ଗିରଫ ହେଲେ କଂଗ୍ରେସ ନେତା ଡି.କେ ଶିବକୁମାର । ମନି ଲଣ୍ଡ୍ରିଂ ମାମଲାରେ ଗିରଫ କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । କଂଗ୍ରେସ କହିଲା ପ୍ରତିଶୋଧର ରାଜନୀତି କରୁଛି ବିଜେପି ।

375

କନକ ବ୍ୟୁରୋ : କର୍ଣ୍ଣାଟକର ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଡିକେ ଶିବକୁମାରଙ୍କୁ ୪ ଦିନ ଧରି ଜେରା କରିବା ପରେ ଆଜି ଗିରଫ କରିଛି ଏନଫୋର୍ସମେଣ୍ଟ ଡାଇରେକ୍ଟରେଟ ବା ଇଡି । ବେଆଇନ ଅର୍ଥ କାରବାର ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି । ଇଡି ପକ୍ଷରୁ କୁହାଯାଇଛି ଯେ ତାଙ୍କୁ ହାଜତକୁ ନେଇ ଜେରା କରାଯିବାର ଆବଶ୍ୟକତା ଥିବାରୁ ବେଆଇନ ଅର୍ଥ କାରବାର ନିରୋଧ ଆଇନ ଅଧିନରେ ଗିରଫ କରାଯାଇଛି ।

ଆସନ୍ତାକାଲି ତାଙ୍କୁ କୋର୍ଟରେ ହାଜର କରାଯାଇ ରିମାଣ୍ଡରେ ନେବ ଇଡି । ତେବେ ବିଜେପି ପ୍ରତିଶୋଧପରାୟଣ ହୋଇ ତାଙ୍କୁ ଗିରଫ କରିଛି ବୋଲି କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି । କଂଗ୍ରେସ ମୁଖପାତ୍ର ଭିଏସ ଉଗ୍ରପ୍ପା କହିଛନ୍ତି ଯେ ଶିବକୁମାର କୌଣସି ଆର୍ଥିକ ଅପରାଧ କରିନାହାନ୍ତି ।ଅନ୍ୟପକ୍ଷରେ ଶିବକୁମାର କହିଛନ୍ତି ଯେ ୨୦୧୭ରେ ଗୁଜୁରାଟର ବିଧାୟକମାନଙ୍କୁ କର୍ଣ୍ଣାଟକରେ ସୁରକ୍ଷିତ ଭାବରେ ରଖିବା କାରଣରୁ ବିଜେପି ତାଙ୍କୁ ଟାର୍ଗେଟ କରୁଛି ।