୨୦୧୯ ପାଇଁ କଂଗ୍ରେସର ରଣନୀତି ! କିଏ କେଉଁଠୁ ହେବେ ପ୍ରାର୍ଥୀ, ଖୁବଶିଘ୍ର ହୋଇପାରେ ଘୋଷଣା ।

238

କନକ ବ୍ୟୁରୋ : ୨୦୧୯ ନିର୍ବାଚନ ପାଇଁ ରଣନୀତି ଆରମ୍ଭ କରିଛି କଂଗ୍ରେସ । ନୂଆ ଅଧ୍ୟକ୍ଷ ଭାବେ ରାହୁଲ ଗାନ୍ଧି ଯୋଗ ଦେବା ପରେ ଛତିଶଗଡ, ମଧ୍ୟପ୍ରଦେଶ ଏବଂ ରାଜସ୍ଥାନ ଭଳି ବଡ ରାଜ୍ୟକୁ ନିଜ କବଜାକୁ ନେବାରେ ସଫଳ ହୋଇଛି କଂଗ୍ରେସ । ଏହା ସହ କଂଗ୍ରେସ ନେତା କର୍ମୀଙ୍କ ମନରେ ମଧ୍ୟ ନୂଆ ଆଶା ଓ ଉଦ୍ଦୀପନା ସୃଷ୍ଟି ହୋଇଛି । ତେବେ ନିର୍ବାଚନ ଯେତିକି ପାଖେଇ ପାଖେଇ ଆସୁଛି, ନୂଆ ନୂଆ ରଣନୀତି ଜରିଆରେ ଜନତାଙ୍କ ଭୋଟ୍ ହାତେଇବା ପାଇଁ ଜୋରଦାର ପ୍ରୟାସ ଆରମ୍ଭ କରିଛି କଂଗ୍ରେସ । ବିଶେଷ କରି କୃଷକମାନଙ୍କୁ ପ୍ରସଙ୍ଗ କରି ନିର୍ବାଚନୀ ବୈତରଣୀ ପାର ହେବା ପାଇଁ ପ୍ରୟାସ କରୁଛି ଦଳ । ଆଉ ଏହାର ଉଦାହରଣ ଦେଖିବାକୁ ମିଳିଥିଲା ନିର୍ବାଚନର ସେମିଫାଇନାଲ କୁହାଯାଉଥିବା ୫ଟି ରାଜ୍ୟର ନିର୍ବାଚନରେ ।

ତେବେ ଏହାରି ଭିତରେ ସମସ୍ତଙ୍କ ନଜର, କେଉଁ ନିର୍ବାଚନ ଆସନରୁ କିଏ ହେବେ ପ୍ରାର୍ଥୀ । କେଉଁଠି କଂଗ୍ରେସ ମହାମେଂଟ ସହ ପ୍ରାର୍ଥୀ ଦେବ ଆଉ କେଉଁଠି ଏକାକୀ ଲଢିବ ସେନେଇ ଖୁବ ଶୀଘ୍ର ନିଷ୍ପତ୍ତି ନିଆଯିବ ବୋଲି ବିଶେଷ ସୂତ୍ରରୁ ଜଣାପଡିଛି । ତେବେ ସବୁଠାରୁ ବଡ କଥା ସାମ୍ନାକୁ ଆସୁଛି, ଦିଲ୍ଲୀରେ ବସି ସବୁ ଟିକେଟ୍ ଫାଇନାଲ କରିବନି ଦଳ । ଏଥିପାଇଁ ଏକ ଟିକେଟ ବଣ୍ଟନ କମିଟି ହେବା ସହ ପ୍ରଦେଶ ସଂଗଠନ ଗୁଡିକର ମଧ୍ୟ ନିଷ୍ପତ୍ତି ରହିବ ।

ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁଯାୟୀ, ଏପର୍ଯ୍ୟନ୍ତ ଯେଉଁ ଫର୍ମୁଲା ଦଳ ଆପଣେଇଛି, ସେଥିରେ ଜିଲ୍ଲା କଂଗ୍ରେସ କମିଟି ତଥା ପ୍ରଦେଶ କମିଟି ପକ୍ଷରୁ ଯେଉଁ ଆଶାୟୀ ପ୍ରାର୍ଥୀଙ୍କ ନାଁ ଆସିବ, ତାଙ୍କୁ ପ୍ରାର୍ଥୀ କରିବା ନେଇ ଦଳର ମହାସଚିବ କେସି ବେଣୁଗୋପାଳଙ୍କ ଅଧ୍ୟକ୍ଷତାରେ ଥିବା କମିଟି ନିଷ୍ପତ୍ତି ନେବ । ତେବେ ଏହି କମିଟିରେ ପ୍ରଦେଶର ପ୍ରଭାରୀ ମହାସଚିବ ଏବଂ ମହାସଚିବଙ୍କ ସମେତ ଦଳର ପ୍ରଦେଶ ଅଧ୍ୟକ୍ଷ ଏବଂ ବିଧାନମଣ୍ଡଳର ଦଳୀୟ ନେତା ସାମିଲ ରହିବେ । ଆସନ୍ତା ମାର୍ଚ୍ଚ ମାସ ୧୫ ତାରିଖରୁ ମାର୍ଚ୍ଚ ୩୦ ତାରିଖ ପର୍ଯ୍ୟନ୍ତ ନିଜର ସମସ୍ତ ପ୍ରାର୍ଥୀଙ୍କ ନାଁ ଘୋଷଣା କରିପାରେ କଂଗ୍ରେସ । ଆଉ ଏଥିପାଇଁ ପ୍ରଦେଶ କମିଟି ଏବଂ ଜିଲ୍ଲା କମିଟି ଗୁଡିକୁ ଫେବୃଆରୀ ମାସ ଶେଷ ସୁଦ୍ଧା ପ୍ରାର୍ଥୀଙ୍କ ଲିଷ୍ଟ କେନ୍ଦ୍ରୀୟ କାର୍ଯ୍ୟାଳୟକୁ ପଠାଇବା ପାଇଁ କୁହାଯାଇଥିବା ଜଣାପଡିଛି ।

Comments are closed.