ନିର୍ବାଚନ ପୂର୍ବରୁ କଂଗ୍ରେସର ଗ୍ୟାରେଂଟି କାର୍ଡ ! କ୍ଷମତାକୁ ଆସିଲେ ସର୍ବନିମ୍ନ ଆୟ, ଋଣ ଛାଡ଼ ଏବଂ ଅଭାବୀ ପରିବାରକୁ ଚାକିରି ନେଇ ଘୋଷଣା ।

196

କନକ ବ୍ୟୁରୋ : କଂଗ୍ରେସର ଗ୍ୟାରେଂଟି କାର୍ଡ । ଗରିବ ପରିବାର ପାଇଁ ସର୍ବନିମ୍ନ ଆୟ, ଅଭାବୀ ପରିବାରକୁ ଚାକିରି, ସରକାରକୁ ଆସିଲେ ପ୍ରଥମ ଦିନରେ ଋଣ ଛାଡ, ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୬୦୦ ଟଙ୍କା ଏବଂ ଝିଅଙ୍କୁ ମାଗଣାରେ ଉଚ୍ଚଶିକ୍ଷା ଓ ବିବାହ ପାଇଁ ଆର୍ଥିକ ସହାୟତା ଭଳି ବ୍ୟବସ୍ଥା ଥିବା ଗ୍ୟାରେଂଟି କାର୍ଡ ପ୍ରସ୍ତୁତ କରିଛି କଂଗ୍ରେସ । ଏହି ଗ୍ୟାରେଂଟି କାର୍ଡକୁ ଘରେ ଘରେ ବାଂଟିବା ପାଇଁ ଦଳ ପ୍ରସ୍ତୁତ ହେଉଛି  । ୨୦୧୯ ନିର୍ବାଚନ ମଇଦାନରେ ବାଜିମାତ୍ କରିବାକୁ ରଣନୀତି ପ୍ରସ୍ତୁତ କରୁଛି କଂଗ୍ରେସ ।

କଂଗ୍ରେସର ଗ୍ୟାରେଂଟି କାର୍ଡ । ଶୁଣିବାକୁ ଟିକେ ଅଲଗା ଲାଗୁଥିଲେ ବି ଏହି କାର୍ଡକୁ ରାଉରକେଲାରେ ଉନ୍ମୋଚନ କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ  । ୨୦୧୯ ପାଇଁ ଟ୍ରମ୍ପ କାର୍ଡ ଭଳି ଏହା କାମ କରିବ ବୋଲି ଆଶା ରଖିଛି କଂଗ୍ରେସ  । ସର୍ବନିମ୍ନ ରୋଜଗାର ଗ୍ୟାରେଂଟି ଲାଗି ପ୍ରତିଶ୍ରୁତିକୁ ନେଇ ସାରା ଦେଶରେ ଚର୍ଚ୍ଚା ଜୋର ଧରୁଥିବା ବେଳେ ସରକାରକୁ ଆସିଲେ ଯୁବକ, କୃଷକ, ମହିଳାଙ୍କୁ ଗ୍ୟାରେଂଟି ଦେବା କାର୍ଯ୍ୟକ୍ରମ ଆରମ୍ଭ କରିଛି କଂଗ୍ରେସ  । ରାଉରକେଲା ସମାବେଶରେ ପ୍ରତୀକ ଭାବେ ତିନି ଜଣଙ୍କୁ ରାହୁଲ ଗାନ୍ଧୀ ବାଂଟିଛନ୍ତି କଂଗ୍ରେସର ଗ୍ୟାରେଂଟି କାର୍ଡ । ଯୁବକଙ୍କୁ ରୋଜଗାର-ମୋ ଅଧିକାର, ଚାଷୀଙ୍କୁ ଚାଷ ମୋର-ଦେଶ ମୋର, ମହିଳାଙ୍କୁ ମୋ ଶିକ୍ଷା, ମୋ ସମ୍ମାନ, ମୋ ସୁରକ୍ଷା ନାଁରେ ଗ୍ୟାରେଂଟି କାର୍ଡ ଦିଆଯାଉଛି ।

କଂଗ୍ରେସର ଗ୍ୟାରେଂଟି କାର୍ଡରେ ରହିଛି  :

– ଗରିବ ପରିବାର ପାଇଁ ସର୍ବନିମ୍ନ ଆୟର ଗ୍ୟାରେଂଟି

– ଅଭାବୀ ପରିବାରକୁ ଚାକିରି

– ସରକାର ଗଠନର ପ୍ରଥମ ଦିନରେ ଋଣ ଛାଡ

– ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୬୦୦ ଟଙ୍କା

– ଝିଅଙ୍କୁ ମାଗଣାରେ ଉଚ୍ଚଶିକ୍ଷା ଓ ବିବାହ ପାଇଁ ଆର୍ଥିକ ସହାୟତା

– ଅତ୍ୟାଚାର ରୋକିବା ପାଇଁ ପ୍ରତି ପଂଚାୟତରେ ସ୍ୱତନ୍ତ୍ର ମହିଳା ଅଧିକାରୀ

୨୦୧୯ ନିର୍ବାଚନ ମଇଦାନରେ ବାଜିମାତ୍ କରିବାକୁ ରଣନୀତି ପ୍ରସ୍ତୁତ କରୁଛି କଂଗ୍ରେସ  । କୃଷିଋଣ ଛାଡ଼ର ପ୍ରତିଶ୍ରୁତି ଦେଇ ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ବିଜେପି ହାତରୁ କ୍ଷମତା ଛଡ଼ାଇ ନେବା ପରେ ଉତ୍ସାହିତ ହୋଇ ପଡିଛି ଦଳ । ରାହୁଲ ଗାନ୍ଧୀଙ୍କ ଏହି ଗ୍ୟାରେଂଟି କାର୍ଡକୁ ଘରେ ଘରେ ବାଂଟିବା ପାଇଁ ପ୍ରସ୍ତୁତ ହେଉଛି କଂଗ୍ରେସ ।