୪ବର୍ଷ ଶାସନର ହିସାବ ଦେବାକୁ ଓଡିଶା ଆସୁଛନ୍ତି ମୋଦି: ସେପଟେ ପ୍ରଧାନମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରିବ କଂଗ୍ରେସ, ପ୍ରସ୍ତୁତ ହେଲା ୩୫ ଫୁଟର ୧୦ ମୁଣ୍ଡିଆ ପ୍ରତିକୃତି

72

କନକ ବ୍ୟୁରୋ: ବର୍ଦ୍ଧିତ ପେଟ୍ରୋଲ, ଡିଜେଲ ଦରକୁ ନେଇ ବିଜେପି ବିରୋଧୀ ଆଭିମୁଖ୍ୟକୁ ଜୋରଦାର କରିଥିବା କଂଗ୍ରେସ ଆଜି ପାଳୁଛି ବିଶ୍ୱାସଘାତ ଦିବସ । କଟକରେ ମୋଦି ୪ବର୍ଷ ଶାସନର ହିସାବ ଦେବାକୁ ଆସୁଥିବାବେଳେ କଂଗ୍ରେସ ପ୍ରସ୍ତୁତ କରିଛି ମୋଦିଙ୍କ ଏକ ୩୫ ଫୁଟର କୁଶତ୍ତଳିକା । ରାବଣ ଢାଂଚାରେ ତିଆରି ଏହି ୧୦ ମୁଣ୍ଡିଆ ପ୍ରତିକୃତିରେ ପ୍ରଧାମନ୍ତ୍ରୀ ମୋଦିଙ୍କ ସହ ରହିଛି କେନ୍ଦ୍ରମନ୍ତ୍ରୀମାନଙ୍କ ଫଟୋ ।

ବରିଷ୍ଠ କଂଗ୍ରେସ ନେତା କପିଲ ଶିବଲ ଆସିବା ପରେ ଏହି ପ୍ରତିକୃତିରେ ନିଆଁ ଲଗାଇ ମୋଦି ସରକାରଙ୍କୁ ପ୍ରତିକାତ୍ମକ ବିରୋଧ ପ୍ରଦର୍ଶନ କରିବେ । ଏହି ପ୍ରତିକୃତିରେ ମୋଦି ସରକାରଙ୍କୁ ସମାଲୋଚନା କରି ଅତି କଡାକଥା ମଧ୍ୟ ଲେଖାଯାଇଛି । ଦଳର ଅଭିଯୋଗ, ଯେଉଁସବୁ ପ୍ରତିଶ୍ରୁତି ଦେଇ କେନ୍ଦ୍ରରେ ମୋଦି ସରକାର କ୍ଷମତାକୁ ଆସିଥିଲେ ତାହାକୁ ପୂରଣ କରିନାହାନ୍ତି । ବରଂ ଦେଶବାସୀଙ୍କ ପ୍ରତି କରିଛନ୍ତି ବିଶ୍ୱାସଘାତ । ତେଣୁ ୨୬ ତାରିଖକୁ ଦେଶବ୍ୟାପୀ ବିଶ୍ୱାସଘାତ ଦିବସ ଭାବେ ପାଳନ କରିବାକୁ ନିଷ୍ପତି ନେଇଛି କଂଗ୍ରେସ ।

ଓଡିଶାରୁ ନିଜ ସରକାରର ୪ବର୍ଷର ହିସାବ ଦେବାକୁ ଆସୁଥିବାରୁ ମୋଦିଙ୍କୁ ଘେରିବା ପାଇଁ ପ୍ରସ୍ତୁତି କରିଛି ପ୍ରଦେଶ କଂଗ୍ରେସ । ଏହି କ୍ରମରେ ଆଜି ଭୁବନେଶ୍ୱର ଆସୁଛନ୍ତି ବରିଷ୍ଠ କଂଗ୍ରେସ ନେତା କପିଲ ଶିବଲ । ପିସିସିର ସୂଚନା ଅନୁସାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା କପିଲ ଶିବଲ ଓଡିଶା ଆସି ବିଶ୍ୱାସଘାତ ଦିବସରେ ଉଦବୋଧନ ଦେବେ । ଏଥିପାଇଁ କଂଗ୍ରେସ ଭବନରେ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଉଛି । ଏଥିସହ ଖୋର୍ଦ୍ଧା ଏଡିଏମ ଏଫିସ ଆଗରେ ବିକ୍ଷୋଭ କରୁଛି ଦଳ । ଗୋଟିଏ ପଟେ କର୍ଣ୍ଣାଟକରେ ବିଜେପିକୁ କ୍ଷମତାରୁ ଦୂରେଇ ରଖିବାରେ ସମର୍ଥ ହୋଇଥିବା କଗ୍ରେସକୁ ବଳ ମିଳିଛି । ଅନ୍ୟପଟେ କଟକରେ ପ୍ରଧାନମନ୍ତ୍ରୀ ମୋଦି କେନ୍ଦ୍ର ସରକାରଙ୍କ ୪ବର୍ଷର ହିସାବ ଦେଉଥିବାବେଳେ ଭୁବନେଶ୍ୱରରେ କପିଲ ଶିବଲ ତାଙ୍କୁ ଘେରିବାକୁ ରଣନୀତି ପ୍ରସ୍ତୁତ କରିଛି ରାଜ୍ୟ କଂଗ୍ରେସ । ଯାହା ଆଗାମୀ ସାଧାରଣ ନିର୍ବାଚନ ପାଇଁ ଦଳର ମନୋବଳକୁ ବଢାଇବ ବୋଲି ଦଳୀୟ ନେତା ଆଶା କରୁଛନ୍ତି ।