କଂଗ୍ରେସରେ ଚାଲିଛି ମହାଭାରତ, ବହିଷ୍କୃତ ହୋଇପାରନ୍ତି ଦୁଇ ବିଧାୟକ! ଇଙ୍ଗିତ ଦେଲେ ପିସିସି ଶୃଙ୍ଖଳା କମିଟି ଅଧ୍ୟକ୍ଷ

941

କନକ ବ୍ୟୁରୋ : ପୁଣି ଚର୍ଚ୍ଚାରେ କଂଗ୍ରେସ ରାଜନୀତି । ଅପରାହ୍ନ ୪ଟା ସୁଦ୍ଧା କେଂଗ୍ରେସର ଦୁଇ ବିଧାୟକ ପ୍ରକାଶ ବେହେରା ଓ ଯୋଗେଶ ସିଂଙ୍କ ବିରୋଧରେ ନିଆଯିବ ଦୃଢ କାର୍ଯ୍ୟାନୁଷ୍ଠାନ । ଏଭଳି ଇଙ୍ଗିତ ଦେଇଛନ୍ତି ପିସିସି ଶୃଙ୍ଖଳା କମିଟି ଅଧ୍ୟକ୍ଷ ହେମାନନ୍ଦ ବିଶ୍ୱାଳ । ତେବେ କଂଗ୍ରେସର ଏହି ଦୁଇ ବିଧାୟକଙ୍କୁ ଦଳରୁ ବହିଷ୍କାର କରାଯିବ କି ନାହିଁ ତାହା ଅପରାହ୍ନ ୪ଟା ପରେ ସାମ୍ନାକୁ ଆସିବ ।

ଏହାଛଡା ନବ ଦାସ କଂଗ୍ରେସରୁ ଇସ୍ତଫା ଦେବା ଘଟଣାରେ ହେମାନନ୍ଦ କହିଛନ୍ତି, ସେ ଦଳରୁ ଇସ୍ତଫା ଦେବା ପୂର୍ବରୁ ତାଙ୍କୁ ଦଳ ବହିଷ୍କାର କରିଛି । ଏହାଛଡା ରାହୁଲଙ୍କ କାର୍ଯ୍ୟକ୍ରମରେ ବିଧାୟକ ଯୋଗେଶ ସିଂ ଯୋଗ ନଦେବା ପ୍ରଶ୍ନର ଉତ୍ତରରେ ହେମାନନ୍ଦ କହିଛନ୍ତି, ଯିଏ ପଳେଇବ ସେ ବୈଠକରେ ଯୋଗନଦେଲେ ଅସୁବିଧା କଣ । ପୂର୍ବରୁ ଉଭୟ ନବ ଓ ଯୋଗେଶ ରାହୁଲଙ୍କ ସଭାରେ ଯୋଗ ଦେବନି ବୋଲି ସ୍ପଷ୍ଟ କରିଥିଲେ । ଏପରିକି ତାଙ୍କ ପାଇଁ ହାଇକମାଣ୍ଡ ବଡ ନୁହଁନ୍ତି । ବରଂ ନିର୍ବାଚନମଣ୍ଡଳୀର ଲୋକ ବଡ ବୋଲି କହିଥିଲେ ।

କେବଳ ଯୋଗେଶ ନୁହେଁ ବରଂ ସାଲେପୁର ବିଧାୟକ ପ୍ରକାଶ ବେହେରା ମଧ୍ୟ ବିଜେଡିକୁ ପ୍ରଂଶସା କରିବା ସହ ହାଇକମାଣ୍ଡ ଯେଉଁଠୁ ଚାହିିଁବେ ନିର୍ବାଚନ ଲଢିବି ବୋଲି କହିଥିଲେ । ତେବେ ପ୍ରକାଶଙ୍କ ହାଇକମାଣ୍ଡଙ୍କ କିଏ ତାହା ସ୍ପଷ୍ଟ କରିନଥିଲେ । ନବଙ୍କ ପରେ ଏହି ଦୁଇ ବିଧାୟକଙ୍କ ବୟାନ ଇଙ୍ଗିତ କରିଥିଲା ଯେ, ଖୁବଶୀଘ୍ର ଏହି ଦୁଇ ନେତା ଦଳ ଛାଡୁଛନ୍ତି । ଆଉ ଏଭଳି ସ୍ଥିତିରେ ଏହି ଦୁଇ ନେତା ଦଳ ଛାଡିବା ପୂର୍ବରୁ ବିଶୃଙ୍ଖଳା ଆଚରଣ ପାଇଁ ଦଳ ଏମାନଙ୍କୁ ବହିଷ୍କାର କରିପାରେ ବୋଲି ଚର୍ଚ୍ଚା ହେଉଛି ।