ଏନଡିଏକୁ ଚେକ୍ ଦେବା ପାଇଁ କଂଗ୍ରେସର ଫର୍ମୁଲା ! ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା, ପ୍ରସନ୍ନ ଆଚାର୍ଯ୍ୟଙ୍କୁ ରାଜ୍ୟସଭା ଉପାଧ୍ୟକ୍ଷ ପ୍ରାର୍ଥୀ ପାଇଁ କଂଗ୍ରେସ ଦେଇପାରେ ପ୍ରସ୍ତାବ

38

କନକ ବ୍ୟୁରୋ : ବିଜେଡି ସାଂସଦ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ରାଜ୍ୟସଭା ଉପାଧ୍ୟକ୍ଷ ପ୍ରାର୍ଥୀ ଭାବେ ପ୍ରସ୍ତାବ ଦେଇପାରେ କଂଗ୍ରେସ । ଜାତୀୟ ଗଣମାଧ୍ୟମରେ ଏ ନେଇ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ନିକଟରେ ଶେଷ ହେବାକୁ ଯାଉଛି ରାଜ୍ୟସଭା ଉପାଧ୍ୟକ୍ଷ ପି. ଜେ କୋରିୟନଙ୍କ କାର୍ଯ୍ୟକାଳ । ଉପନିର୍ବାଚନରେ ବିଜେପିକୁ ରୋକିବାର ବିରୋଧୀ ସଫଳ ହୋଇଥିବା ବେଳେ ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ଏହି ଫର୍ମୁଲା ଆପଣାଇବାକୁ ଯାଉଛି କଂଗ୍ରେସ । ନିଜେ ପ୍ରାର୍ଥୀ ନଦେଇ ବିଜେଡି କିମ୍ବା ତୃଣମୂଳ କଂଗ୍ରେସ ସାଂସଦଙ୍କୁ ପ୍ରାର୍ଥୀ କରିବାକୁ ଚାହୁଁଛି କଂଗ୍ରେସ । ତେବେ ଏପରି ପ୍ରସ୍ତାବ ପାଇଲେ କି ଫଇସଲା କରିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ, ଏହା ଉପରେ ସମସ୍ତଙ୍କ ନଜର ।

ଉପନିର୍ବାଚନରେ ବିଜେପିକୁ ମାତ୍ ଦେବାରେ ବିରୋଧୀଙ୍କୁ ସଫଳତା ମିଳିବା ପରେ ଏବେ ନଜର ରାଜ୍ୟସଭା ଉପାଧ୍ୟକ୍ଷ ପଦକୁ ନେଇ । ଉପନିର୍ବାଚନ ଫର୍ମୁଲାରେ ବିଜେପିକୁ ଏହି ପଦବୀ ନଦେବା ପାଇଁ ରଣନୀତି ଆରମ୍ଭ କରିଦେଇଛି କଂଗ୍ରେସ । ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି ବିଜେଡି ସାଂସଦ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ରାଜ୍ୟସଭା ଉପାଧ୍ୟକ୍ଷ ପ୍ରାର୍ଥୀ କରିବା ପାଇଁ ପ୍ରସ୍ତାବ ଦେଇପାରେ କଂଗ୍ରେସ ।

ନିଜ ଦଳରୁ ପ୍ରାର୍ଥୀ ନ ଦେଇ ବିଜେଡି କିମ୍ବା ତୃଣମୂଳ କଂଗ୍ରେସରୁ ଜଣକୁ ପ୍ରାର୍ଥୀ କରିବା ପାଇଁ ଯୋଜନା କରୁଛି କଂଗ୍ରେସ । ଏପରି ହେଲେ ବିରୋଧୀ ଦଳକୁ ପୁଣି ଥରେ ଏକାଠି କରିବାରେ ସମର୍ଥ ହେବ କଂଗ୍ରେସ । କୌଣସି ପରିସ୍ଥିତିରେ ବିଜେପି ହାତକୁ ଏହି ପଦବି ଟେକି ଦେବାକୁ ଚାହୁଁନାହିଁ ଦଳ । ଏବେ ସ୍ୱାଭାବିକ ଭାବେ ପ୍ରଶ୍ନ ଉଠୁଛି, ଏପରି ସ୍ଥିତି ଉପୁଜିଲେ କ’ଣ ଫଇସଲା କରିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । କାରଣ ଉଭୟ ବିଜେପି ଓ କଂଗ୍ରେସ ଠାରୁ ସମଦୂରତ୍ୱ କଥା କହିଆସୁଛନ୍ତି ନବୀନ ।

