ଦେଶବ୍ୟାପି କଂଗ୍ରେସ ପାଳୁଛି ‘ବିଶ୍ୱାସଘାତ ଦିବସ’ । ମୋଦିଙ୍କୁ ଘେରିବା ପାଇଁ ପ୍ରଦେଶ କଂଗ୍ରେସର ପ୍ରସ୍ତୁତି । ଆଜି ଭୁବନେଶ୍ୱର ଆସୁଛନ୍ତି ବରିଷ୍ଠ କଂଗ୍ରେସ ନେତା କପିଲ ଶିବଲ

35

କନକ ବ୍ୟୁରୋ: ଗୋଟିଏ ପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଓଡିଶା ଆସୁଥିବା ବେଳେ ଅନ୍ୟପଟେ ଆଜି ବିଶ୍ୱାସଘାତ ଦିବସ ପାଳୁଛି କଂଗ୍ରେସ । ବର୍ଦ୍ଧିତ ପେଟ୍ରୋଲ, ଡିଜେଲ ଦରକୁ ନେଇ ବିଜେପି ବିରୋଧୀ ଆଭିମୁଖ୍ୟକୁ ଜୋରଦାର କରିଥିବା କଂଗ୍ରେସ ଆଜି ପାଳୁଛି ବିଶ୍ୱାସଘାତ ଦିବସ । ଦଳର ଅଭିଯୋଗ, ଯେଉଁସବୁ ପ୍ରତିଶ୍ରୁତି ଦେଇ କେନ୍ଦ୍ରରେ ମୋଦି ସରକାର କ୍ଷମତାକୁ ଆସିଥିଲେ ତାହାକୁ ପୂରଣ କରିନାହାନ୍ତି ବରଂ ଦେଶବାସୀଙ୍କ ପ୍ରତି କରିଛନ୍ତି ବିଶ୍ୱାସଘାତ । ତେଣୁ ୨୬ ତାରିଖକୁ ଦେଶବ୍ୟାପୀ ବିଶ୍ୱାସଘାତ ଦିବସ ଭାବେ ପାଳନ କରିବାକୁ ନିଷ୍ପତି ନେଇଛି କଂଗ୍ରେସ । ଓଡିଶାରୁ ନିଜ ସରକାରର ୪ବର୍ଷର ହିସାବ ଦେବାକୁ ଆସୁଥିବାରୁ ମୋଦିଙ୍କୁ ଘେରିବା ପାଇଁ ପ୍ରସ୍ତୁତି କରିଛି ପ୍ରଦେଶ କଂଗ୍ରେସ । ଏହି କ୍ରମରେ ଆଜି ଭୁବନେଶ୍ୱର ଆସୁଛନ୍ତି ବରିଷ୍ଠ କଂଗ୍ରେସ ନେତା କପିଲ ଶିବଲ ।

ପିସିସିର ସୂଚନା ଅନୁସାରେ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା କପିଲ ଶିବଲ ଓଡିଶା ଆସି ବିଶ୍ୱାସଘାତ ଦିବସରେ ଉଦବୋଧନ ଦେବେ । ଏଥିପାଇଁ କଂଗ୍ରେସ ଭବନରେ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଉଛି । ଗୋଟିଏ ପଟେ କର୍ଣ୍ଣାଟକରେ ବିଜେପିକୁ କ୍ଷମତାରୁ ଦୂରେଇ ରଖିବାରେ ସମର୍ଥ ହୋଇଥିବା କଗ୍ରେସକୁ ବଳ ମିଳିଛି । ଅନ୍ୟପଟେ କଟକରେ ପ୍ରଧାନମନ୍ତ୍ରୀ ମୋଦି କେନ୍ଦ୍ର ସରକାରଙ୍କ ୪ବର୍ଷର ହିସାବ ଦେଉଥିବାବେଳେ ଭୁବନେଶ୍ୱରରେ କପିଲ ଶିବଲ ତାଙ୍କୁ ଘେରିବାକୁ ରଣନୀତି ପ୍ରସ୍ତୁତ କରିଛି ରାଜ୍ୟ କଂଗ୍ରେସ । ଯାହା ଆଗାମୀ ସାଧାରଣ ନିର୍ବାଚନ ପାଇଁ ଦଳର ମନୋବଳକୁ ବଢାଇବ ବୋଲି ଦଳୀୟ ନେତା ଆଶା କରୁଛନ୍ତି ।