ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ ନେଇ ସମର୍ଥନ ଲୋଡୁଛି କଂଗ୍ରେସ ! ଦିଲ୍ଲୀରେ କଂଗ୍ରେସ ଚାଣକ୍ୟ ଅହମଦ ପଟେଲ ମମତାଙ୍କୁ ଭେଟିବା ପରେ ରାଜନୀତି ସରଗରମ ।

35

ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନକୁ ନେଇ ଲାଗି ରହିଛି ଛକାପଞ୍ଝା । କଂଗ୍ରେସ ନିଜ ଦଳୀୟ ପ୍ରାର୍ଥୀ ଦେବ ନା ଅଣକଂଗ୍ରେସ ଦଳର ପ୍ରାର୍ଥୀକୁ ସମର୍ଥନ କରିବ ତାକୁ ନେଇ ସସପେନ୍ସ ଲାଗି ରହିଛି । ତେବେ କଂଗ୍ରେସ ଚାଣକ୍ୟ କୁହାଯାଉଥିବା ଅହମଦ ପଟେଲ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଭେଟିଛନ୍ତି ଏ ସମ୍ପର୍କରେ ଆଲୋଚନା ହୋଇଛି ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଛି । ଗତକାଲି ଦିଲ୍ଲୀରେ ଚତୁର୍ଥ ନୀତି ଆୟୋଗ ବୈଠକରେ ଯୋଗଦେବା ପାଇଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆସିଥିଲେ । ଏହି ସମୟରେ ମମତାଙ୍କୁ କଂଗ୍ରେସ ନେତା ସାକ୍ଷାତ କରିବା ଏବଂ ଦୁଇ ବିରୋଧୀ ଦଳଙ୍କ ମଧ୍ୟରେ ଆଲୋଚନା ହୋଇଛି । ତେବେ ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ମୋଦିଙ୍କୁ ଝଟକା ଦେବାପାଇଁ କଂଗ୍ରେସ ଗୋଟି ଚାଳନା କରୁଥିବା ନେଇ କେନ୍ଦ୍ର ଓ ରାଜ୍ୟ ରାଜନୀତିରେ ମଧ୍ୟ ହଟଚମଟ ସୃଷ୍ଟି ହୋଇଛି ।

ତେବେ ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ପ୍ରମୁଖ ଭୁମିକା ବିଜେଡି ନେଇପାରେ ବୋଲି ଆକଳନ କରାଯାଉଛି । କଂଗ୍ରେସ ପ୍ରାର୍ଥୀ ଦେବା ବଦଳରେ ଅଣବିଜେପି ଦଳକୁ ସମର୍ଥନ କରିବ ବୋଲି ଦ୍ୱନ୍ଦ ଲାଗି ରହିଥିବାବେଳେ, ଅନ୍ୟପଟେ ଟିଏମସି ନେତାଙ୍କୁ ଭେଟି ଆଲୋଚନା କରିଛନ୍ତି ଅହମଦ ପଟେଲ । ଜାତୀୟ ଗଣମାଧ୍ୟମରେ ହେଉଥିବା ଚର୍ଚ୍ଚା ଅନୁସାରେ ରାଜ୍ୟସଭା ଉପାଧ୍ୟକ୍ଷ ପିଜେ କୁରିଏନଙ୍କ ସ୍ଥାନରେ ଜଣେ ଅଣ ଏନଡିଏ ନେତାଙ୍କୁ ବସାଇବାକୁ ଚାହୁଁଛି କଂଗ୍ରେସ । ତେଣୁ ନୀତି ଆୟୋଗ ବୈଠକ ପରେ ମମତାଙ୍କ ସହ ପ୍ରାୟ ଘଂଟାଏ କାଳ କଂଗ୍ରେସ ଚାଣକ୍ୟ ଅହମଦ ପଟେଲଙ୍କ ଆଲୋଚନା ନେଇ ଚର୍ଚ୍ଚା ହେଉଛି ।

ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ ପ୍ରାର୍ଥୀ ପ୍ରସଙ୍ଗରେ ତିନୋଟି ଦଳ କଂଗ୍ରେସ, ତୃଣମୂଳ କଂଗ୍ରେସ ଓ ବିଜେଡି ଏହି ରେସରେ ପ୍ରମୂଖ ଭୁମିକା ନିର୍ବାହ କରିବେ ବୋଲି ସ୍ପଷ୍ଟ ଜଣାପଡୁଛି । ୨୪୫ ଆସନରୁ ୧୨୨ ଆସନ ବିଜୟ ପାଇଁ ଆବଶ୍ୟକ ହେଉଥିବାବେଳେ, ବିଜେପି ଏବଂ ବିରୋଧୀଙ୍କୁ ଦରକାର ହେଉଛି ସେହି ମ୍ୟାଜିକ ନମ୍ବର ୧୨୨ । ତେବେ ବର୍ତ୍ତମାନ ବିଜେପି ପାଖରେ ୮୭ଟି ରାଜ୍ୟସଭା ସଂଖ୍ୟା ଗରିଷ୍ଠକତା ଥିବା ବେଳେ କଂଗ୍ରେସ ପାଖରେ ରହିଛି ୫୮ଟି ରାଜ୍ୟସଭା ଆସନ । ବର୍ତ୍ତମାନ ବିଜେପିକୁ ରୋକିବାକୁ ହେଲେ ବିରୋଧୀ ଦଳଙ୍କୁ ଏକାଠି ହେବାକୁ ପଡିବ ବୋଲି ଆକଳନ କହୁଛି । କାରଣ ତୃଣମୂଳ କଂଗ୍ରେସ ନେତ୍ରୀ ମମତା ବାନାର୍ଜୀ ବର୍ତ୍ତମାନ କଂଗ୍ରେସକୁ ସମର୍ଥନ ଜଣାଇବା ପାଇଁ ଇଚ୍ଛୁକ ନଥିବା ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି ।

ତେବେ ବିଜେଡି ପକ୍ଷରୁ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ଏବଂ ତୃଣମୂଳ କଂଗ୍ରେସର ଶୁଖେନ୍ଦୁ ଶେଖର ରଏଙ୍କ ନାଁ ମଧ୍ୟ ରେସରେ ଥିବା ଅନେକ ଦିନ ହେବ ଚର୍ଚ୍ଚାରେ ରହିଛି । କିନ୍ତୁ କଂଗ୍ରେସ ସାଂସଦ ପିଜେ କୁରିଏନଙ୍କ କାର୍ଯ୍ୟକାଳ ସମୟସୀମା ସରିବା ପରେ ବର୍ତ୍ତମାନ କଂଗ୍ରେସ ଦଳକୁ ସୁହାଇଲା ଭଳି ପ୍ରାର୍ଥୀ ଦେବ ବୋଲି ରଣନୀତି ପ୍ରସ୍ତୁତ କରୁଛି । ହେଲେ ତୃଣମୂଳ କଂଗ୍ରେସ ଓ ବିଜେଡି ଭଳି ବିରୋଧୀ ଦଳମାନେ ମଧ୍ୟ କଂଗ୍ରେସକୁ ସମର୍ଥନ ଜଣାଇବା ନେଇ ଅନିଶ୍ଚିତତା ଦେଖାଦେଇଥିବା ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । ଗତାକାଲି ସନ୍ଧ୍ୟାରେ ଦିଲ୍ଲୀରେ କଂଗ୍ରେସ ଚାଣକ୍ୟ ଅହମଦ ପଟେଲ ମମତାଙ୍କୁ ଭେଟିବା ପରେ ରାଜ୍ୟସଭା ରେସ୍ କୁ ନେଇ ଅନେକ ପ୍ରକାରର ରାଜନୀତି ଆରମ୍ଭ ହୋଇଛି । ତେବେ ବିଜେଡି ମଧ୍ୟ ଏହି ରାଜ୍ୟସଭା ପ୍ରସଙ୍ଗରେ ପ୍ରତିକ୍ରିୟା ରଖି କହିଛନ୍ତି ଯେ, ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟ ସଭା ଉପାଧ୍ୟକ୍ଷ ନିର୍ବାଚନ ଦଳରେ କୌଣସି ଆଲୋଚନା ହୋଇ ନାହିଁ । ଏବଂ ବିଜେଡି ସମର୍ଥନ ନେଇ କୌଣସି ଦଳ ଠାରୁ ପ୍ରସ୍ତାବ ଆସି ନାହିଁ ବୋଲି ବିଜେଡି ମୁଖପାତ୍ର ପ୍ରତାପ ଦେବ କହିଛନ୍ତି ।