କଂଗ୍ରେସରେ କିଏ କାହାର ? ନରସିଂହଙ୍କ ୧୫ ଜଣିଆ ବିଧାୟକ ଟିମରୁ ୪ ଜଣଙ୍କୁ ହାଇଜାକ୍ କଲେ ପ୍ରସାଦ

32

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ପୁଣି ତେଜିଲା କଂଗ୍ରେସର ଗୋଷ୍ଠୀକନ୍ଦଳ । ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ କ୍ୟାଂପରୁ ୪ ଜଣ ବିଧାୟକ ପ୍ରସାଦ ଗୋଷ୍ଠୀଙ୍କ ସହ ହାତ ମିଳାଇଛନ୍ତି । ଏପରିକି ସେମାନେ କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ଭେଟିବା ସହ ପ୍ରସାଦଙ୍କ ନେତୃତ୍ୱକୁ ସମର୍ଥନ ଜଣାଇଥିବା ଜଣାପଡିଛି । ଏହାପରେ ଦୀର୍ଘ ଦିନ ଧରି ପିସିସି ସଭାପତି ଓ ବିଧାୟକ ଦଳ ମଧ୍ୟରେ ଥିବା ବିବାଦ ବର୍ତମାନ ଏକ ରୋଚକ ମୋଡ ନେଇଛି ।

ନରସିଂହଙ୍କ କ୍ୟାମ୍ପରୁ ହାଇଜାକ୍ ହୋଇଥିବା ୪ ବିଧାୟକ ହେଲେ ଡାବୁଗାଁ ବିଧାୟକ ଭୁଜବଳ ମାଝୀ, ଲକ୍ଷ୍ମୀପୁର ବିଧାୟକ କୈଳାଶ ଚନ୍ଦ୍ର କୁଳେସିକା, କୋରାପୁଟ ବିଧାୟକ କୃଷ୍ଣଚନ୍ଦ୍ର ଶଗରିଆ ଓ ଜି ଉଦୟଗିରି ବିଧାୟକ ଜାକବ୍ ପ୍ରଧାନ । ଏହି ୪ କଂଗ୍ରେସ ବିଧାୟକ ଦିଲ୍ଲୀରେ ଆଜି ଉପାଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ଭେଟିବା ପରେ ରାଜ୍ୟ କଂଗ୍ରେସରେ ଚାଲିଥିବା ନେତୃତ୍ୱ ବିବାଦ ପୁଣି ଥରେ ଉଗ୍ର ରୂପ ଧାରଣ କରିଛି ।

ଆଉ ଏହି ନାଟକର ଅନ୍ତରାଳରେ ଅଛନ୍ତି ପିସିସି ସଭାପତି ପ୍ରସାଦ ହରିଚନ୍ଦନଙ୍କ ଏକାନ୍ତ ଅନୁଗତ କଟକ ଜିଲ୍ଲା କଂଗ୍ରେସ ସଭାପତି ମହମ୍ମଦ ମୋକିମ୍ । ବିଧାୟକ ମାନେ ରାହୁଲଙ୍କ ସହ ଆଗାମୀ ପଂଚାୟତ ନିର୍ବାଚନ ନେଇ ଆଲୋଚନା ହୋଇଥିବା କହୁଥିଲେ ମଧ୍ୟ ପ୍ରସାଦଙ୍କ ନେତୃତ୍ୱକୁ ସମର୍ଥନ ଜଣାଇଥିବା ଜଣାପଡିଛି ।

ମହାନଦୀ ବିବାଦରେ ବିରୋଧୀ ଦଳ ନେତା ନରସିଂହ ମିଶ୍ର ସର୍ବଦଳୀୟ ବୈଠକ ଡାକିବା ପରେ ଦୁଇ ଫାଳ ହୋଇଯାଇଥିଲା ରାଜ୍ୟ କଂଗ୍ରେସ । ବିଧାୟକ ଦଳ ଓ ପିସିସି ମଧ୍ୟରେ ଫାଟ ସ୍ପଷ୍ଟ ବାରି ହୋଇଯାଇଥିଲା । ଏପରିକି ଏହି ଦୁଇ ଗୋଷ୍ଠୀ ବିଭିନ୍ନ ସମୟରେ ଦିଲ୍ଲୀରୁ ଆରମ୍ଭ କରି ଭୁବନେଶ୍ୱର ପର୍ଯ୍ୟନ୍ତ ନିଜ ଶକ୍ତି ପ୍ରଦର୍ଶନ କରିବାକୁ ପଛାଇନଥିଲେ । ପ୍ରସାଦ ଜିଲ୍ଲା ସଭାପତିଙ୍କୁ ନେଇ ପଂଚାୟତ ରଣନୀତି ପ୍ରସ୍ତୁତ କରୁଥିବା ବେଳେ ନରସିଂହଙ୍କ ନେତୃତ୍ୱରେ ପୃଥକ ବୈଠକ କରି ତାଙ୍କୁ ଚ୍ୟାଲେଂଜ କରିଥିଲେ ବିଧାୟକ ଦଳ ।

ରାଜ୍ୟ ପ୍ରଭାରୀ ବି କେ ହରିପ୍ରସାଦଙ୍କ ଭୂମିକାକୁ ମଧ୍ୟ ନାପସନ୍ଦ କରିଛନ୍ତି କିଛି କଂଗ୍ରେସ୍ ନେତା । ପ୍ରଭାରୀଙ୍କ କାର୍ଯ୍ୟକଳାପ ଓ ଗୋଷ୍ଠୀ କନ୍ଦଳ ଆଗାମୀ ପଂଚାୟତ ଯୁଦ୍ଧରେ କଂଗ୍ରେସର ସଫଳତା ଉପରେ ପ୍ରଶ୍ନ ଚିହ୍ନ ଲଗାଇ ଦେଇଛି ।

ସର୍ବସମ୍ମୁଖରେ ସବୁ କଂଗ୍ରେସ ନେତା ଚୁପ୍ ରହୁଥିଲେ ମଧ୍ୟ ସେମାନଙ୍କ ଆଚରଣ ଓ ଉଚ୍ଚାରଣରେ ଫରକ ଜଳ ଜଳ ହୋଇ ଦେଖାଯାଉଛି । କିଛି ଦିନ ପୂର୍ବରୁ ଏକାଠି ଥିବା ଦାବୀ କରୁଥିବା ବିଧାୟକ ଦଳର ଏହି ୪ ବିଧାୟକ ପଟ୍ଟ ପରିବର୍ତନ କରିବା ପରେ ନରସିଂହ ଶିବିରର ଆଗାମୀ ରଣନୀତି କଣ ରହିବ ଏହା ଉପରେ ଏବେ ସମସ୍ତଙ୍କ ନଜର ।