ଶେଷରେ ଏକଜୁଟ ହେଲେ କଂଗ୍ରେସ ନେତା ! ପ୍ରଚାର ମୈଦାନକୁ ଓହ୍ଲାଇଲେ କଂଗ୍ରେସର ହେଭିୱେଟ, ବିଜେଡି ଓ ବିଜେପିର ପ୍ରଚାର ଜୋରଦାର

26

କନକ ବ୍ୟୁରୋ : ବିଜେପି ଓ ବିଜେଡି ପରେ ବିଜେପୁର ପ୍ରଚାର ମୈଦାନରେ କଂଗ୍ରେସ ହେଭିୱେଟ୍ । ଦଳର ସମସ୍ତ ବରିଷ୍ଠ ନେତା ଆଜି ଏକାଠି ହୋଇ , ଦଳୀୟ ପ୍ରାର୍ଥୀ ପ୍ରଣୟ ସାହୁଙ୍କ ପାଇଁ ପ୍ରଚାର କରିଛନ୍ତି । ସେପଟେ ଦ୍ୱିତୀୟ ଥର ପାଇଁ ବିଜେପୁର ପ୍ରଚାର ମୈଦାନରେ ଦେଖିବାକୁ ମିଳିଛି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ । ଏବଂ ଷ୍ଟାର କ୍ୟାମ୍ପେନରଙ୍କୁ ଧରି ରୀତା ସାହୁଙ୍କ ପାଇଁ ପ୍ରଚାର କରୁଛି ବିଜେଡି ।

bijepurପ୍ରଣୟ ସାହୁଙ୍କ ପାଇଁ ପ୍ରଚାର ମୈଦାନରେ ହେଭିୱେଟ୍ । ବିଜେପୁରରେ ଏକଜୁଟ୍ ହେଲା କଂଗ୍ରେସ । ବିଜେପି ଓ ବିଜେଡିକୁ ଟକ୍କର ଦେଇ ବରପାଲିରେ ଦଳ କରିଛି ବିଶାଳ ସମାବେଶ । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଫଳତାକୁ ପ୍ରସଙ୍ଗ କରିଛି କଂଗ୍ରେସ । ଦଳ ବଦଳ ରାଜନୀତି ଓ ମିଥ୍ୟା ପ୍ରତିଶ୍ରୁତିକୁ ପଛରେ ପକାଇ ବିଜେପୁରର ବିକାଶ ପାଇଁ ପ୍ରଣୟ ସାହୁଙ୍କୁ ଭୋଟ୍ ଦେବାକୁ ଅନୁରୋଧ କରିଛନ୍ତି ନେତା ।

ଅନ୍ୟପଟେ ଦ୍ୱିତୀୟ ଥର ପାଇଁ ଦଳୀୟ ପ୍ରାର୍ଥୀ ଅଶୋକ ପାଣିଗ୍ରାହୀଙ୍କ ପାଇଁ ବିଜେପୁରରେ ପ୍ରଚାର କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଗାଇସିଲଟ୍ ବ୍ଲକ୍ରେ ସମାବେଶ ସହ ରାଜ୍ୟ ସରକାରଙ୍କୁ ଘେରିଛନ୍ତି କେନ୍ଦ୍ରୀୟ ନେତା । ୧୮ ବର୍ଷର ଅପାରଗ ସରକାରକୁ ଏଥର ବିଜେପୁରବାସୀ ଜବାବ ଦେବେ ବୋଲି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ବିଜେପୁର ବାସୀଙ୍କୁ ଦୀର୍ଘ ୧୮ ବର୍ଷ ଧରି ରାଜ୍ୟ ସରକାର ଠକି ଚାଲିଛନ୍ତି କିନ୍ତୁ ଚଳିତ ନିର୍ବାଚନର ଏହାର ଜବାବ ଭୋଟର ଦେବେ ବୋଲି ଧର୍ମେନ୍ଦ୍ର କହିଛନ୍ତି ।

bijepurବିଜେପି ଓ କଂଗ୍ରେସର ସମାବେଶ ଭିତରେ ରୀତା ସାହୁଙ୍କ ପାଇଁ ପ୍ରଚାର କରିଛନ୍ତି ବିଜେଡିର ଷ୍ଟାର କ୍ୟାମ୍ପେନର । ଓଲିଉଡ୍ ଷ୍ଟାର ତଥା ଦୁଇ ଦୁଇ ଥରର ସାଂସଦ ସିଦ୍ଧାନ୍ତ ମହାପାତ୍ର ବିଜେପୁରରେ ଘରକୁ ଘର ବୁଲି ଭୋଟ୍ ମାଗିଛନ୍ତି । ବିଜେଡିର ମୁଦ୍ଦା ରହିିଛି, ବିଜେପୁରର ବିକାଶ । ନବୀନଙ୍କ ଜନକଲ୍ୟାଣ ମୂଳକ କାର୍ଯ୍ୟକ୍ରମକୁ ଲୋକଙ୍କ ପାଖରେ ପହଞ୍ଚାଇ ଭୋଟ ହାତେଇବାକୁ ଲକ୍ଷ୍ୟ ରଖିଛି ବିଜେଡି ।

ବିଜେପୁର ଉପନିର୍ବାଚନ ପାଇଁ ହାତରେ ଆଉ ମାତ୍ର ସାତ ଦିନ ସମୟ । ପ୍ରଚାର ମୈଦାନରେ ତିନି ଦଳର ପ୍ରାର୍ଥୀ । ଆଉ ସେମାନଙ୍କ ପାଇଁ ଭୋଟ୍ ଯୋଗାଡ କରିବାରେ ବ୍ୟସ୍ତ ସେଲିବ୍ରିଟି, କେନ୍ଦ୍ରମନ୍ତ୍ରୀ ଓ ରାଜ୍ୟର ତୁଙ୍ଗ ନେତା । ଗୁରୁବାର, କଂଗ୍ରେସ ହେଭିୱେଟ୍ ପ୍ରଚାର ମୈଦାନକୁ ଓହ୍ଲାଇବା ପରେ ସରଗରମ ହୋଇଯାଇଛି ବିଜେପୁର ବ୍ୟାଟଲ ।