ଆସନ୍ତା ବୁଧବାର କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ କୁମାରସ୍ୱାମୀ: ମନ୍ତ୍ରୀମଣ୍ଡଳ ରୂପରେଖ ପାଇଁ ମାନସ ମନ୍ଥନ । କଂଗ୍ରେସ କୋଟାରେ ଉପମୁଖ୍ୟମନ୍ତ୍ରୀ ସମେତ ୨୦ ମନ୍ତ୍ରୀ । ଜେଡିଏସ କୋଟାରେ ୧୩

45

କନକ ବ୍ୟୁରୋ: କର୍ଣ୍ଣାଟକରେ ୟେଦିୟୁରପ୍ପା ସରକାରର ପତନ ହୋଇଛି । ମାତ୍ର ଅଢେଇ ଦିନରେ ବିଜେପି ସରକାରର ପତନର ଶ୍ରେୟ କଂଗ୍ରେସ ନେତା ଡିକେ ଶିବକୁମାରଙ୍କୁ ଦିଆଯାଉଛି । କଂଗ୍ରେସ ଚାଣକ୍ୟ କୁହାଯାଉଥିବା ଶିବକୁମାରଙ୍କ ଚତୁରତା ଓ ଦୁରଦୃଷ୍ଟି ସଂପନ୍ନ ଗୋଟିଚାଳନା ବିଜେପିକୁ ଚିତ୍ କରିଛି ।

ତାଙ୍କ ଚାଣକ୍ୟ ନୀତିର ନିପୁଣତା ଶକ୍ତିପରୀକ୍ଷା ପୂର୍ବରୁ ୟେଦିୟୁରପ୍ପାଙ୍କୁ ଇସ୍ତଫା ଦେବାକୁ ବାଧ୍ୟ କରିଛି । କର୍ଣ୍ଣାଟକ କଂଗ୍ରେସର ଶିବକୁମାର ହେଉଛନ୍ତି ସେହି ନେତା, ଯିଏ ନିଜ ସମସ୍ତ ବିଧାୟକଙ୍କୁ ଶେଷ ପର୍ଯ୍ୟନ୍ତ ଏକଜୁଟ ରଖିବାରେ ସଫଳ ହୋଇଥିଲେ । ବିଜେପି କଂଗ୍ରେସ ବିଧାୟକଙ୍କୁ ପ୍ରଲୋଭିତ ଉଦ୍ୟମ କରିଥିବା ବେଳେ ସଂକଟମୋଚକ ହୋଇ ଠିଆ ହୋଇଥିଲେ ଶିବକୁମାର । ଏପରିକି ଶପଥ ସମାରୋହରେ ଅନୁପସ୍ଥିତ କଂଗ୍ରେସ ବିଧାୟକ ଆନନ୍ଦ ସିଂ ଓ ପ୍ରତାପ ଗୌଡା ପାଟିଲଙ୍କୁ ଧରି ସେ ବିଧାନସଭାକୁ ଆଣିଥିଲେ । କଂଗ୍ରେସ ବିଧାୟକଙ୍କ ମେଳିରେ ବିଜେପିର ସିନ୍ଧିଚୋରି ଉଦ୍ୟମକୁ ସେ ପଣ୍ଡ କରିଥିଲେ । କର୍ଣ୍ଣାଟକ ନିର୍ବାଚନ ଫଳାଫଳରେ କାହାକୁ ସ୍ପଷ୍ଟ ବହୁମତ ମିଳିନଥିଲା । ବିଜେପି ବଡ ଦଳ ହେବା ପରେ ସମସ୍ତଙ୍କ ବିଶ୍ୱାସ ଥିଲା ବିଜେପି ଚାଣକ୍ୟ ଅମିତ ଶାହା ସରକାର ଗଠନରେ ସଫଳ ହେବେ । ହେଲେ କଂଗ୍ରେସ ଚାଣକ୍ୟ ଡିକେ ଶିବକୁମାରଙ୍କ ଆଗରେ ଶାହାଙ୍କ ସବୁ ଗୋଟି ଚାଳନା ଫେଲ ମାରିଥିଲା । ତେବେ କଂଗ୍ରେସ ଚାଣକ୍ୟ ଶିବକୁମାର ଓ ବିଜେପି ଚାଣକ୍ୟ ଶାହାଙ୍କ ଏହା ପ୍ରଥମ ଲଢେଇ ନୁହେଁ । ପୂର୍ବରୁ ଗୁଜରାଟ ରାଜ୍ୟସଭା ନିର୍ବାଚନରେ ଅହମ୍ମଦ ପଟେଲଙ୍କୁ ବିରୋଧ କରିଥିଲେ ବିଜେପି ଓ ଅମିତ ଶାହା । ସେହି ସମୟରେ ମଧ୍ୟ କଂଗ୍ରେସ ବିଧାୟକଙ୍କୁ ବିଜେପିଠାରୁ ବଂଚାଇବା ଦାୟିତ୍ୱ ନେଇଥିଲେ ଶିବକୁମାର । ଆଉ ଅହମ୍ମଦ ପଟେଲ ରାଜ୍ୟସଭାକୁ ଯାଇଥିଲେ ।

