ବିଜେପୁର ପରାଜୟ ପରେ କଂଗ୍ରେସର ପୋଷ୍ଟମର୍ଟମ ! ନେତାଙ୍କ ଭିତରେ ଦୋଷ ଲଦାଲଦି । ପ୍ରଣୟୁଙ୍କ ପ୍ରାର୍ଥୀତ୍ୱକୁ ନେଇ ପ୍ରଶ୍ନ ଉଠାଇଲେ ଚୟନ କମିଟି ଅଧ୍ୟକ୍ଷ ହେମାନନ୍ଦ ବିଶ୍ୱାଳ

52

କନକ ବ୍ୟୁରୋ: ନିକଟରେ ଶେଷ ହୋଇଥିବା ବରଗଡ଼ ଜିଲ୍ଲା ବିଜେପୁର ବିଧାନସଭା ଉପ ନିର୍ବାଚନରେ କଂଗ୍ରେସ ଅମାନତ ଭାବରେ ହାରିଛି । ବିପର୍ଯ୍ୟୟ ନେଇ ଶୁକ୍ରବାର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳ ନିଜର ମନ୍ତବ୍ୟ ଦେଇଛନ୍ତି । ସେ କହିଛନ୍ତି, କଂଗ୍ରେସ ପକ୍ଷରୁ ବିଜେପୁରରେ ଭୁଲ ପ୍ରାର୍ଥୀଙ୍କୁ ବଛାଯାଇ ଥିଲା । ବିଶ୍ୱାଳ କହିଛନ୍ତି, ବିଜେପୁର ଉପ ନିର୍ବାଚନରେ ଦଳୀୟ ପ୍ରାର୍ଥୀ ଭାବରେ ଆମେ ରିପୁନାଥ ସେଠୀଙ୍କ ନାମ ସୁପାରିଶ କରିଥିଲୁ କିନ୍ତୁ ଅଖିଳ ଭାରତୀୟ କଂଗ୍ରେସ କମିଟି ଦ୍ୱାରା ପ୍ରଣୟ ସାହୁଙ୍କୁ ପ୍ରାର୍ଥୀ ବାଛି ଥିଲା ।

ବିଜେପୁର ପରାଜୟ ପରେ କଂଗ୍ରେସର ପୋଷ୍ଟମର୍ଟମ । ନେତାଙ୍କ ଭିତରେ ଦୋଷ ଲଦାଲଦି । ପ୍ରଣୟ ସାହୁଙ୍କ ପ୍ରାର୍ଥୀତ୍ୱକୁ ନେଇ ପ୍ରଶ୍ନ ଉଠାଇଲେ ଚୟନ କମିଟି ଅଧ୍ୟକ୍ଷ ହେମାନନ୍ଦ ବିଶ୍ୱାଳ । ହେମାନନ୍ଦଙ୍କ ମନ୍ତବ୍ୟ ପରେ ଏକ ବଡ ବିତର୍କ ସୃଷ୍ଟି କରିଛି । କାରଣ ହେମାନନ୍ଦ କହିଛନ୍ତି ବିଜେପୁର ପାଇଁ ଚୟନ କମିଟି ପ୍ରଣୟ ସାହୁଙ୍କ ପରିବର୍ତେ ରିପୁନାଥ ସେଠଙ୍କୁ ଅଗ୍ରାଧିକାର ଦେଇଥିଲା । ପ୍ରାର୍ଥୀ କରିବା ଲାଗି ରିପୁନାଥଙ୍କ ନାଁକୁ ସୁପାରିଶ କରିଥିଲା । କାରଣ ବ୍ଲକ ସ୍ତରରେ ସୀମିତ ଥିବା ପ୍ରଣୟଙ୍କ ପରି ଜଣେ ନେତା ବିଜେଡି ଓ ବିଜେପିକୁ ସାମ୍ନା କରିବାକୁ ସମର୍ଥ ନଥିଲେ । ପୂର୍ବତନ ମନ୍ତ୍ରୀ ଓ ବିଧାୟକ ରିପୁନାଥ ସେଠଙ୍କ ଭଳି ଜଣେ ଲଢୁଆ ନେତା ଦୁଇ ଦଳକୁ ମୁକାବିଲା କରିବାରେ ଅଧିକ ସମର୍ଥ ଥିଲେ ବୋଲି କହିଛନ୍ତି ହେମାନନ୍ଦ । ତେବେ ଶେଷ ମୁହୂର୍ତରେ କାହିଁକି ପ୍ରଣୟଙ୍କ ନାଁକୁ ଚୂଡାନ୍ତ କରାଗଲା, ସେନେଇ ସେ ସନ୍ଦେହ ପ୍ରକାଶ କରିଛନ୍ତି ।

