ରାଜ୍ୟରେ ବଦଳିବ କଂଗ୍ରେସର ଇତିହାସ! ସିଟ୍ ହରାଇବା ସହ ବିରୋଧୀ ଦଳ ପଦ ହରାଇପାରେ ଦେଶର ସବୁଠୁ ପୁରୁଣା ଦଳ,ବୁଥ୍ ବାହୁଡା ମତରୁ ଆସିଲା ବଡ ଖବର ।

360

କନକ ବ୍ୟୁରୋ : ବଦଳିପାରେ ରାଜ୍ୟ ରାଜନୀତିର ଇତିହାସ । ସମ୍ବାଦ-କନକ ନ୍ୟୁଜ୍ ଏକଜିଟ୍ ପୋଲରେ ଏଭଳି ସଂକେତ ମିଳିଛି । ୨୦୧୯ ନିର୍ବାଚନ ଫଳାଫଳ ରାଜ୍ୟରେ ଅନେକ ନୂଆ ରେକର୍ଡ ସୃଷ୍ଟି କରିପାରେ ଓ ଅନେକ ରେକର୍ଡ ଭାଙ୍ଗିପାରେ ମଧ୍ୟ । ଏକଜିଟ୍ ପୋଲ ଅନୁଯାୟୀ, ରାଜ୍ୟ ରାଜନୀତିରେ ବଦଳିପାରେ କଂଗ୍ରେସର ଇତିହାସ । ସ୍ୱାଧୀନତା ପରଠାରୁ ହୋଇଥିବା ନିର୍ବାଚନରେ ଯାହା ଦେଖିବାକୁ ମିଳିନଥିଲା ତାହା ଦେଶର ସବୁଠୁ ପୁରୁଣା ଦଳ ସାମ୍ନା କରିପାରେ । ରାଜ୍ୟରେ ବଡ ବିପର୍ଯ୍ୟୟ ସହ ପ୍ରଥମ ଥର ପାଇଁ ୩ ନମ୍ବର ସ୍ଥାନକୁ ଖସି ଆସିପାରେ କଂଗ୍ରେସ । ଆଉ ଏହାସହ ହରାଇପାରେ ମୁଖ୍ୟ ବିରୋଧୀ ଦଳ ଆସନ । ଏକଜିଟ୍ ପୋଲର ଏହି ରିପୋର୍ଟ ଏବେ କଂଗ୍ରେସ ଶିବିରରେ ନିରାଶା ଖେଳାଇ ଦେଇଛି ।

ସ୍ୱାଧୀନତା ପରେ ରାଜ୍ୟରେ ହୋଇଥିବା ନିର୍ବାଚନରେ କେତେବେଳେ ସରକାରରେ ତ ପୁଣି କେତେବେଳେ ବିରୋଧୀ ଆସନରେ ବସିଛି କଂଗ୍ରେସ । କିନ୍ତୁ କେବେ ୩ ନମ୍ବର ସ୍ଥାନକୁ ଯାଇନାହିଁ ଦଳ । କିନ୍ତୁ ଚଳିତ ନିର୍ବାଚନରେ ଏହି ଚିତ୍ର ବଦଳିପାରେ । ଗତ ୧୯ ବର୍ଷ ଧରି ମୁଖ୍ୟ ବିରୋଧୀ ଦଳ ଆସନରେ ବସି ଆସୁଥିବା କଂଗ୍ରେସ ଚଳିତ ନିର୍ବାଚନରେ ୩ ନମ୍ବର ସ୍ଥାନକୁ ଖସିପାରେ । ସମ୍ବାଦ-କନକ ନ୍ୟୁଜ୍ ଏକଜିଟ୍ ପୋଲ ଅନୁଯାୟୀ ଚଳିତଥର ଦଳକୁ ୧୨ରୁ ୧୫ଟି ଆସନ ମିଳିପାରେ । ଆଉ ଏହି ଆକଳନ ଯଦି ନିର୍ବାଚନ ଫଳାଫଳରେ ଦେଖିବାକୁ ମିଳେ ତେବେ କଂଗ୍ରେସ ହୁଏତ ଅଧିକ ଆସନ ହରାଇନପାରେ କିନ୍ତୁ ବିରୋଧୀ ଦଳ ପଦ ହରାଇପାରେ ।

କାରଣ ଏକଜିଟ୍ ପୋଲ ରିପୋର୍ଟ ଅନୁଯାୟୀ, କଂଗ୍ରେସକୁ ପଛରେ ପକାଇ ବିଜେପି ୨ ନମ୍ବର ଦଳ ଭାବେ ଉଭା ହୋଇପାରେ । ଦଳ ମୋଟ ୨୫ରୁ ୩୪ଟି ଆସନ ହାତେଇବା ସହ ମୁଖ୍ୟ ବିରୋଧୀ ଦଳ ଆସନ ମଧ୍ୟ ହାତେଇପାରେ । ଆଉ ଏଭଳି ଫଳାଫଳ ଦୀର୍ଘ ବର୍ଷ ଧରି ରହି ଆସିଥିବା କଂଗ୍ରେସର ଇତିହାସ ବଦଳାଇବାକୁ ଯଥେଷ୍ଟ । କେବଳ ଯେ ଆସନ କମିପାରେ ତାହା ନୁହେଁ ବରଂ ବିଧାନସଭା ନିର୍ବାଚନରେ କଂଗ୍ରେସର ଭୋଟ ପ୍ରତିଶତ ମଧ୍ୟ ଯଥେଷ୍ଟ କମିପାରେ । ଯାହା ନିର୍ବାଚନ ଫଳାଫଳକୁ ସମ୍ପୂର୍ଣ୍ଣ ଭାବେ ପ୍ରଭାବିତ କରିପାରେ । ଚଳିତ ନିର୍ବାଚନରେ ବିଜେପିକୁ ସବୁଠୁ ଅଧିକ ଫାଇଦା ମିଳିବାକୁ ଯାଉଛି । ଉଭୟ ଆସନ ଓ ଭୋଟ ପ୍ରତିଶତ କ୍ଷେତ୍ରରେ ବିଜେପିକୁ ବଡ ଫାଇଦା ମିଳିବ । ୨୦୧୪ ତୁଳନାରେ ବିଜେପିକୁ ଅଧିକ ଆସନ ମିଳିପାରେ । ଏହାସହ ବିଜେପିର ଭୋଟ ପ୍ରତିଶତ ୧୭.୯୯ରୁ ବୃଦ୍ଧି ହୋଇ ୩୨ ପ୍ରତିଶତରେ ପହଞ୍ଚିପାରେ । ବିଜେଡି ଆସନ ହରାଉଥିଲେ ମଧ୍ୟ ଭୋଟ ପ୍ରତିଶତ କିଛି ମାତ୍ରାରେ ବଢିପାରେ । ୨୦୧୪ରେ ୪୩.୩୫ ପ୍ରତିଶତ ଭୋଟ ପାଇଥିବା ବିଜେଡି ୨୦୧୯ରେ ୪୪ ପ୍ରତିଶତ ଭୋଟ ପାଇପାରେ । ଯାହା କଂଗ୍ରେସକୁ ବ୍ୟାକଫୁଟକୁ ଠେଲିପାରେ ।