ସବର୍ଣ୍ଣ ସଂରକ୍ଷଣ ବିଲକୁ ଲାଗୁ କରିବାକୁ ଲାଗିଯିବ ୮୦୦ ବର୍ଷ! ଜାଣନ୍ତୁ କାହିଁକି ଏଭଳି କହିଲେ କଂଗ୍ରେସ ନେତା

256

ସବର୍ଣ୍ଣ ବର୍ଗର ଆର୍ଥିକ ଦୁର୍ବଳ ଲୋକଙ୍କ ପାଇଁ ଶିକ୍ଷା ଓ ସରକାରୀ ଚାକିରି କ୍ଷେତ୍ରରେ ୧୦% ପ୍ରତିଶତ ସଂରକ୍ଷଣ ପାଇଁ ସଂସଦର ଉଭୟ ସଦନରେ ସମ୍ବିଧାନ ସଂଶୋଧନ ବିଧେୟକ ପାରିତ ହୋଇଛି । ଗତକାଲି ଲୋକସଭାରେ ଏହି ବିଲ୍ ପାରିତ ହେବା ପରେ ଆଜି ରାଜ୍ୟସଭାରେ ଏହି ବିଲ ଉପରେ ଚର୍ଚ୍ଚା ଆରମ୍ଭ ହୋଇଥିଲା । ଏହି ଆଲୋଚନା ସମୟରେ କଂଗ୍ରେସ ପକ୍ଷରୁ ସାଂସଦ ଆନନ୍ଦ ଶର୍ମା ମୋଦି ସରକାରଙ୍କ ଉପରେ ପ୍ରବଳ ବର୍ଷିଥିଲେ । ଆନନ୍ଦ ଶର୍ମା କହିଛନ୍ତି, ଏହି ବିଲକୁ ମୁଁ ବିରୋଧ କରୁନାହିଁ କିନ୍ତୁ ଯେଉଁ ସମୟରେ ଏହି ବିଲ୍ ସଂସଦକୁ ଆସିଛି ତାହାକୁ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ମୋଦି ସରକାର ୪ ବର୍ଷ ଶାସନରେ ରହିବା ପରେ ସଂସଦର ଶେଷ ଅଧିବେଶନରେ ଏହି ବିଲ କାହିଁକି ଆସିଲା ତାହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଆନନ୍ଦ ଶର୍ମା ।

ଏହି ଆଲୋଚନା ସମୟରେ ଆନନ୍ଦ ଶର୍ମା ନିଯୁକ୍ତି ନେଇ ମଧ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି । ସେ କହିଛନ୍ତି, ଦେଶରେ ଏବେ ନିଯୁକ୍ତିର ଅଭାବ ଦେଖାଦେଇଛି । ଯାହା କିଛି ବି ନିଯୁକ୍ତି ଥିଲା ତାହା ବି କମି କମି ଯାଉଛି । ଆନନ୍ଦ କହିଛନ୍ତି, କେନ୍ଦ୍ର ସରକାର ଯେଉଁ ସଂରକ୍ଷଣ ବିଧେୟକ ଆଣିଛନ୍ତି ସେହି ହିସାବରେ ଯଦି ନିଯୁକ୍ତି ମିଳେ ତେବେ ଏହାକୁ ଲାଗୁ କରିବାକୁ ୮୦୦ ବର୍ଷ ଲାଗିଯିବ ।

ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କୁ ପ୍ରଶ୍ନ ପଚାରିବା ସହ ଆନନ୍ଦ କହିଛନ୍ତି, ଦେଶରେ ୮ ଲକ୍ଷରୁ ଅଧିକ ଟଙ୍କା ରୋଜଗାର କରୁଥିବା କେତେ ଲୋକ ଅଛନ୍ତି । ଯଦି ହିସାବ କରାଯାଏ ତେବେ ସରକାରଙ୍କ ଏହି ନିଷ୍ପତି ଦେଶର ୯୮ ପ୍ରତିଶତ ଲୋକଙ୍କୁ କଭର କରିଥାଏ । ଯେଉଁଥିରୁ ପୂର୍ବରୁ ୫୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ରହିଛି ।ଅଥାର୍ତ ବାକି ୪୮ ପ୍ରତିଶତ ଲୋକଙ୍କୁ ସଂରକ୍ଷଣ ଏହି ନିଷ୍ପତି ଯୋଗେ ଦିଆଯାଇଛି । କିନ୍ତୁ ଦେଶରେ ନିଯୁକ୍ତି କାହିଁ । ନା ସରକାରୀ ନା ବେସରକାରୀ କୌଣସି କ୍ଷେତ୍ରରେ ଚାକିରି ନାହିଁ । ଆନନ୍ଦ ଶର୍ମା କହିଛନ୍ତି, ମୋଦି ସରକାର ପ୍ରତିବର୍ଷ ୨ କୋଟି ନିଯୁକ୍ତି ଦେବାକୁ ପ୍ରତିଶୃତି ଦେଇଥିଲେ । କିନ୍ତୁ ଗତବର୍ଷ ୧ କୋଟି ଚାକିରି ଶେଷ ହୋଇଯାଇଛି ।

ଆନନ୍ଦ ଶର୍ମା କହିଛନ୍ତି, ଏହି ବିଲକୁ ଆମେ ବିରୋଧ କରୁନଥିଲୁ । ଏହାପୂର୍ବରୁ ଏହିଭଳି ସଂରକ୍ଷଣ ଆଣିବାକୁ ପୂର୍ବ ସରକାର ମଧ୍ୟ ପ୍ରୟାସ କରିଥିଲେ । କିନ୍ତୁ କୋର୍ଟ ଏହାକୁ ଖାରଜ କରିଥିଲେ । ତେଣୁ ସରକାର ଭାବିଚିନ୍ତି ଏହି ବିଲ ଆଣିଥିବେ ବୋଲି କହିଛନ୍ତି କଂଗ୍ରେସ ନେତା ।