ବିଜେଡି ସାଂସଦ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ରାଜ୍ୟସଭା ଉପାଧ୍ୟକ୍ଷ ପ୍ରାର୍ଥୀ କରିବାର ପ୍ରସ୍ତାବ ଦେବା ପଛରେ କଂଗ୍ରେସର ବଡ଼ ଉଦ୍ଦେଶ୍ୟ ରହିଛି । ପ୍ରଥମେ ବିଜେପିକୁ ଅଟକାଇବା ଏବଂ ଦ୍ୱିତୀୟରେ ବିଜେଡି, ତୃଣମୂଳ କଂଗ୍ରେସ ଭଳି ଦଳର ନିକଟବର୍ତି ହେବା । ଏ ସବୁ ହେଉଛି ୨୦୧୯ ରଣନୀତିର ଗୋଟିଏ ଗୋଟିଏ ଅଂଶ ।

ଦୈନିକ ଇଂରାଜୀ ଖବରକାଗଜ ହିନ୍ଦୁସ୍ତାନ ଟାଇମ୍ସର ରିପୋର୍ଟ ଅନୁସାରେ ଜଣେ ବରିଷ୍ଠ ବିଜେଡି ନେତା କହିଛନ୍ତି, ଅଣକଂଗ୍ରେସ ପ୍ରାର୍ଥୀଙ୍କୁ ସମର୍ଥନ ଦେବ ବିଜେଡି । ତୃଳମୂଳ କଂଗ୍ରେସ ନେତା ଡାରେକ୍ ଓ ବ୍ରିଏନଙ୍କ ସହ ଆଲୋଚନା କରିଛି ବିଜେଡି ସାଂସଦ ଭର୍ତ୍ତୃହରି ମହତାବ । ହିନ୍ଦୁସ୍ତାନ ଟାଇମ୍ସରେ ପ୍ରକାଶିତ ରିପୋର୍ଟରେ କୁହାଯାଇଛି, ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଲୋଚନା କରିଛନ୍ତି ଭର୍ତ୍ତୃହରି । ଗୋଟିଏ ପଟେ ବିରୋଧୀ ରଣନୀତି ପ୍ରସ୍ତୁତ କଲାବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ରାଜ୍ୟସଭା ଉପାଧ୍ୟକ୍ଷ ପଦ ପାଇଁ ପ୍ରାର୍ଥୀ ଦେବ ବିଜେପି ।

ନିକଟରେ ଶେଷ ହେବ ରାଜ୍ୟସଭା ଉପାଧ୍ୟକ୍ଷ ପି. ଜେ. କୋରିୟନଙ୍କ କାର୍ଯ୍ୟକାଳ । ରାଜ୍ୟସଭାରେ ବିଜେପି ନେତୃତ୍ୱାଧିନ ଏନଡିଏରେ ଅଛନ୍ତି ୮୮ ଜଣ ସଦସ୍ୟ । ସେହିପରି କଂଗ୍ରେସ ନେତୃତ୍ୱରେ ୟୁପିଏରେ ଅଛନ୍ତି ୫୮ ଜଣ ସଦସ୍ୟ । ତୃଣମୂଳ କଂଗ୍ରେସ, ଏଆଇଏଡ଼ିଏମକେ, ସମାଜବାଦୀ ପାର୍ଟିର ୧୩ ଜଣ ଲେଖାଏଁ ସାଂସଦ ଅଛନ୍ତି । ଏହା ତଳକୁ ରହିଛି ବିଜେଡିର ୯ ଜଣ ସାଂସଦ । ତେଣୁ ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ବିଜେଡି ଏକ ନିର୍ଣ୍ଣାୟକ ଭୂମିକା ତୁଲାଇବାକୁ ଯାଉଛି ।