ଏଆଇସିସିର ଡାକରା ପରେ ରାଜ୍ୟ କଂଗ୍ରେସ ନେତାଙ୍କ ଦିଲ୍ଲୀ ଚଲୋ ! କ୍ୟାପଟେନ ପରିବର୍ତ୍ତନ ପାଇଁ କାଲି ରାହୁଲଙ୍କ ସହ ହେବ ଆଲୋଚନା

32

କନକ ବ୍ୟୁରୋ : ରାଜ୍ୟ କଂଗ୍ରେସ ନେତାଙ୍କ ଦିଲ୍ଲୀ ଚଲୋ । ଦିଲ୍ଲୀରୁ ଡାକରା ପାଇବା ପରେ ରାଜ୍ୟ କଂଗ୍ରେସ ନେତା ଆଜି ଦିଲ୍ଲୀ ଯାତ୍ରା କରିଛନ୍ତି । ସହ ପ୍ରଭାରୀ ଶୁଭଙ୍କର ସରକାରଙ୍କ ସହ ଦିଲ୍ଲୀ ଯାତ୍ରା କରିଛନ୍ତି କଂଗ୍ରେସ ନେତା । ଆସନ୍ତାକାଲି ଏହି ନେତାମାନେ ଦିଲ୍ଲୀରେ କଂଗ୍ରେସ ଉପସଭାପତି ରାହୁଲ ଗାନ୍ଧିଙ୍କୁ ଭେଟିବେ । ଶନିବାର ଦିନ ଏଆଇସିସି ପକ୍ଷରୁ ରାଜ୍ୟର ୩୦ରୁ ଅଧିକ ନେତାଙ୍କୁ ଦିଲ୍ଲୀରୁ ଡାକରା ଆସିଥିଲା ।

ରାଜ୍ୟ କଂଗ୍ରେସର ସ୍ଥିତି ସମ୍ପର୍କରେ ସମୀକ୍ଷା କରିବା ପାଇଁ ଗତମାସରେ ଏଆଇସିସି ପର୍ଯ୍ୟବେକ୍ଷକ ଭୁବନେଶ୍ୱର ଆସିଥିଲେ । ଏହି ସମୟରେ ପିସିସି ନେତୃତ୍ୱ ପରିବର୍ତନ ଦାବି ଜୋର ଧରିଥିଲା । ଏଆଇସିସି ପର୍ଯ୍ୟବେକ୍ଷକ ବିଭିନ୍ନ ବର୍ଗର ନେତାଙ୍କ ସହ ରାଜ୍ୟ କଂଗ୍ରେସକୁ ସୁଦୃଢ କରିବା ନେଇ ଆଲୋଚନା କରିଥିଲେ । ପର୍ଯ୍ୟବେକ୍ଷକଙ୍କ ଆଗରେ ରାଜ୍ୟର ଅଧିକାଂଶ ବିଧାୟକ ଓ ନେତା ନିରଞ୍ଜନ ପଟ୍ଟନାୟକଙ୍କୁ ରାଜ୍ୟ କଂଗ୍ରେସର ମଙ୍ଗୁଆଳ କରିବାକୁ ଦାବି କରିଥିଲେ । ଆଉ ଖୋଲାଖୋଲି ପିସିସି ସଭାପତି ପ୍ରସାଦ ହରିଚନ୍ଦନଙ୍କୁ ବିରୋଧ କରିଥିଲେ । ଏହି ଦଳ ଦିଲ୍ଲୀ ଯାଇ ରାଜ୍ୟ କଂଗ୍ରେସ ସ୍ଥିତି ସମ୍ପର୍କରେ ହାଇକମାଣ୍ଡଙ୍କୁ ରିପୋର୍ଟ ଦେବା ପରେ ଏଆଇସିସି ପକ୍ଷରୁ ଏହି ଡାକରା ଆସିଛି ।

ତେବେ ରାଜ୍ୟ କଂଗ୍ରେସର କ୍ୟାପଟେନ ପଦ ପରିବର୍ତ୍ତନ ପାଇଁ ପୂର୍ବରୁ ଅନେକ ସମୟରେ ଦିଲ୍ଲୀରେ ଦାବି ଉଠିଛି । ଏଥିପାଇଁ ଅନେକଥର ଅଧିକାଂଶ ବିଧାୟକ ଓ ନେତା ମେଳି ହୋଇ କଂଗ୍ରେସ ସଭାପତିଙ୍କୁ ମଧ୍ୟ ଭେଟିଛନ୍ତି । କିନ୍ତୁ ସବୁପରେ ବି ଫଳ ଶୂନ୍ । କିନ୍ତୁ ଏବେ ବିଧାୟକ ଦଳ ପିସିସି ସଭାପତିଙ୍କ ବିରୋଧରେ ଦେଇଛନ୍ତି ଋଣହୁଙ୍କାର । ଗତ ପଂଚାୟତ ନିର୍ବାଚନରେ କଂଗ୍ରେସର ବିଫଳତା ପରେ ପିସିସିର ନେତୃତ୍ୱ ପରିବର୍ତନ ଦାବି ଜୋର ଧରିଥିଲା । ପ୍ରସାଦଙ୍କୁ ହଟାଇ ନିରଞ୍ଜନକୁ ରାଜ୍ୟ କଂଗ୍ରେସର କ୍ୟାପଟେନ ଦାୟିତ୍ୱ ଦିଆଯାଉ ନଚେତ୍ ରାଜ୍ୟରେ କଂଗ୍ରେସ ଦଳ ରହିବ ନାହିଁ ବୋଲି କିଛି ବିଧାୟକ ମାନେ କହିଛନ୍ତି ।

