କଂଗ୍ରେସ ଆରମ୍ଭ କଲା ଜନଜାଗରଣ ଯାତ୍ରା ! ଜିଲ୍ଲାୱାରୀ ନେତାଙ୍କୁ ଦିଆଗଲା ଦାୟିତ୍ୱ, ୧୦ ହଜାର ସଭ୍ୟ ସଂଗ୍ରହ କଲେ ଟିକେଟ ପାଇଁ ସୁପାରିଶ ହେବ ନାଁ

48

କନକ ବ୍ୟୁରୋ : ୨୦୧୯ ନିର୍ବାଚନ ଯେତିକି ପାଖେଇ ଆସୁଛି, ସେତିକି ତତ୍ପର ହୋଇ ଉଠୁଛନ୍ତି ରାଜନୈତିକ ଦଳ । ଲୋକଙ୍କ ମଧ୍ୟରେ ଜାଗରଣ ପାଇଁ କଂଗ୍ରେସ ଆରମ୍ଭ କରିଛି ଯାତ୍ରା । ଆଜିଠାରୁ ଗଡ଼ିଛି ଦଳର ଓଡ଼ିଶା ଜନଜାଗରଣ ଯାତ୍ରା ବସ୍ । ଗାଁ ଗାଁ ବୁଲିବ କଂଗ୍ରେସର ଏହି ସ୍ୱତନ୍ତ୍ର ବସ୍ । ୩୧୪ ବ୍ଳକର ୩୬ ହଜାର ବୁଥକୁ ଟାର୍ଗେଟ କରିଛି ଦଳ । ତୃଣମୂଳ ସ୍ତରରେ ଲୋକଙ୍କ ସମସ୍ୟା ବୁଝି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିବାକୁ ଅଣ୍ଟା ଭିଡିଛି ପିସିସି ।

୨୦୧୯ ନିର୍ବାଚନ ପାଇଁ ଦୁଇ ପାଦ ଆଗକୁ ଯାଇଛି କଂଗ୍ରେସ । ସ୍ୱତନ୍ତ୍ର ବସରେ ଦଳ ପକ୍ଷରୁ ଆରମ୍ଭ ହୋଇଛି ଓଡ଼ିଶା ଜନଜାଗରଣ ଯାତ୍ରା । ଆଜିଠୁ ଗଡିଛି ଓଡିଶା କଂଗ୍ରେସ ଏକ୍ସପ୍ରେସ୍ ବସ୍ । ଗାଁ ଗାଁରେ ବୁଲିବେ, ଗାଁରେ ରହିବେ, କଂଗ୍ରେସକୁ ନେଇ ଲୋକଙ୍କ ଧାରଣା କ’ଣ ରହିଛି ଅବଗତ ହେବେ ନେତା । ସ୍ଥାନୀୟ ସମସ୍ୟା ଜାଣିବା ପରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିବାକୁ ଦଳ ଅଂଟା ଭିଡିଛି । ଏନେଇ ୧୪ ଜଣ ଉପସଭାପତି ଓ ୨୪ଜଣ ସାଧାରଣ ସଂପାଦକକୁ ଦିଆଯାଇଛି ଦାୟିତ୍ୱ । ରୁଟ୍ ଚାର୍ଟ ପ୍ରସ୍ତୁତ ହୋଇଛି, ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱରରୁ ବାଲେଶ୍ୱରକୁ ଗଡ଼ିଛି କଂଗ୍ରେସ ଏକ୍ସପ୍ରେସ ।

ଜିଲ୍ଲୱାରି ଦାୟିତ୍ୱ ଦିଆଯାଇଥିବା ଉପସଭାପତି ମାନଙ୍କୁ ପାଖାପାଖି ଦଶ ହଜାର ସଭ୍ୟ ସଂଗ୍ରହ କରିବା ନେଇ ଟାର୍ଗେଟ୍ ଦେଇଛି ପିସିସି । ସଭ୍ୟ ସଂଗ୍ରହ ଦ୍ୱାରା ଲୋକସଂପର୍କ ଅଭିଯାନ କରିବ କଂଗ୍ରେସ । ଯେଉଁ ନେତା ସଭ୍ୟ ସଂଗ୍ରହ ଟାର୍ଗେଟ ପୂରଣ କରିବେ, ଦ୍ୱିତୀୟ ପର୍ଯ୍ୟାୟ ଟିକେଟ୍ ତାଲିକାରେ ସେମାନଙ୍କ ନାଁ ସୁପାରିଶ କରାଯିବ ।

ସେପଟେ ବିଜେପି କହିଛି, କଂଗ୍ରେସ ଯେତେ ଯାତ୍ରା କଲେ ବି ତାହାର ପ୍ରଭାବ ପଡିବନି । ବିଜେଡି ବି ଏହାକୁ ସମାଲୋଚନା କରିଛି । ତେବେ ଦୁଇ ଦଳର ହାଇଟେକ୍ ପ୍ରଚାରକୁ ଟକ୍କର ଦେବା ପାଇଁ କଂଗ୍ରେସ ଆରମ୍ଭ କରିଛି ଓଡ଼ିଶା ଜାଗରଣ ବସ ଯାତ୍ରା ।