ପୁଣି ସରକାର ଗଢ଼ିବ ବିଜେଡି ! ଜୋର ଦେଇ କହିଲେ କଂଗ୍ରେସ ବିଧାୟକ

23

କନକ ବ୍ୟୁରୋ : ନିରଞ୍ଜନଙ୍କ ନେତୃତ୍ୱରେ ସଂଗଠିତ ହୋଇ ୨୦୧୯ ନିର୍ବାଚନ ପାଇଁ କଂଗ୍ରେସ ପ୍ରସ୍ତୁତ ହେଉଥିବାବେଳେ, ବିଜେଡି ମୁହାଁ ହେଉଛନ୍ତି କଂଗ୍ରେସ ବିଧାୟକ । ବିଜେଡିକୁ ଖୋଲାଖୋଲି ପ୍ରଶଂସା କରିଛନ୍ତି ସାଲେପୁରର ବିଧାୟକ ପ୍ରକାଶ ବେହେରା । ଆଗକୁ ବିଜେଡି ଓ କଂଗ୍ରେସ ମଧ୍ୟରେ ଲଢ଼େଇ ହେବ ବୋଲି କହୁଥିବାବେଳେ ବିଜେଡି ଭଲ ସ୍ଥିତିରେ ରହିଥିବା କହିଛନ୍ତି । ଆଉ କଂଗ୍ରେସ ବିଧାୟକଙ୍କ ମୁହଁରେ ବିଜେଡିର ଏଭଳି ପ୍ରଶଂସାକୁ ନେଇ ରାଜନୈତିକ ମହଲରେ ହଟ୍ଟଚମଟ ସୃଷ୍ଟି ହୋଇଛି ।

ବିଜେଡିକୁ ଖୋଲାଖୋଲି ପ୍ରସଂଶା କରିଛନ୍ତି କଂଗ୍ରେସର ୟଙ୍ଗ ବିଧାୟକ ପ୍ରକାଶ ବେହେରା । କହିଛନ୍ତି ଆଜି ବି ଭଳ ସ୍ଥିତିରେ ରହିଛି ବିଜେଡି । ସରକାର ଗଢିଲା ଭଳି ସ୍ଥିତିରେ ମଧ୍ୟ ରହିଛି ବିଜେଡି । ଏଭଳି କହି ବିଜେଡ଼ିକୁ ବିଜୟୀ ସାର୍ଟିଫିକେଟ ଦେଇଛନ୍ତି ସାଲେପୁର ବିଧାୟକ ପ୍ରକାଶ ବେହେରା । ଆଗକୁ କଂଗ୍ରେସ ଓ ବିଜେଡି ମଧ୍ୟରେ ଲଢେଇ ହେବ । ଆଉ ବିଜେପି ତୃତୀୟରେ ରହିବ । ଅନ୍ୟପଟେ ରାଷ୍ଟ୍ରପତିଙ୍କୁ ର୍ଦୁବ୍ୟବହାର ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ କ୍ଲିନଚିଟ ଦେଇଛନ୍ତି ପ୍ରକାଶ । ସରକାରଙ୍କୁ ବଦନାମ କରିବା ପାଇଁ ଚେଷ୍ଟା କରାଯାଉଛି । ଆଉ ଏହି ଘଟଣା ପଛରେ ରହିଛି ରାଜନୈତିକ ଷଡଯନ୍ତ୍ର ।

ପ୍ରକାଶ ବେହେରାଙ୍କ ଏହି ବୟାନ ପଛରେ କଣ କାରଣ ରହିଛି । ନା ବିଜେଡିରେ ସାମିଲ ହେବେ ବୋଲି ଏଭଳି ସଂକେତ ଦେଇଛନ୍ତି ପ୍ରକାଶ । ନା ଆଗକୁ କିଛି ରାଜନୈତିକ ହଟଚମଟ ଦେଖିବାକୁ ମିଳିବ । ପୂର୍ବରୁ ପ୍ରକାଶ କଟକ ଜିଲ୍ଲା କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେଇ ଚର୍ଚ୍ଚାକୁ ଆସିଥିଲେ । ନିରଞ୍ଜନଙ୍କ ୱାନ ମ୍ୟାନ ୱାନ ପୋଷ୍ଟ ଆଧାରରେ ପ୍ରକାଶ ଜିଲ୍ଲା ସଭାପତି ପଦବୀରୁ ଇସ୍ତଫା ଦେଇଥିବା ନେଇ ଚର୍ଚ୍ଚା ହୋଇଥିଲା । ତେବେ ପ୍ରକାଶଙ୍କ ଏହି ବୟାନକୁ କିନ୍ତ ହାଲୁକା ଢ଼ଙ୍ଗରେ ଦେଖିଛନ୍ତି କଂଗ୍ରେସ ମଙ୍ଗୁଆଳ ନିରଂଜନ ପଟ୍ଟନାୟକ । ନିରଞ୍ଜନ କହିଛନ୍ତି, ବର୍ତମାନ କଂଗ୍ରେସର ସ୍ଥିତିକୁ ଦେଖି ପ୍ରକାଶ ଏଭଳି ବୟାନ ଦେଇଥିବେ ।

ଆଗକୁ ରହିଛି ୨୦୧୯ ଭଳି ଗୁରୁତ୍ୱପୂର୍ଣ୍ଣ ନିର୍ବାଚନ । ଆଉ ଏବେଠାରୁ ନେତାଙ୍କର ଦଳ ଡ଼ିଆଁ ପର୍ବ ଆରମ୍ଭ ହେଲାଣି ।ତେଣୁ ପ୍ରକାଶଙ୍କ ବିଜେଡିରେ ଯୋଗ ଦେବା ନେଇ ହେଉଥିବା ଚର୍ଚ୍ଚାର ସତ୍ୟାସତ୍ୟ କେତେ ରହିଛି ତାହା ଆଗାମୀ ଦିନରେ ସ୍ପଷ୍ଟ ହେବ । କିନ୍ତୁ ଏସବୁ ଭିତରେ ପ୍ରକାଶଙ୍କ ବିଜେଡିରେ ଯୋଗ ଦେବାକୁ ନେଇ ହେଉଥିବା ଚର୍ଚ୍ଚା ଉପରେ ବିଜେଡ଼ି କହିଛି ଏହାର ନିଷ୍ପତି ହାଇକମାଣ୍ଡ ନେବେ ।