେଲାର ଲାଇଫଲାଇନ୍ କୁହାଯାଉଥିବା ବ୍ରାହ୍ମଣୀ ବ୍ରିଜର ନିର୍ମାଣ ଓ ଇସ୍ପାତ ଜେନେରାଲ ହସ୍ପିଟାଲକୁ ସୁପର ସ୍ପେସାଲିଷ୍ଟ ମେଡ଼ିକାଲ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ତେବେ ବେଶ୍ କିଛି ଦିନ ବିତିଯାଇଥିଲେ ହେଁ ମୋଦି ପ୍ରତିଶ୍ରୁତି ପାଳନ କରିନଥିଲେ । ଆଉ ଏଥିପାଇଁ ଦିଲ୍ଲୀ ଚଲୋ ଅଭିଯାନ ଆରମ୍ଭ କରିଥିଲେ ମୁକ୍ତିକାନ୍ତ । ତେବେ ମୁକ୍ତିକାନ୍ତଙ୍କ ଦିଲ୍ଲୀ ଅଭିଯାନ ନେଇ ରାଜନୀତି ମଧ୍ୟ ବେଶ୍ କିଛି ଦିନ ସରଗରମ ରହିଥିଲା । ଆଉ ମୁକ୍ତିକାନ୍ତଙ୍କ ଏହି ଦିଲ୍ଲୀ ଚଲୋ ଅଭିଯାନକୁ ସମର୍ଥନ ଜଣାଇଥିଲେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ଭାରତର ଜନସାଧାରଣ ଏବଂ କଂଗ୍ରେସ ଦଳ ପ୍ରତିଶ୍ରୁତି ପୂରଣ କରିବା ସହ ଫଂଣ୍ଡ ସଂଗ୍ରହ କରିବ ବୋଲି ରାହୁଲ ଗାନ୍ଧୀ ଟ୍ଵିଟ୍ କରିଥିଲେ । ଆଉ ତା’ପରେ ଆରମ୍ଭ ହୋଇଥିଲା କଂଗ୍ରେସର ମିଶନ ମୁକ୍ତିକାନ୍ତ । ଏକ ସପ୍ତାହ ଭିତରେ ୨୦ ଲକ୍ଷ ଟଙ୍କା ଆଦୟ କରି ଆଇଜିଏଚକୁ ଦେବା ପାଇଁ ଆରମ୍ଭ ହୋଇଥିଲା ଅଭିଯାନ ।

ତେବେ ମିଶନ ମୁକ୍ତିକାନ୍ତ ନେଇ ଆଜି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି, ମୁକ୍ତିକାନ୍ତ କେତେ ବାଟ ଯାଇଛନ୍ତି ମୋତେ ଜଣାନାହିଁ । କିଛି ଦିନ ତଳେ ସେ ଆଗ୍ରାରେ ଥିଲେ । ଆଉ ତା’ପରେ ସେ ଯାତ୍ରା ଆରମ୍ଭ କରିଛନ୍ତି । ଯଥାସମ୍ଭବ ତାଙ୍କୁ ସାହାଯ୍ୟ କରିବା ପାଇଁ ଆମେ ଚେଷ୍ଟା କରିବୁ ବୋଲି ସେ ପ୍ରକାଶ କରିଛନ୍ତି । ତେବେ ଏନେଇ ସେ ନିଜେ ଯେତେ ପାରିବେ ସାହାଯ୍ୟ କରିବ ବୋଲି ମଦ୍ୟ କହିଛନ୍ତି ନିରଞ୍ଜନ ପଟ୍ଟନାୟକ । ଏହାସହ ପିସିସି ସଭାପତି ଗଣମାଧ୍ୟମ ମାଧ୍ୟମରେ ମୁକ୍ତିକାନ୍ତଙ୍କୁ ସାହାଯ୍ୟ କରିବା ଅପିଲ ମଧ୍ୟ କରିଥିଲେ । ସୂଚନା ଅନୁସାରେ ପିସିସି ପ୍ରଭାରୀ ଜିତେନ୍ଦ୍ର ସିଂ ୨୧ ହଜାର ଓ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ୧୦ ହଜାର ଟଙ୍କା ପ୍ରଦାନ କରିଛନ୍ତି ।

