ଗୁଜରାଟ ନିର୍ବାଚନ କଂଗ୍ରେସ ଛାଡ଼ିପାରୁନି ପ୍ରାର୍ଥୀ ତାଲିକା ! ଅଡ଼ୁଆ ହେଉଛି ଅନ୍ତଃକନ୍ଦଳ, ପାସ୍ ସଂରକ୍ଷଣ ଚେତାବନୀ

27

କନକ ବ୍ୟୁରୋ: ଗୁଜରାଟ ନିର୍ବାଚନ ପାଇଁ କଂଗ୍ରେସର ପ୍ରଥମ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବା ପରେ ପୁଣି ପାଟିଦାର ଅନାମତ ଆନ୍ଦୋଳନ ସମିତି ଓ କଂଗ୍ରେସ ମଧ୍ୟରେ ବିବାଦ ତେଜିଛି । ଗତକାଲି କଂଗ୍ରେସ ଓ ପାଟିଦାର ସମିତି ମଧ୍ୟରେ ବୁଝାମଣା ହୋଇଥିବା ନେଇ ଚର୍ଚ୍ଚା ହୋଇଥିଲା । ତେବେ ଏହାପରେ କଂଗ୍ରେସର ୭୭ଜଣିଆ ପ୍ରଥମ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି । ତେବେ ଏଥିରେ ପାଟିଦାର ଅନାମତ ଆନ୍ଦୋଳନର ସମିତିର କେବଳ ଦୁଇ ଜଣଙ୍କୁ ସ୍ଥାନ ମିଳିଥିବା ପରେ ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛି ପାଟିଦାର ଅନାମତ ଆନ୍ଦୋଳନ ସମିତି ।

ହାର୍ଦ୍ଦିକ ପଟେଲ ଓ କଂଗ୍ରେସ ମଧ୍ୟରେ ବୁଝାମଣା ହୋଇଥିବା ନେଇ ଆଜି ବିଧିବଦ୍ଧ ଭାବରେ ଘୋଷଣା କରାଯିବାର ଥିଲା । କିନ୍ତୁ କଂଗ୍ରେସର ତାଲିକା ପ୍ରକାଶ ପାଇବା ପରେ ହାର୍ଦ୍ଦିକ ପଟେଲଙ୍କ କାର୍ଯ୍ୟକ୍ରମକୁ ରଦ୍ଦ କରିଦିଆଯାଇଛି । ପ୍ରାର୍ଥୀ ତାଲିକାରେ ପଟିଦାର ନେତାଙ୍କୁ ସ୍ଥାନ ନମିଳିବା ପ୍ରତିବାଦରେ ସୁରଟର ବରଚ୍ଚା ରୋଡ୍ ସିଟ ପାଇଁ ଥିବା କଂଗ୍ରେସର ପ୍ରାର୍ଥୀ ପ୍ରଫୁଲ୍ଲ ତୋଗଡିଆଙ୍କ କାର୍ଯ୍ୟାଳୟ ସମ୍ମୁଖରେ କଂଗ୍ରେସ ଓ ପଟିଦାର ଅମାନତ ଆନ୍ଦୋଳନ ସମିତିର କାର୍ଯ୍ୟକର୍ତ୍ତା ମୁହାଁମୁହିଁ ହୋଇଛନ୍ତି ।

ତେବେ ଯେପର୍ଯ୍ୟନ୍ତ ପ୍ରାର୍ଥି ତାଲିକାରେ ପଟିଦାର ସମିତିର କାର୍ଯ୍ୟକର୍ତ୍ତାଙ୍କୁ ଉଚିତ ସ୍ଥାନ ମିଳିବନାହିିଁ ସେ ପର୍ଯ୍ୟନ୍ତ ଏପରି ପ୍ରତିବାଦ ଜାରି ରହିବ ବୋଲି ପଟିଦାର ଅନାମତ ଆନ୍ଦୋଳନ ସମିତି ପକ୍ଷରୁ କୁହାଯାଇଛି । ପାଟିଦାର ସମିତି ୫ଟି ସିଟରେ ପ୍ରାର୍ଥୀ ଦେବା ପାଇଁ ଚାହୁଁଥିବା ବେଳେ ଏନେଇ କଂଗ୍ରେସ ଓ ପାଟିଦାର ସମିତି ମଧ୍ୟରେ ବୁଝାମଣା ହୋଇଥିଲା ତେବେ ପ୍ରଥମ ତାଲିକାରେ ୨ଜଣଙ୍କୁ ସ୍ଥାନ ମିଳିବାରେ ଏହାକୁ ତୀବ୍ର ପ୍ରତିବାଦ କରୁଛି ପଟିଦାର ଅନାମତ ଆନ୍ଦୋଳନ ସମିତି ।