ରାଜସ୍ଥାନରେ ରାଜେ ସରକାରଙ୍କୁ ହଟାଇ ରାଜ କରିବ କଂଗ୍ରେସ! ଏକଜିଟ୍ ପୋଲରୁ ମିଳିଲା ବଡ ସଂକେତ

250

କନକ ବ୍ୟୁରୋ : ୨୦୧୯ ନିବାର୍ଚନ ପୂର୍ବରୁ ୫ଟି ରାଜ୍ୟରେ ବିଧାନସଭା ନିବାର୍ଚନ ଏକଜିଟ ପୋଲ ସର୍ଭେ ରିପୋର୍ଟ ସାମନାକୁ ଆସିଛି । ରାଜସ୍ଥାନ,ତେଲେଂଗାନାରେ ମତଦାନ ଶେଷ ହେବା ପରେ ବିଭିନ୍ନ ସଂସ୍ଥା ତାଙ୍କର ସର୍ଭେ ରିପୋର୍ଟ ପ୍ରକାଶ କରିଛନ୍ତି । ସମସ୍ତଙ୍କ ସର୍ଭେ ରିପୋର୍ଟ ଅନୁଧ୍ୟାନ କଲେ ବିଜେପିକୁ ଏକ ବଡ ଧରଣର ଝଟକା ଲାଗିବ ବୋଲି ଅନୁମାନ କରାଯାଉଛି । ବିଭିନ୍ନ ସଂସ୍ଥାର ସର୍ଭେ ରିପୋର୍ଟ ଅନୁଯାୟୀ, ରାଜସ୍ଥାନରେ ବିଜେପି ସବୁଠୁ ଅଧିକ କ୍ଷତି ସହିବାକୁ ଯାଉଛି । ରାଜସ୍ଥାନରେ ଶାସକ ବିଜେପି ଠାରୁ କ୍ଷମତା ଛଡାଇ ନେଇପାରେ କଂଗ୍ରେସ । ଦେଖନ୍ତୁ କଣ କହୁଛି ସର୍ଭେ ରିପୋର୍ଟ ।

ଟାଇମସ ନାଓ-ସିଏନଏକ୍ସ ସର୍ଭେ ରିପୋର୍ଟ : ରାଜସ୍ଥାନରେ ୧୦୫ଟି ଆସନ ସହ ସରକାର ଗଢିପାରେ କଂଗ୍ରେସ, ବିଜେପିକୁ ୮୫ଟି ସିଟ୍ ମିଳିବା ସମ୍ଭାବନା । ଅନ୍ୟାନ୍ୟ ଦଳକୁ ମିଳିପାରେ ୯ଟି ଆସନ
ଟାଇମସ ନାଓ-ସିଏନଏକ୍ସ ସର୍ଭେ ରିପୋର୍ଟ : ରାଜସ୍ଥାନରେ ହଟିବ ରାଜେ ସରକାର, କଂଗ୍ରେସ ହାତରେ ରହିପାରେ ଶାସନ ଡୋରି ।
ଆଜତକ ସର୍ଭେ ରିପୋର୍ଟ : ବିଜେପି ଶିବିରରେ ଛନକା ପଶାଇଲା ଆଜତକ ସର୍ଭେ ରିପୋର୍ଟ, ରାଜସ୍ଥାନରେ ଫୁଟି ନପାରେ ପଦ୍ମ । ‘ରାଜେ’ ସରକାରକୁ ହଟାଇ ରାଜ କରିପାରେ କଂଗ୍ରେସ ।
ଆଜତକ ସର୍ଭେ ରିପୋର୍ଟ : ରାଜସ୍ଥାନରେ ମାଟି କାମୁଡିବ ବିଜେପି । ମୋଟ ୨୦୦ ଆସନରୁ ବିଜେପି ଖାତାକୁ ଯିବ ୫୫ରୁ ୭୨ଟି ସିଟ୍, କଂଗ୍ରେସ ୧୧୯ରୁ ୧୪୧ଟି ସିଟରେ ବିଜୟ ସହ ଗଢିବ ସରକାର ।
ରିପବ୍ଲିକ ଜନ୍ କି ବାତର ସର୍ଭେ ରିପୋର୍ଟ ବିଜେପିକୁ କିଛି ମାତ୍ରାରେ ଆଶ୍ୱସ୍ତି ଦେଇପାରେ । ଏହି ସଂସ୍ଥାର ସର୍ଭେ ରିପୋର୍ଟ ଅନୁଯାୟୀ, ବିଜେପି ଓ କଂଗ୍ରେସ ମଧ୍ୟରେ ଏଠାରେ କଡା ଟକ୍କର ହେବ । ତେବେ କିଏ ସରକାର ଗଢିବ ତାହା ଫଳାଫଳ ଆସିବା ପରେ ହିଁ ଜଣାପଡିବ । କାରଣ ଏହି ସର୍ଭେ ରିପୋର୍ଟ ଅନୁଯାୟୀ, ବିଜେପିକୁ ୮୩ରୁ ୧୦୩ଟି ଆସନ ମିଳିବାକୁ ଥିବା ବେଳେ କଂଗ୍ରେସକୁ ମଧ୍ୟ ୮୧ରୁ ୧୦୧ ଆସନ ମିଳିପାରେ । ତେବେ ଏଠାରେ ଅନ୍ୟାନ୍ୟ ଦଳ ସରକାର ଗଢିବାରେ ପ୍ରମୁଖ ଭୂମିକା ଗ୍ରହଣ କରି ପାରନ୍ତି ।
ନ୍ୟୁଜ ଏକ୍ସ, ନେତା ସର୍ଭେ ରିପୋର୍ଟ ଅନୁଯାୟୀ, ରାଜସ୍ଥାନରେ ଚଳିତ ଥର ଆଉ ପଦ୍ମ ଫୁଟିବନି । ୧୧୨ ଆସନ ସହ କଂଗ୍ରେସ ଏଠାରେ ସରକାର ଗଢିବ ବୋଲି ଏହି ସର୍ଭେ କହୁଛି । ସେହିଭଳି ବିଜେପି ୮୦ ଆସନ ହାତେଇବା ସହ ବିରୋଧୀ ଆସନରେ ବସିପାରେ ।