ଅମେଠିରେ ନିର୍ବାଚନ ପୂର୍ବରୁ ରାହୁଲଙ୍କୁ ଝଟକା : ପୂର୍ବତନ କଂଗ୍ରେସ ବିଧାୟକ ବିଜେପିରେ ସାମିଲ

178

ଉତ୍ତର ପ୍ରଦେଶର ଅମେଠିରେ ବଡ ମୁସଲିମ୍ ଚେହେରା ଭାବେ ଜଣାଶୁଣା ଡା. ମୋହମ୍ମଦ ମୁସଲିମ୍ ଏବେ ବହୁଜନ ସମାଜ ପାର୍ଟି ଛାଡି ବିଜେପିରେ ସାମିଲ ହୋଇଛନ୍ତି । ସର୍ବପ୍ରଥମେ ସେ କଂଗ୍ରେସ ଏବଂ ସପାର ଟିକେଟରେ ମଧ୍ୟ ବିଧାୟକ ରହିସାରିଛନ୍ତି । କିନ୍ତୁ ବିଧାନସଭା ନିର୍ବାଚନ ୨୦୧୭ ପୂର୍ବରୁ ସେ କଂଗ୍ରେସ ଛାଡି ବସପାରେ ସାମିଲ ହୋଇଥିଲେ ।

ଡା. ମୁସଲିମ୍ ରାୟବରେଲୀର ବାସିନ୍ଦା ଓ ଅମେଠି ଜିଲ୍ଲାର ତିଲୋଇରୁ ଲଢ଼ନ୍ତି । ଏହି ସିଟରୁ ସେ ୨୦୧୨ର ୟୁପି ବିଧାନସଭା ନିର୍ବାଚନରେ କଂଗ୍ରେସ ଟିକେଟରେ ବିଧାୟକ ନିର୍ବାଚିତ ହୋଇଥିଲେ । ଯେବେକି, ଏହା ପୂର୍ବରୁ ୧୯୯୬ରେ ସେ ସପା ଟିକେଟରେ ଜିତିଥିଲେ । ବିଧାନସଭା ନିର୍ବାଚନ ୨୦୧୭ ପୂର୍ବରୁ ଡା. ମୁସଲିମ୍ କଂଗ୍ରେସ ଛାଡି ବସପାକୁ ଚାଲିଯାଇଥିଲେ । ବସପା ସୁପ୍ରିମୋ ମାୟାବତୀ ତାଙ୍କ ପୁଅକୁ ବିଧାନସଭାର ଟିକେଟ୍ ଦେଇଥିଲେ, ଯିଏକି ବିଜେପି ପ୍ରାର୍ଥୀଙ୍କ ଠାରୁ ହାରିଯାଇଥିଲେ ।

ସୂଚନାଯୋଗ୍ୟ, ଅମେଠି କଂଗ୍ରେସ ଦଳ ଓ ଗାନ୍ଧୀ ପରିବାରର ଗଡ଼ । ଏବେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଅମେଠି ଲୋକସଭା ସିଟ୍ ରୁ ହିଁ ସାଂସଦ । ଲୋକସଭାରେ ରାହୁଲ ଗାନ୍ଧୀଙ୍କୁ ଜିତାଇବାରେ ମୁସଲିମ ଭୋଟରଙ୍କ ଭୂମିକାକୁ ଗୁରୁତ୍ୱପୂର୍ଣ୍ଣ ଧରାଯାଏ ।