କଂଗ୍ରେସର ଜନ ଆଶୀର୍ବାଦ ପଦଯାତ୍ରା ! ଲୋକ ଆଶୀର୍ବାଦ କଲେ ନିର୍ବାଚନ ଜିତିବୁ ।

102

କନକ ବ୍ୟୁରୋ: ଆସନ୍ତା ନିର୍ବାଚନରେ ନିଜର ପ୍ରତିଦ୍ୱନ୍ଦୀଙ୍କୁ ମାତ୍ ଦେଇ କ୍ଷମତାକୁ ଫେରିବା ପାଇଁ ବିଭିନ୍ନ ଦଳ ଗୋଟି ଚାଳନା କରୁଛନ୍ତି । ମୁଖ୍ୟମୁଦ୍ଦା ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିରୋଧରେ ଦୁର୍ନୀତି ଭ୍ରଷ୍ଟାଚାର ଅଭିଯୋଗ ଲମ୍ବା ଚିଠା ଦେଇ ଭୋଟ ହାତେଇବା । ତେଣୁ ବିଜେପିର ଜନ ଅଦାଲତକୁ କାଉଣ୍ଟର କରି କଂଗ୍ରେସ ଆରମ୍ଭ କରିଛି ଜନ ଆଶୀର୍ବାଦ ପଦଯାତ୍ରା । ଗାଁ ଗହଳି ବୁଲି ବୁଲି ଲୋକଙ୍କୁ ଶାସକ ବିଜେଡି ଓ କେନ୍ଦ୍ରରେ ଥିବା ମୋଦି ସରକାରଙ୍କ ଜନ ବିରୋଧୀ ନୀତିକୁ ଲୋକଙ୍କୁ ଅବଗତ କରାଉଛି କଂଗ୍ରେସ ।

ଶାସକ ବିଜେଡି ବିରୋଧରେ ବିଜେପି କରୁଛି ଜନତା ଅଦାଲତ । ଆଉ ବିଜେପି ଓ ବିଜେଡି ବିରୋଧରେ ଜନ ଆଶୀର୍ବାଦ କାର୍ଯ୍ୟକ୍ରମ ଆରମ୍ଭ କରିଛି କଂଗ୍ରେସ । ଏନେଇ ଆଜି ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିରରୁ ମହାପ୍ରଭୁଙ୍କ ଆଶୀର୍ବାଦ ନେଇ ଓଲ୍ଡଟାଉନ ପର୍ଯ୍ୟନ୍ତ ରାଲି କରିଥିଲେ କଂଗ୍ରେସ କର୍ମୀ । ଭୁବନେଶ୍ୱର କଂଗ୍ରେସ ନେତ୍ରୀ ରଶ୍ମି ମହାପାତ୍ରଙ୍କ ସମର୍ଥନରେ ହଜାର ହଜାର କଂଗ୍ରେସ କର୍ମୀ ୱାର୍ଡ଼ ୱାର୍ଡ଼ ବୁଲି ଜନତାଙ୍କୁ ଆଶୀର୍ବାଦ ପ୍ରର୍ଥନା କରିଛନ୍ତି । ଏନେଇ ବିରୋଧୀଦଳ ନେତା ନରସିଂହ ମିଶ୍ର କହିଛନ୍ତି ଯେ, କେନ୍ଦ୍ରର ଓଡ଼ିଶା ବିରୋଧୀ ନୀତିକୁ ରାଜ୍ୟାବସୀଙ୍କୁ ଅବଗତ କରାଇବା ପାଇଁ ଏହି କାର୍ଯ୍ୟକ୍ରମ । ଶାସକ ବିଜେଡି ଓ ବିଜେପି ଓଡ଼ିଶାବାସୀଙ୍କୁ ପ୍ରତାରିତ କରି ଆସୁଛନ୍ତି ତେଣୁ ଏହାର ଜବାବ ଆଗାମୀ ଦିନରେ ରାଜ୍ୟବାସୀ ଦେବେ ବୋଲି କହିଛନ୍ତି ନରସିଂହ ।

ସେପଟେ ବିଜେଡି ଏହାର ଜବାବ ରଖିଛି । ବିଜେଡି ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି ଯେ, କଂଗ୍ରେସର ଜନ ଆଶୀର୍ବାଦ କେବଳ ଭୋଟ୍ ପାଇଁ କରୁଛି । ଯିଏ ଦୀର୍ଘ ବର୍ଷ ଧରି କେନ୍ଦ୍ରରେ କ୍ଷମତାରେ ରହି ମଧ୍ୟ ଓଡ଼ିଶାକୁ ଉପେକ୍ଷା କରିଛି ସେମାନଙ୍କୁ ଆଜି ପାଲଟା ଜବାବ ମାଗୁଛନ୍ତି ରାଜ୍ୟବାସୀ । ତେଣୁ ଏହାର ପ୍ରଭାବ ନବୀନ ବାବୁଙ୍କ ସରକାର ଉପରେ ତିଳେ ମାତ୍ର ପଡ଼ିବ ନାହିଁ ବୋଲି କହିଛନ୍ତି ବିଜେଡି ମୁଖପାତ୍ର ସସ୍ମିତ ପାତ୍ର ।