ନବରଙ୍ଗପୁର ଲୋକସଭା ପାଇଁ ଚାଲିଛି ତିନି ପ୍ରାର୍ଥୀଙ୍କ ପ୍ରଚାର ଲଢେଇ । ନବୀନଙ୍କ ବିକାଶ ନାରା ନେଇ ବିଜେଡି ପ୍ରାର୍ଥୀଙ୍କ ପ୍ରଚାର

ମୋଦି ହାୱାକୁ ଆୟୁଧ କରିଛନ୍ତି ବିଜେପି ପ୍ରାର୍ଥୀ;କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦୁର୍ନୀତିକୁ ପ୍ରସଙ୍ଗ କରିଛି କଂଗ୍ରେସ

93

କନକ ବ୍ୟୁରୋ: ନବରଙ୍ଗପୁର ଲୋକସଭା ଆସନରେ ଯୋର ଧରିଛି ପ୍ରଚାର ଲଢେଇ । ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ତିନି ଦଳର ହେଭିୱେଟ ପ୍ରାର୍ଥୀ । ଆସନ୍ତା ୧୧ ତାରିଖରେ ନବରଙ୍ଗପୁରରେ ଭୋଟ ଗ୍ରହଣ ହେବାକୁ ଥିବାରୁ ଜୋର ଧରିଛି ନିର୍ବାଚନ ପ୍ରଚାର । ନବରଙ୍ଗପୁର ଲୋକସଭା ଆସନ ପାଇଁ ବିଜେଡି ସାଂସଦ ପ୍ରାର୍ଥୀ ରମେଶଚନ୍ଦ୍ର ମାଝି ହୋଇଥିବା ବେଳେ ବିଜେପି ସାଂସଦ ପ୍ରାର୍ଥୀ ବଳଭଦ୍ର ମାଝି । ଏଥର ନବରଙ୍ଗରପୁରରେ ତ୍ରିମୁଖୀ ଲଢେଇ ଦେଖିବାକୁ ମିଳିବ ବୋଲି କୁହାଯାଉଛି । ନବୀନଙ୍କ ବିକାଶ ନାରା ନେଇ ରମେଶ ମାଝି ପ୍ରଚାର କରୁଛନ୍ତି ।

ସେହିପର ବିଜେପି ପ୍ରାର୍ଥୀ ବଳଭଦ୍ର ମାଝି ଯୋରସୋରରେ ପ୍ରଚାର ଚଳାଇଛନ୍ତି । ମୋଦି ହାୱାକୁ ମୁଖ୍ୟ ଅସ୍ତ୍ର କରି ସେ କ୍ୟାମ୍ପେନିଂ କରୁଛନ୍ତି । ସମର୍ଥକ ଓ ଦଳୀୟ କର୍ମୀଙ୍କୁ ଧରି ବଳଭଦ୍ର ମାଝି ପ୍ରଚାର କରୁଥିବା ଦେଖିବାକୁ ମିଳିଛି । ମୋଦିଙ୍କ ବିକାଶ ନୀତି ଲୋକଙ୍କ ପାଖରେ ପହଂଚାଇ ଭୋଟ ମାଗୁଛନ୍ତି ବଳଭଦ୍ର ମାଝି ।

ସେହିପରି ନବରଙ୍ଗପୁର ଲୋକସଭା ଆସନ ପାଇଁ କଂଗ୍ରେସ ସାଂସଦ ପ୍ରାର୍ଥୀ ପ୍ରଦୀପ ମାଝି ଦଳବଦଳ ସହ ପ୍ରଚାର କରୁଛନ୍ତି । ଦଳୀୟ କର୍ମୀ ଓ ସମର୍ଥକଙ୍କ ସହ ଭୋଟରଙ୍କୁ ନିକଟକୁ ଯାଉଛନ୍ତି ପ୍ରଦୀପ ମାଝି । ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଫଳତାକୁ ମୁଖ୍ୟ ପ୍ରସଙ୍ଗ କରିଛନ୍ତି ମାଝି । ସେହିପରି ରାଜ୍ୟରେ ନାରୀ ସୁରକ୍ଷା, ଚାଷୀ ସମସ୍ୟାର ସମାଧାନ କଥା କହି ପ୍ରଦୀପ ମାଝି ଭୋଟ ମାଗୁଛନ୍ତି ।