ଏହା ବ୍ୟତୀତ ମିଶନ ମୁକ୍ତିକାନ୍ତ ନେଇ ପ୍ରଦେଶ କଂଗ୍ରେସ କମିଟିର ପ୍ରଚାର ଅଧ୍ୟକ୍ଷ ଭକ୍ତ ଦାସ କହିଛନ୍ତି ବ୍ୟାପକ ଭାବରେ ଏହି କାର୍ଯ୍ୟକ୍ରମ କରାଯିବା ପାଇଁ ଯୋଜନା ପ୍ରସ୍ତୁତ ହୋଇଛି । ତେବେ ୨୦ ଲକ୍ଷ ଟଙ୍କା ଆଦାୟ ହେବା ନେଇ କହିଛନ୍ତି କେତେ ଟଙ୍କା ଆସିଛି ସେ ବିଷୟରେ ଅଧିକ ଜଣାନାହିଁ । ପିସିସି ସଭାପତିଙ୍କ ପାଖରେ ଅଧିକ ତଥ୍ୟ ଥିବ । ଏହାସହ ସେ ମଧ୍ୟ ମୁକ୍ତିକାନ୍ତଙ୍କୁ ସାହାଯ୍ୟ କରିବା ପାଇଁ ମଧ୍ୟ ଅପିଲ କରିଛନ୍ତି ।

ସୂଚନାଯୋଗ୍ୟ ଦ୍ୱିତୀୟ ବ୍ରାହ୍ମଣୀ ସେତୁ, ଆଇଜିଏଚ ମେଡିକାଲ କଲେଜ ଓ ସୁପର ସ୍ପେଶିଆଲିଟି ହସ୍ପିଟାଲ ପରି କେତେକ ଦାବି ନେଇ ରାଉରକେଲାରୁ ଦିଲ୍ଲୀ ପଦଯାତ୍ରାରେ ଥିବା ମୁକ୍ତିକାନ୍ତ ବିଶ୍ୱାଳ ଶନିବାର ହରିୟାଣାରେ ପ୍ରବେଶ କରିଥିଲେ । ଆସନ୍ତା ୨୭ରେ ମୁକ୍ତିକାନ୍ତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିପାରନ୍ତି ବୋଲି ଆଶା କରାଯାଇଛି। ଶନିବାର ସୁଦ୍ଧା ମୁକ୍ତିକାନ୍ତ ୧୪୬୦ କିମି ପଦଯାତ୍ରା କରିସାରିଛନ୍ତି । ଓଡିଶା ସୀମା ୫୨କିମିକୁ ୨ ଦିନ, ଝାଡ଼ଖଣ୍ଡର ୫ଟି ଜିଲାର ୩୫୩ କିମିକୁ ୧୪ଦିନ, ବିହାରର ୪ ଜିଲାର ୨୦୫କିମିକୁ ୧୨ଦିନ ଏବଂ ଉତ୍ତର ପ୍ରଦେଶର ୧୨ଟି ଜିଲାର ୮୫୦ କିମି ରାସ୍ତା ଅତିକ୍ରମ ପାଇଁ ମୁକ୍ତିକାନ୍ତଙ୍କୁ ୪୧ ଦିନ ସମୟ ଲାଗିଥିଲା । ତାଙ୍କ ମହତ ଉଦ୍ଦେଶ୍ୟ ପଛରେ ସହରବାସୀଙ୍କ ଅକୁଣ୍ଠ ଆଶୀର୍ବାଦ ଓ ଯୁବଜାଗୃତି ମଞ୍ଚର ଦୃଢ ସମର୍ଥନ ରହିଛି ବୋଲି ମଞ୍ଚର ଆବାହକ ଗୋପାଳ ଜେନା କହିଛନ୍ତି।