ସେପଟେ ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖି କଂଗ୍ରେସର ପରାଜିତ ପ୍ରାର୍ଥୀ ପ୍ରଣୟ ସାହୁ ଦଳୀୟ ଦୁର୍ବଳତାକୁ ପରାଜୟ ପାଇଁ ଦାୟୀ କରିଛନ୍ତି । ଆର୍ଥିକ ଦୃଷ୍ଟିରୁ ବିଜେପି ଓ ବିଜେଡି ସହ ଲଢିବା ସମ୍ଭବ ହେଲାନାହିଁ ବୋଲି ସେ କହିଛନ୍ତି । ଏପରିକି ଦଳର ତୁଙ୍ଗ ନେତାମାନେ ବିଜେପୁରରେ କର୍ମୀଙ୍କୁ ଏକଜୁଟ କରି ବରାବର ଲଢେଇ ପାଇଁ ପ୍ରସ୍ତୁତ କରିପାରିଲେ ନାହିଁ ବୋଲି ସେ ପ୍ରତିକ୍ରିୟାରେ କହିଛନ୍ତି ।

ବିଜେପୁର ପରାଜୟ ନେଇ ବିଜେପିରେ ବୟାନବାଜି ଆରମ୍ଭ ହୋଇଛି । ଏ ନେଇ ଆଜି ବିଜୟ ମହାପାତ୍ର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ବିଜେପୁର ପରାଜୟ ଅତି ଗର୍ବେ ହତ ଲଙ୍କା । ରାଜନୀତିରେ ଗର୍ବ ଓ ଅଂହକାରର ସ୍ଥାନ ନାହିଁ କହିଛନ୍ତି ବିଜୟ । ଭଗବାନ ତାଙ୍କୁ ସଦବୁଦ୍ଧି ଦିଅନ୍ତୁ । ବିପର୍ଯ୍ୟୟ ସର୍ବଦା ପରବର୍ତନ ଆଣେ । ଏହାର ରୂପରେଖ ଏବେଠୁ ଆକଳନ କରିବା କଷ୍ଟ । ସେପଟେ କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ ବି ବିଜେପୁର ପରାଜୟ ନେଇ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ଆମେ ହାରିଛୁ । କିନ୍ତୁ ମରିନୁ । ଲଢେଇ ପାଇଁ ପ୍ରସ୍ତୁତ ହେଉଛୁ । କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକ ବିଜେପୁର ନେଇ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ପରାଜୟରେ କଂଗ୍ରେସ ହତୋତ୍ସାହ ହେବା ସ୍ୱାଭାବିକ । ଅତୀତରେ ଦଳ ଏଭଳି ପରାଜୟ ସ୍ୱୀକାର କରିନଥିଲା । ଦଳରେ ନେତୃତ୍ୱ ଗୁରୁତପୂର୍ଣ୍ଣ ନୁହେଁ । ୨୦୧୯ ବେଳକୁ କଂଗ୍ରେସ ଏକ ନମ୍ବର ହେବ ନ ହେଲେ ସଂପୂର୍ଣ୍ଣ ସଫା ହୋଇଯିବ । ପିସିସି ସଭାପତି ପଦ ଚର୍ଚ୍ଚା ନେଇ ନିରଞ୍ଜନ କହିଛନ୍ତି, ମୁକୁଟ ମୋତେ ମିଳିବ କି ନାହିଁ ଜାଣିନି । ମୋ ନାଁ ୨ ବର୍ଷ ଆଗରୁ ଚର୍ଚ୍ଚାରେ ଅଛି ।

ସୂଚନାଯୋଗ୍ୟ, ଉପ ନିର୍ବାଚନରେ ବିଜେଡି ପ୍ରାର୍ଥୀ ରୀତା ସାହୁ ତାଙ୍କ ନିକଟତମ ପ୍ରତିନ୍ଦ୍ୱନ୍ଦ୍ୱୀ ଅଶୋକ ପାଣିଗ୍ରାହୀଙ୍କୁ ବିପୁଳ ୪୧,୯୩୩ ଖଣ୍ଡ ଭୋଟ୍ ବ୍ୟବଧାନରେ ପରାସ୍ତ କରିବା ସହିତ ବିଜେପୁରର ନୂତନ ବିଧାୟିକା ଭାବେ ନିର୍ବାଚିତ ହୋଇଥିଲେ । ରୀତା ସାହୁ ୧,୦୨,୮୭୧ ଖଣ୍ଡ ଭୋଟ୍ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀ ୬୦,୯୩୮ ଖଣ୍ଡ ଭୋଟ୍ ମିଳିଥିଲା । ସେହିପରି କଂଗ୍ରେସ ପ୍ରାର୍ଥୀ ପ୍ରଣୟ ସାହୁଙ୍କୁ ୧୦,୨୭୪ ଖଣ୍ଡ ଭୋଟ୍ ମିଳିଥିଲା । ଏହି ନିର୍ବାଚନରେ ୧୩ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରିଥିବା ବେଳେ ସେମାନଙ୍କ ମଧ୍ୟରୁ କଂଗ୍ରେସ ପ୍ରାର୍ଥୀ ପ୍ରଣୟ ସାହୁଙ୍କ ସହିତ ମୋଟ୍ ୧୧ ଜଣ ପ୍ରାର୍ଥୀ ଅମାନତ ହାରିଥିଲେ ।