ତେବେ ନିଜ ଗାଦି ବଞ୍ଚାଇବା ପାଇଁ ଏଆଇସିସି ପର୍ଯ୍ୟବେକ୍ଷକ ଆସିବା ପୂର୍ବରୁ ବିଧାୟକଙ୍କ ବିରୋଧରେ ପ୍ରସାଦ ରଚିଥିଲେ ଚକ୍ରବ୍ୟୁହ । ବିଧାୟକ କିମ୍ବା କୌଣସି ନେତା ଯେପରି ଏକାଠି ହୋଇ ପର୍ଯ୍ୟବେକ୍ଷକଙ୍କୁ ଭେଟି ନ ପାରିବେ ସେ ନେଇ ଯୋଜନା ପ୍ରସ୍ତୁତ କରିଥିଲେ ପ୍ରସାଦ । ବିଧାୟକ ଥିବା ଜିଲ୍ଲା ସଭାପତି ଥରେ ମାତ୍ର ପର୍ଯ୍ୟବେକ୍ଷକଙ୍କୁ ଭେଟିବେ ବୋଲି ଜାରି କରିଥିଲେ ଫତୱା ।
ହେଲେ ଏହା ବିରୋଧରେ ଗର୍ଜିଥିଲା ବିଧାୟକ ଦଳ । ଫତୱା ବିରୋଧରେ ଶକ୍ତି ପ୍ରଦର୍ଶନ କଲେ ବିଧାୟକ ।

ବିରୋଧୀ ଦଳ ନେତାଙ୍କ ଘରେ ଚକ୍ରବ୍ୟୁହ ଭେଦିବାର ବାଟ କୌଶଳ ଶିଖିଥିଲେ ବିଧାୟକ । ତିନି ଘଂଟାର ରୁଦ୍ଧଦ୍ୱାର ବୈଠକ ପରେ ଜଣ ଜଣ କରି ବିଧାୟକ ପ୍ରସାଦଙ୍କ ଫତୱା ବିରୋଧରେ ଦେଲେ ରଣହୁଙ୍କାର । ତା ପରେ କଂଗ୍ରେସ ଭବନରେ ଆରମ୍ଭ ହୋଇଥିଲା ମାନସ ମନ୍ଥନ । ୩ ଜଣ ପର୍ଯ୍ୟବେକ୍ଷକଙ୍କ ଆଗରେ ଜଣକ ପରେ ଜଣେ ନେତା ରାଜ୍ୟରେ କଂଗ୍ରେସର ସ୍ଥିତି ବଖାଣିଥିଲେ । କଂଗ୍ରେସର ବରିଷ୍ଠ ନେତା ପ୍ରଦୀପ ମାଝି କହିଥିଲେ, ବର୍ତମାନ ପିସିସି ଯେଉଁ କାର୍ଯ୍ୟକ୍ରମ ହାତକୁ ନେଇଛି ତା ଦ୍ୱାରା ଦଳ ଆଗକୁ ବଢିପାରିବ ନାହିଁ । ଏଥିପାଇଁ ଦଳର ଢାଂଚାରେ ପରିବର୍ତନ ହେବା ଦରକାର ।

ଭାରତର ଏହି ସର୍ବପୁରାତନ ଦଳର ଓଡ଼ିଶା ସ୍ଥିତି କାହାକୁ ଅଛପା ନାହିଁ । ଗତ ୧୭ ବର୍ଷ ହେଲା, ଦଳ କ୍ଷମତାକୁ ଆସିବା ତ ଦୂରର କଥା, ବରଂ ନିଜ ଭିତରେ କନ୍ଦଳ ପାଇଁ ବେଶ ପଛକୁ ଚାଲି ଯାଇଛି । ଏପରିକି, ପଂଚାୟତ ନିର୍ବାଚନରେ ଦଳ ତୃତୀୟ ସ୍ଥାନକୁ ଖସି ଆସିଛି । ଗତ ପଂଚାୟତ ନିର୍ବାଚନର ଫଳାଫଳ, କଂଗ୍ରେସ ନେତାଙ୍କୁ ଚିନ୍ତାରେ ପକାଇ ଦେଲା, ଆଉ ତାପରେ ଆରମ୍ଭ ହେଲା- ଦିଲ୍ଲୀ ଚଲୋ ଅଭିଯାନ । ଶେଷରେ ଦଳର ହାଇକମାଣ୍ଡ ସୋନିଆ ଗାନ୍ଧି ଓ ରାହୁଲ ଗାନ୍ଧୀ, ଭୁବନେଶ୍ୱରକୁ ପର୍ୟ୍ୟବେକ୍ଷକ ପଠାଇ, ନେତାଙ୍କ ମତନେବାକୁ ସ୍ଥିର କଲେ ।

୨୦୧୯ ନିର୍ବାଚନ ପାଇଁ ଗୋଟିଏ ପଟେ ବିଜେଡି ଓ ବିଜେପି, ପ୍ରସ୍ତୁତି ଚଳାଇଥିବା ବେଳେ ଏପଟେ କଂଗ୍ରେସ କିନ୍ତୁ ନିଜ କ୍ୟାପଟେନ୍ ଖୋଜୁଛି । ଦେଖିବାର କଥା ହେଉଛି, ଏହି ସର୍ବପୁରାତନ ଦଳର ନୂଆ କ୍ୟାପଟେନକୁ ନେଇ ମୈଦାନକୁ ଓହ୍ଲାଇବ ନା’ ପୁରୁଣା ମୁଖିଆଙ୍କ ଉପରେ ଆସ୍ଥା ରଖି ଆଗକୁ ବଢ଼ିବ ।