କର୍ଣ୍ଣାଟକରେ ହାଇଭୋଲଟେଜ ଡ଼୍ରାମା ! କଂଗ୍ରେସର ଆଉ ଏକ ବିଧାୟକ ଗାଏବ, ପୂର୍ବରୁ ଦୁଇ ବିଧାୟକ ଥିଲେ ନିଖୋଜ

21

କର୍ଣ୍ଣାଟକ ରାଜନୀତିରେ ଘଡ଼ିକେ ଘୋଡ଼ା ଛୁଟୁଛି । ମୁଖ୍ୟମନ୍ତ୍ରୀ ଭାବେ ୟେଦୁୟୁରପ୍ପା ଶପଥ ନେଇଛନ୍ତି ସତ । କିନ୍ତୁ ଆଗକୁ ଏକ ବଡ଼ ଅଗ୍ନିପରୀକ୍ଷା ଅପେକ୍ଷା କରି ରହିଛି । ଆସ୍ଥା ଭୋଟରେ ବିଜୟୀ ହେବା ପାଇଁ ୟେଦୁରପ୍ପାଙ୍କ ନିକଟରେ ଆବଶ୍ୟକୀୟ ବିଧାୟକ ନାହାନ୍ତି । ଏଭଳିସ୍ଥଳେ ଅନ୍ୟ ଦଳର ବିଧାୟକଙ୍କ ଉପରେ ଏବେ ନଜର ପକାଇଛି ବିଜେପି । ଖାସକରି କଂଗ୍ରେସ ଓ ଜେଡ଼ିଏସ ବିଧାୟକଙ୍କୁ ପ୍ରଲୋଭିତ କରି ନିଜ ଆଡ଼କୁ ବିଜେପି ନେବାକୁ ଚାହୁଁଛି ବୋଲି ଅଭିଯୋଗ ହେଉଛି । ଆଉ ଏଭଳି ସମୟରେ କଂଗ୍ରେସକୁ ଲାଗିଛି ଜବରଦସ୍ତ ଝଟକା ।

ଇଗଲଟନ ରିସର୍ଟରୁ ଆଉ ଏକ କଂଗ୍ରେସ ବିଧାୟକ ଗାଏବ ହୋଇଛନ୍ତି ବୋଲି ଖବର ସାମ୍ନାକୁ ଆସିଛି । ପୂର୍ବରୁ ମଧ୍ୟ କଂଗ୍ରେସର ଦୁଇ ବିଧାୟକ ଗାଏବ ହୋଇଥିଲେ ।ରିସର୍ଟରୁ କଂଗ୍ରେସ ବିଧାୟକ ରାଜଶେଖର ପାଟିଲ ଦେହ ଅସୁସ୍ଥ ଥିବା କହି ବାହାରକୁ ଯାଇଥିଲେ । ଦୁଇ ଘଣ୍ଟା ମଧ୍ୟରେ ଫେରି ଆସିବେ ବୋଲି ମଧ୍ୟ କହିଥିଲେ । କିନ୍ତୁ ରିସର୍ଟରୁ ବାହାରିଯିବା ପରେ ରାଜଶେଖରଙ୍କ ସହ ଯୋଗାଯୋଗ ହୋଇପାରିନାହିଁ । ସେହିଭଳି ବେଲ୍ଲାରୀରୁ ନିର୍ବାଚିତ ହୋଇଥିବା କଂଗ୍ରେସ ବିଧାୟକ ଆନନ୍ଦ ସିଂହ ଗତକାଲି ଠାରୁ ଇଗଲଟନ ରିସର୍ଟରେ ପହଞ୍ଚିନାହାନ୍ତି । ଏହାଛଡ଼ା କଂଗ୍ରେସର ଅନ୍ୟ ଜଣେ ବିଧାୟକ ପ୍ରତାପ ଗୌଡ଼ା ପାଟିଲ ମଧ୍ୟ ଗତ କାଲି ଠାରୁ ଗାଏବ ରହିଛନ୍ତି ।

ସୁତ୍ର ଅନୁଯାୟୀ, ପ୍ରତାପ ଗୌଡ଼ା ପାଟିଲ ବିଜେପି ସହ ଯୋଗ ଦେଇଛନ୍ତି ବୋଲି ଚର୍ଚ୍ଚା ହେଉଛି । ତେବେ ଗତକାଲି ସେ କଂଗ୍ରେସ ସହ ଥିଲେ ଏପରିକି ସମର୍ଥନ ପତ୍ରରେ ମଧ୍ୟ ଦସ୍ତଖତ କରିଥିଲେ । କିନ୍ତୁ ହଠାତ୍ ଏଭଳି କଂଗ୍ରେସର ୩ ବିଧାୟକ ଗାଏବ ହେବା କର୍ଣ୍ଣାଟକ ରାଜନୀତିକୁ ଆହୁରି ଉଷ୍ମ କରିଛି । ପୂର୍ବରୁ ଜେଡ଼ିଏସ ବିଧାୟକ ମାନଙ୍କୁ ୧୦୦ କୋଟି ଲେଖାଏଁ ବିଜେପି ଅଫର ଦେଇଥିଲା ବୋଲି ଅଭିଯୋଗ ହୋଇଥିଲା ।