ରୁଦ୍ଧଦ୍ୱାରରେ କଂଗ୍ରେସ୍ ନେତା ! ମିଳିଲା ପିସିସି ସଭାପତି ପରିବର୍ତ୍ତନର ଆଭାସ

37

କନକ ବ୍ୟୁରୋ : ବିରୋଧୀଦଳ ନେତାଙ୍କ ଘରେ କଂଗ୍ରେସ୍ ନେତାଙ୍କ ମେଳି । ରୁଦ୍ଧଦ୍ୱାର ବୈଠକରେ ଯୋଗ ଦେଇଛନ୍ତି କିଛି ବିଧାୟକଙ୍କ ସମେତ ବରିଷ୍ଠ ନେତା । ସୂଚନା ଅନୁଯାୟୀ, ରାଷ୍ଟ୍ରପତି ନିର୍ବାଚନ କେବଳ ଏକ ଆଳ ମାତ୍ର । ହେଲେ ପିସିସି ସଭାପତି କିଏ ହେବ ତାକୁ ନେଇ ଚାଲିଥିଲା ବିଚାର ବିମର୍ଷ । ପୁଣି ଥରେ ଦିଲ୍ଲୀକୁ ବାର୍ତ୍ତା ଦେବାକୁ ଚେଷ୍ଟା କରାଯାଇଛି, କେବଳ ନିରଂଜନ ପଟ୍ଟନାୟକ ସଭାପତି ହେଲେ ହିଁ କଂଗ୍ରେସର ଭାଗ୍ୟରେ ଆସିବ ପରିବର୍ତ୍ତନ । ନେତାଙ୍କ ଭିତରେ ଆଉ ମନୋମାଳିନ୍ୟ ରହିବନି, ଏକତ୍ରିତ ହୋଇ ସମସ୍ତେ ସଂଗଠନ ମଜଭୁତ କରିବାକୁ କାମ କରିବେ । ଏଭଳି ରୁଦ୍ଧଦ୍ୱାର ଠିକ୍ ସେତେବେଳେ ହୋଇଛି, ଯେତେବେଳେ ଗଣମାଧ୍ୟମରେ ପୁଣି ପିସିସି ସଭାପତି ପଦ ନେଇ ଚର୍ଚ୍ଚା ଜୋର ଧରିଛି ।

ଗତ କିଛି ଦିନ ଧରି ନେତୃତ୍ୱ ତଥା ସଂଗଠନକୁ ନେଇ ରାଜ୍ୟ କଂଗ୍ରେସରେ ଚାଲିଛି ଟଣାଓଟରା । ଏପରିକି ବିଧାୟକ ଦଳ ଓ ପିସିସି ମଧ୍ୟରେ ଫାଟ ଜଳଜଳ ହୋଇ ଦେଖାଯାଉଛି । ନେତା ଦଳ ବିରୋଧରେ ବିଷୋଦଗାର କରୁଛନ୍ତି । ରାଷ୍ଟ୍ରପତି ନିର୍ବାଚନ ପାଇଁ ବୈଠକ କୁହାଯାଉଥିଲେ ମଧ୍ୟ ପିସିସି ସଭାପତି ପ୍ରସାଦ ହରିଚନ୍ଦନଙ୍କ ଅନୁପସ୍ଥିତି କିଛି ଅଲଗା ଦିଗକୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛି ।

ସୁଚନା ଅନୁସାରେ ନେତା ମାନେ ଏକାଠି ହୋଇ ଫୋନରେ ପୁଣିଥରେ ନିଜ ଦାବୀ ଦିଲ୍ଲୀ ନେତୃତ୍ୱଙ୍କୁ ଜଣାଇଛନ୍ତି । ତେଣୁ ପ୍ରଭାରୀ ଓ ସଭାପତି ପଦ କାହାକୁ ମିଳିବ ଓ ହାଇକମାଣ୍ଡ କଣ ନିଷ୍ପତି ନେବେ ଏବେ ତାକୁ ଅପେକ୍ଷା । ନିରଂଜନଙ୍କୁ ମଙ୍ଗ ଧରାଇ ଦଳକୁ ସଂଗଠିତ କରାଯାଉଛି ନା ହାଇକମାଣ୍ଡ ଆଉ କିଛି ଗୋଟିଚାଳନା କରୁଛନ୍ତି ।