ଏବେ ନଜର ପକାନ୍ତୁ କୁମାରସ୍ୱାମୀଙ୍କ ମନ୍ତ୍ରୀମଣ୍ଡଳର ରୂପରେଖ ଉପରେ…

କୁମାରସ୍ୱାମୀ ମୁଖ୍ୟମନ୍ତ୍ରୀ ହେବେ । ନୂଆ ମନ୍ତ୍ରୀମଣ୍ଡଳ ବୁଧବାରଦିନ ଶପଥ ନେବ । ତେବେ କୁମାରସ୍ୱାମୀ ମନ୍ତ୍ରୀମଣ୍ଡଳର ରୂପରେଖ କଣ ହେବ ସେ ନେଇ ମନ୍ଥନ ଆରମ୍ଭ ହୋଇଛି । ମିଳିଥିବା ଖବର ଅନୁସାରେ, କୁମାରସ୍ୱାମୀ ମନ୍ତ୍ରୀମଣ୍ଡଳରେ ମୋଟ ୩୩ ଜଣ ମନ୍ତ୍ରୀ ରହିବେ । ସରକାରରରେ କଂଗ୍ରେସର ଉପମୁଖ୍ୟମନ୍ତ୍ରୀ ସମେତ ୨୦ ଜଣ ଓ ଜେଡିଏସର ୧୩ ଜଣ ମନ୍ତ୍ରୀ ରହିବେ । କଂଗ୍ରେସ କୋଟାରେ ରହିଛି ଉପମୁଖ୍ୟମନ୍ତ୍ରୀ ସମେତ ୨୦ ଜଣ ପଡିବ । ଉପମୁଖ୍ୟମନ୍ତ୍ରୀ ରେସରେ କର୍ଣ୍ଣାଟକ ପ୍ରଦେଶ କଂଗ୍ରେସ କମିଟିର ସଭାପତି ପରମେଶ୍ୱର ସବୁଠାରୁ ଆଗରେ ଅଛନ୍ତି । ୟେଦ୍ୟୁୟୁରପ୍ପା ସରକାର ପତନରେ ମୁଖ୍ୟ ଭୂମିକା ନେଇଥିବା ଡି.କେ.ଶିବକୁମାର ଶକ୍ତିମନ୍ତ୍ରୀ ହୋଇପାରନ୍ତି । ସିଦ୍ଧରୈମୟା ସରକାରରେ ବି ସେ ଶକ୍ତିମନ୍ତ୍ରୀ ଥିଲେ । ଆଗକୁ ଯେଭଳି ମେଂଟ ମଧ୍ୟରେ କୌଣସି ମତଭେଦ ନ ହୁଏ ସେଥିପାଇଁ ଦୁଇଦଳ ମଧ୍ୟରେ ସାଧାରଣ ସର୍ବନିମ୍ନ କାର୍ଯ୍ୟସୂଚୀ ସ୍ଥିର କରାଯିବ ।

ଅନ୍ୟପଟେ, କର୍ଣ୍ଣାଟକ ରାଜନୀତି ବିରୋଧୀ ଦଳକୁ ଏକଜୁଟ କରିବାରେ ସହାୟକ ହୋଇଛି । ଏଭଳି ହେଲେ ୨୦୧୯ରେ ମୋଦି ଓ ବିଜେପିକୁ କଡା ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ପଡିପାରେ । କର୍ଣ୍ଣାଟକ ବିଜୟ ପରେ କଂଗ୍ରେସର ମନୋବଳ ବଢିଛି । ନିର୍ବାଚନ ହେବାକୁ ଥିବା ରାଜସ୍ଥାନ, ଛତିଶଗଡ ଓ ମଧ୍ୟପ୍ରଦେଶରେ କଂଗ୍ରେସର ମନୋବଳ ବଢିବ । ୨୦୧୯ ପାଇଁ ମେଂଟ ସମ୍ଭାବନା ବି ବଢିବ । ମହାରାଷ୍ଟ୍ରରେ କଂଗ୍ରେସ-ଏନସିପି ମେଂଟ ହୋଇପାରେ । ଝାଡଖଣ୍ଡରେ କଂଗ୍ରେସ-ଜେଏମଏମ ମେଂଟ ହୋଇପାରେ । ତାମିଲନାଡୁରେ କଂଗ୍ରେସ-ଡିଏମକେ ମେଂଟ ହୋଇପାରେ । ଉତର ପ୍ରଦେଶରେ ସମାଜବାଦୀ ପାର୍ଟି-ବହୁଜନ ସମାଜ ପାର୍ଟି ମେଂଟ ହୋଇପାରେ । ଏଭଳି ହେଲେ ମୋଦିଙ୍କ ପାଇଁ ୨୦୧୯ ଜିତିବା କଷ୍ଟକର ହୋଇପଡିବ । କର୍ଣ୍ଣାଟକରେ କଂଗ୍ରେସ-ଜେଡିଏସ ମେଂଟ ହେଲେ ବିଜେପିକୁ ବଡ କ୍ଷତି ହେବ । ୨୮ଟି ଆସନରୁ ମେଂଟ ଜିତିବ ୨୨ଟି ଆସନ ଓ ବିଜେପି ମାତ୍ର ୬ଟି ଆସନ ଜିତିବ । ତାମିଲନାଡୁ , ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ଓ ୟୁପିରେ ବିରୋଧୀ ଏକଜୁଟ ହେଲେ ମୋଦି କଡା ଚ୍ୟାଲେଞ୍ଜର ସମ୍ମୁଖୀନ ହେବେ । ୟୁପିରେ ସମାଜବାଦୀ ପାର୍ଟି-ବହୁଜନ ସମାଜ ପାର୍ଟି ମଧ୍ୟରେ ମେଂଟ ହେଲେ ବିଜେପିକୁ ମାତ୍ର ୨୩ ଆସନ ମିଳିପାରେ । ବିରୋଧୀ ଏସପି-ବିଏସପି ମେଂଟକୁ ମିଳିପାରେ ୫୭ ଆସନ ।