ଟିକେଟ ମିଳିଲାନି ବୋଲି ବିଷ ପିଇଦେଲେ କଂଗ୍ରେସ ନେତା !

ଟିକେଟ ନ ମିଳିବାରୁ କିଏ କାନ୍ଦୁଛି ତ ପୁଣି କିଏ ବିଷ ପିଉଛି

202

ମଧ୍ୟପ୍ରଦେଶ ରାଜନୀତିକୁ ନେଇ ଏବେ ଜୋରଦାର ଚର୍ଚ୍ଚା । ଗୋଟିଏ ପଟେ ନିର୍ବାଚନ ପାଖେଇ ଆସୁଥିବା ବେଳେ ଅନ୍ୟପଟେ ଟିକେଟ ବଣ୍ଟନକୁ ନେଇ ଆଶାୟୀ ପ୍ରାର୍ଥୀଙ୍କ ମଧ୍ୟରେ ଚାଲିଛି ଜୋରଦାର ଲଢେଇ । ଏପରିକି ଟିକେଟ ନ ମିଳିବାରୁ କିଛି ନେତା ଦଳ ଛାଡି ଅନ୍ୟ ଦଳରେ ଯୋଗ ଦେଉଛନ୍ତି । ଆଉ ଏଭଳି ସ୍ଥିତିରେ କଂଗ୍ରେସର ଜଣେ ନେତାଙ୍କୁ ଟିକେଟ ନ ମିଳିବାରୁ ଆତ୍ମହତ୍ୟା କରିବାକୁ ପଛାଇ ନାହାନ୍ତି । ଗ୍ୱାଲିୟରରୁ ନିର୍ବାଚନ ଲଢିବାକୁ ଆଶା ରଖିଥିବା କଂଗ୍ରେସ ନେତା ପ୍ରେମ ସିଂ କୁଶୱାହା ଟିକେଟ ନ ପାଇବାରୁ ବିଷ ପିଇ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଛନ୍ତି । ତେବେ ତାଙ୍କୁ ସଙ୍ଗେ ସଙ୍ଗେ ଡାକ୍ତରଖାନାକୁ ନିଆଯିବାରୁ ଅଳ୍ପକେ ବଞ୍ଚି ଯାଇଛନ୍ତି କୁଶୱାହା ।

କଂଗ୍ରେସର ପ୍ରାର୍ଥୀ ତାଲିକା ଘୋଷଣା ପରେ ଏଥିରେ କୁଶୱାହାଙ୍କ ନାଁ ନଥିଲା । ଫଳରେ ଗ୍ୱାଲିୟର ସହରରେ ଥିବା ମାଧବରାଓ ସିନ୍ଧିଆଙ୍କ ପ୍ରତିମୂର୍ତ୍ତି ତଳେ ବିଷ ପିଇ ଦେଇଥିଲେ କୁଶୱାହା । ପରେ ତାଙ୍କୁ ସଙ୍ଗେ ସଙ୍ଗେ ମେଡିକାଲରେ ଭର୍ତ୍ତି କରାଯାଇଛି । ଏବେ ତାଙ୍କର ସ୍ୱାସ୍ଥ୍ୟବସ୍ଥ୍ା ସ୍ୱାଭାବିକ ରହିଛି । ତେବେ ବିଷ ପିଇବା ନେଇ କୁଶୱାହା କହିଛନ୍ତି, ବାହାର ଦଳରୁ ଆସୁଥିବା ନେତାଙ୍କୁ ଦଳ ଟିକେଟ ଦେଉଥିବା ବେଳେ ତାଙ୍କ ପ୍ରତି ଅବହେଳା କରାଯାଇଥିଲା । ଯାହାକୁ ନେଇ ସେ ପ୍ରଶ୍ନ ଉଠାଇଥିଲେ ।

ମାତ୍ର ଦେଢ ବର୍ଷ ତଳେ ବିଏସପିରୁ ଆସି କଂଗ୍ରେସ ଦଳରେ ମିଶିଥିବା ମଦନ କୁଶୱାହାଙ୍କୁ ଟିକେଟ ଦିଆଯାଇଥିବା ବେଳେ ତାଙ୍କୁ ଅଣଦେଖା କରାଯାଇଛି ବୋଲି କହିଛନ୍ତି କୁଶୱାହା । ଗୋଟିଏ ପଟେ ଅନ୍ୟ ଦଳରୁ ଆସିଥିବା ନେତାଙ୍କୁ କଂଗ୍ରେସ ଟିକେଟ ଦେବ ନାହିଁ ବୋଲି କହୁଥିବା ଅନ୍ୟପଟେ ମଦନ କୁଶୱାହଙ୍କୁ କିପରି ନିର୍ବାଚନ ଲଢିବାକୁ ଟିକେଟ ଦିଆଗଲା ସେ ନେଇ ପ୍ରଶ୍ନ ଉଠାଇଛନ୍ତି ପ୍ରେମ ସିଂ କୁଶୱାହା ।