ବିରୋଧୀଙ୍କ ଟାର୍ଗେଟରେ ୨୦୧୯ ସାଧାରଣ ନିର୍ବାଚନ । କର୍ଣ୍ଣାଟକରେ କଂଗ୍ରେସ- ଜେଡିଏସ୍ ମେଂଟ ସରକାର ଗଠନରେ ସଫଳ ହେବା ପରେ ଏବେ ସାଥି ହୋଇ ଲଢିବାକୁ ନେଲେ ନିଷ୍ପତି

39

କନକ ବ୍ୟୁରୋ: କର୍ଣ୍ଣାଟକରେ କଂଗ୍ରେସ- ଜେଡିଏସ୍ ମେଂଟ ସରକାର ଗଠନ କରିବାରେ ସଫଳ ହେବା ପରେ ଏବେ ଟାର୍ଗେଟ ୨୦୧୯ ସାଧାରଣ ନିର୍ବାଚନ । ମେଂଟ କରି ୨୦୧୯ ନିର୍ବାଚନ ଲଢ଼ିବେ ବୋଲି ସଂକେତ ଦେଇଛନ୍ତି ଦୁଇ ଦଳ । ଜେଡିଏସ୍ ମୁଖ୍ୟ ତଥା କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଏହି ଘୋଷଣା କରିଛନ୍ତି କଂଗ୍ରେସ ନେତା କେ. ସି. ଭେନୁଗୋପାଳ । ମେଂଟ କରି ବିଜେପି ବିରୋଧରେ ଲଢ଼ିଲେ ମୋଦିଙ୍କୁ ରୋକିବା ସମ୍ଭବ ବୋଲି ଦୁଇ ଦଳ ଆକଳନ କରିଛନ୍ତି । ଏହା ସହିତ ମନ୍ତ୍ରୀମଣ୍ଡଳକୁ ନେଇ ଲାଗି ରହିଥିବା ବିବାଦ ସମାଧାନ ହୋଇଯାଇଥିବା ସୂଚନା ଦେଇଛନ୍ତି ଭେନୁଗୋପାଳ । ସରକାର ଚଳାଇବା କମନ ଏଜେଣ୍ଡା ପ୍ରସ୍ତୁତ କରାଯାଇଛି ବୋଲି ସେ ସୂଚନା ଦେଇଛନ୍ତି ।

ସେ କହିଛନ୍ତି କଂଗ୍ରେସ ଓ ଜେଡିଏସ୍ ମଧ୍ୟରେ ୨୨-୧୨ ମଧ୍ୟରେ ଫର୍ମୁଲାରେ ମନ୍ତ୍ରୀମଣ୍ଡଳରେ ଭାଗବଂଟା ହୋଇଛି । ଗୃହ, ଜଳସେଚନ, କୃଷି, ସ୍ୱାସ୍ଥ୍ୟ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗ ସହ ୨୨ଜଣ କଂଗ୍ରେସ ମନ୍ତ୍ରୀ ରହିବେ । ତେବେ ଅର୍ଥ ମନ୍ତ୍ରଣାଳୟକୁ ନିଜ ପାଖରେ ରଖିଛି ଜେଡିଏସ୍ । ଜେଡିଏସର ୧୨ ଜଣ ମନ୍ତ୍ରୀ ମଣ୍ଡଳରେ ସାମିଲ ହେବେ । ଆସନ୍ତା ୬ ତାରିଖରେ କ୍ୟାବିନେଟ୍ ବିସ୍ତାର କରାଯିବ ।

ସେହିପରି, ୟୁପିର କୈରାନାରେ ବିରୋଧୀ ମେଣ୍ଟ ସଫଳ ହେବା ପରେ ଏହି ଫର୍ମୁଲାକୁ ସେମାନେ ଚଳିତବର୍ଷ ଶେଷଆଡ଼କୁ ହେବାକୁ ଥିବା ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡ଼ ନିର୍ବାଚନରେ ମଧ୍ୟ ପ୍ରୟୋଗ କରିବେ ବୋଲି ଜଣାପଡ଼ିଛି। ବରିଷ୍ଠ କଂଗ୍ରେସ ନେତା ଦିଗବିଜୟ ସିଂହ କହିଛନ୍ତି ଯେ, ବିରୋଧୀଙ୍କ ମହାମେଣ୍ଟ ହିଁ କେବଳ ବିଜେପିକୁ କ୍ଷମତା ଦଖଲରୁ ରୋକି ପାରିବ। ମଧ୍ୟପ୍ରଦେଶରେ କଂଗ୍ରେସ ଓ ବିଏସପି ମେଣ୍ଟ ନେଇ ମଧ୍ୟ କଂଗ୍ରେସ ନେତା କମଲ ନାଥ ଓ ବିଏସପି ମୁଖ୍ୟ ମାୟାବତୀଙ୍କ ମଧ୍ୟରେ ଆଲୋଚନା ହୋଇଥିବା ଜଣାପଡ଼ିଛି। କେବଳ ଏତିକି ନୁହେଁ ମଧ୍ୟପ୍ରଦେଶ ନିର୍ବାଚନ ପାଇଁ ଉଭୟ ଦଳଙ୍କ ମଧ୍ୟରେ ଆସନ ଭାଗବଣ୍ଟା ମଧ୍ୟ ଚୂଡ଼ାନ୍ତ ହୋଇଥିବା ଚର୍ଚ୍ଚା ହେଉଛି। ୨୦୧୯ ନିର୍ବାଚନର ଅଳ୍ପ ସମୟ ପୂର୍ବରୁ ଏହି ୩ ରାଜ୍ୟର ବିଧାନସଭା ନିର୍ବାଚନ ଥିବାରୁ ଏହାକୁ ରାଜନୈତିକ ଦଳଗୁଡ଼ିକ ଅତି ଗୁରୁତର ସହ ନେଇଛନ୍ତି।