ନବ ଓ ଯୋଗେଶଙ୍କୁ କଂଗ୍ରେସ ବିଧାୟକ ପ୍ରଫୁଲ୍ଲ ମାଝୀଙ୍କ ସତର୍କବାଣୀ । କହିଲେ, ଦଳ ଛାଡିଲେ ଭୂପିନ୍ଦର ଓ ଅନୁପ ସାଏ ଭଳି ହେବ ଅବସ୍ଥା

625

କନକ ବ୍ୟୁରୋ: ନବଦାସ ଓ ଯୋଗେଶ ସିଂଙ୍କୁ ସତର୍କବାଣୀ ଶୁଣାଇଛନ୍ତି କଂଗ୍ରେସ ନେତା ପ୍ରଫୁଲ୍ଲ ମାଝି । ସେ କହିଛନ୍ତି ଦଳ ଛାଡିଲେ ଭୂପିନ୍ଦର ସିଂହ ଓ ଅନୁପ ସାଏଙ୍କ ଭଳି ଦଶା ଭୋଗିବେ । ବିଜେଡିରେ ୨ ନେତା ସାମିଲ ହେଉଥିବା ଚର୍ଚ୍ଚା ଉପରେ ପ୍ରତିକ୍ରିୟା ରଖି ଏହା କହିଛନ୍ତି ତଲସରା ବିଧାୟକ । ସେ କହିଛନ୍ତି ଉଭୟ ନେତା ଦଳରେ ରହି ଦଳ ବିରୋଧରେ କହିବା ଠିକ୍ ନୁହେଁ ।

ନବଦାସ ଓ ଯୋଗେଶ ସିଂ କଂଗ୍ରେସ ଛାଡିବା ଦଳ ପାଇଁ କ୍ଷଣିକ କ୍ଷତି । ଏପରିକି ତାଙ୍କର ଦଳ ପରିବର୍ତ୍ତନ ନିର୍ବାଚନ ଉପରେ କୌଣସି ପ୍ରଭାବ ପକାଇବ ନାହିଁ । କାରଣ କଂଗ୍ରେସ ଦଳକୁ କୌଣସି ମହାସମୁଦ୍ର କହିଲେ କିଛି ଭୁଲ ହେବନି, ସମୁଦ୍ରରେ ଯେଭଳି ଅନେକ ନଦୀ ମିଶନ୍ତି ଠିକ୍ ସେଭଳି ଆପଣ ଦେଖିବେ ଦଳବଦଳ କରୁଥିବା ନେତା-ମନ୍ତ୍ରୀମାନେ ତଥା ବିଜେଡିରୁ ବି ଅନେକ ନେତା-ମନ୍ତ୍ରୀମାନେ କଂଗ୍ରେସରେ ସାମିଲ ହେବେ । ସେହିପରି ଅନ୍ୟଦଳରେ ତାଙ୍କ ଯୋଗଦେବା ଚର୍ଚ୍ଚା ଉପରେ ମଧ୍ୟ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ପ୍ରଫୁଲ୍ଲ ମାଝି । ସେ କହିଛନ୍ତି ସେ କୌଣସି ଦଳକୁ ଯିବେ ନାହିଁ । କଂଗ୍ରେସ ଅଛନ୍ତି, କଂଗ୍ରେସରେ ରହିବେ ଓ ଦଳ ପାଇଁ ଲଢିବେ ।

ସେପଟେ ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ କହିଛନ୍ତି, ଯେଉଁମାନେ ଦଳ ଛାଡୁଛନ୍ତି ସେମାନେ ଅଗାଡି । ଯିଏ ଦଳ ଛାଡି ଯିବା କଥା ଯାନ୍ତୁ ବୋଲି ସୁର ରାଉତରାୟ କହିଛନ୍ତି ।

ଉଲ୍ଲେଖ ଥାଉ କି, ମୁଖ୍ୟମନ୍ତ୍ରୀଙ୍କ ଝାରସୁଗୁଡ଼ା ଗସ୍ତ ସମୟରେ କଂଗ୍ରେସର କାର‌୍ୟ୍ୟକାରୀ ସଭାପତି ନବ ଦାସ, ବିଜେଡିରେ ଯୋଗ ଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି ।କାହିଁକି ନା ବିଗତ କିଛି ଦିନ ଭିତରେ ନବ ଦାସଙ୍କ ଯେତେ ସବୁ ବୟାନ୍ ଆସିଛି, ସବୁ ବୟାନ୍ ଭିତରେ ଯଦି କୌଣସି ଗୋଟିଏ କଥା ସ୍ଥିର ଥାଏ, ତାହା ହେଉଛି-ଝାରସୁଗୁଡ଼ା ଜନତା ଯାହା ଚାହିଁବେ ତାକୁ ସେ ଗ୍ରହଣ କରିବେ । ଅର୍ଥାତ୍ ଝାରସୁଗୁଡ଼ାବାସୀଙ୍କ ଇଚ୍ଛାକୁ ଆଳ କରି ନବ ଦାସ, କଂଗ୍ରେସର ହାତ ଛାଡି ବିଜେଡି ଆଡକୁ ଢଳୁଛନ୍ତି । ଏପରିକି ନବଙ୍କ ପୋଷ୍ଟରରେ ନବୀନଙ୍କ ଫଟୋ ମଧ୍ୟ ସ୍ଥାନ ପାଇଛି । ଝାରସୁଗୁଡାରେ ଏବେ ବିଭିନ୍ନ ଯାଗାରେ ଗୋଟିଏ ପୋଷ୍ଟରରେ ନବ ଦାସ ଓ ନବୀନ ପଟ୍ଟନାୟକଙ୍କୁ ଦେଖିବାକୁ ମିଳିଛି । ଆସନ୍ତା ୨୪ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଝାରସୁଗୁଡା ଯିବାର କାର୍ଯ୍ୟକ୍ରମ ରହିଛି । ଏହି ଅବସରରେ ନବ ଦାସ ବିଜେଡିରେ ଯୋଗଦେବା ନେଇ ଚର୍ଚ୍ଚା ହେଉଛି ।

ସେପଟେ, ନବ ଦାସଙ୍କ ରାସ୍ତାରେ ଚାଲିଛନ୍ତି ବିଧାୟକ ଯୋଗେଶ ସିଂହ । ଏବେ ସୁନ୍ଦରଗଡର ବିଧାୟକ ଯୋଗେଶ ସିଂହଙ୍କ ବୟାନ ଦଳ ଛାଡିବା ରହସ୍ୟକୁ ବଢାଇଦେଇଛନ୍ତି । ସେ କହିଛନ୍ତି, ୨୫ ତାରିଖରେ ରାହୁଲଙ୍କ ସଭାକୁ ସେ ଯିବାର ନାହିଁ । ଏହି କାର୍ଯ୍ୟକ୍ରମ ବିଳମ୍ବରେ ସ୍ଥିର ହେଲା । ଦଳୀୟ ହାଇକମାଣ୍ଡ ମୋ ପାଇ ବଡ ନୁହନ୍ତି । ସେ ସମୟରେ ମୋ ନିର୍ବାଚନ ଣ୍ଡଳୀରେ କାର୍ଯ୍ୟକ୍ରମରେ ଯୋଗଦେବି । ଆଉ ଲୋକ ହିଁ ହେଉଛନ୍ତି ମୋର ହାଇକମାଣ୍ଡ । ତେବେ ଯୋଗେଶଙ୍କ ଏହି ବୟାନ ପରେ କଂଗ୍ରେସରେ ଚର୍ଚ୍ଚା ବଢିଛି ।