ରାଜ୍ୟରେ ୭୫ ପ୍ରତିଶତ ଲୋକସଭା ଆସନରେ କଂଗ୍ରେସ ବଦଳାଇବ ପ୍ରାର୍ଥୀ । ୨୦୧୯ରେ ନୂଆ ପୁରୁଖା ମୁହଁକୁ ନେଇ ତାଲିକା ଚୂଡାନ୍ତ ।

ଆସ୍କା ଓ ଭୁବନେଶ୍ୱର ଲୋକସଭା ଆସନ ମେଂଟ ସହଯୋଗୀ ଦଳ ଅର୍ଥାତ୍ ସିପିଆଇ ଓ ସିପିଏମ ପାଇଁ ଛାଡି ବାକି ୧୯ ଆସନ ପାଇଁ ଦୁଇ ତଥା ଦୁଇରୁ ଅଧିକ ନାଁ ଏଆଇସିସିକୁ ପଠାଇ ଦିଆଯାଇଛି । ଅନେକ କ୍ଷେତ୍ରରେ ଯୁବ ନେତୃତ୍ୱକୁ ଗୁରୁତ୍ୱ ଦିଆଯାଉଥିବା ଦଳ ତରଫରୁ କୁହାଯାଉଛି ।

730

କନକ ବ୍ୟୁରୋ : ୨୦୧୯ ନିର୍ବାଚନ ମୈଦାନରେ ୨୧ ସଂସଦୀୟ କ୍ଷେତ୍ରରେ କଂଗ୍ରେସ ପ୍ରାର୍ଥୀ ଚୟନରେ ବ୍ୟାପକ ପରିବର୍ତ୍ତନ କରିଥିବା କୁହାଯାଉଛି । ବୁଧବାର ବସିଥିବା ପ୍ରଦେଶ ନିର୍ବାଚନ କମିଟି ବୈଠକରେ ଯେଉଁ ନାଁକୁ ଦିଲ୍ଲୀକୁ ପଠାଯାଇଛି, ସେଥିରୁ ଏହି ଗୁରୁତ୍ୱପୂର୍ଣ୍ଣ ଦିଗଟି ସାମ୍ନାକୁ ଆସିଛି । ପାଖାପାଖି ୭୫ ପ୍ରତିଶତ ଆସନରେ କଂଗ୍ରେସ ପ୍ରାର୍ଥୀ ବଦଳାଇ ଥିବା କୁହାଯାଉଛି ।

ସୂଚନା ଅନୁସାରେ, ଆସ୍କା ଓ ଭୁବନେଶ୍ୱର ଲୋକସଭା ଆସନ ମେଂଟ ସହଯୋଗୀ ଦଳ ଅର୍ଥାତ୍ ସିପିଆଇ ଓ ସିପିଏମ ପାଇଁ ଛାଡି ବାକି ୧୯ ଆସନ ପାଇଁ ଦୁଇ ତଥା ଦୁଇରୁ ଅଧିକ ନାଁ ଏଆଇସିସିକୁ ପଠାଇ ଦିଆଯାଇଛି । ଅନେକ କ୍ଷେତ୍ରରେ ଯୁବ ନେତୃତ୍ୱକୁ ଗୁରୁତ୍ୱ ଦିଆଯାଉଥିବା ଦଳ ତରଫରୁ କୁହାଯାଉଛି ।

୨୧ ଲୋକସଭା ଆସନରୁ ୧୪ ଆସନ ଏମିତି ରହିଛି, ଯେଉଁଠି କଂଗ୍ରେସ ପ୍ରାର୍ଥୀ ବଦଳିବେ । ୨୦୧୪ରେ କଂଗ୍ରେସ ଟିକେଟରୁ ଲଢିଥିବା କିଛି ନେତା ଏହାରି ଭିତରେ ଦଳ ବଦଳ କରି ସାରିଥିବା ବେଳେ କିଛି ନେତା ରାଜନୀତି ଛାଡି ସାରିଛନ୍ତି । ଏହାଛଡା କିଛି ଆସନରେ ପ୍ରାର୍ଥୀ ବଦଳାଇବାକୁ ଦଳ ସୁପାରିଶ ମଧ୍ୟ କରି ସାରିଛି ।

ନଜର ପକାନ୍ତୁ କେଉଁ ଲୋକସଭା ଆସନରେ ୨୦୧୪ରେ କିଏ ପ୍ରାର୍ଥୀ ଥିଲେ ଆଉ ୨୦୧୯ରେ କାହା ଲଢିବାର ସମ୍ଭାବନା ଅଧିକ ରହିଛି ।

ବ୍ରହ୍ମପୁର ଲୋକସଭା ଆସନ
୨୦୧୪ରେ ଏହି ଆସନରୁ ବରିଷ୍ଠ ନେତା ଚନ୍ଦ୍ରଶେଖର ସାହୁ ଲଢିଥିଲେ ମଧ୍ୟ ବିଜେଡି ପ୍ରାର୍ଥୀ ସିଦ୍ଧାନ୍ତ ମହାପାତ୍ରଙ୍କ ନିକଟରୁ ପରାସ୍ତ ହୋଇଥିଲେ । ଆଉ ପରିବର୍ତ୍ତିତ ସ୍ଥିତିରେ ଚନ୍ଦ୍ରଶେଖର ସାହୁ ବିଜେଡିରେ ସାମିଲ ହୋଇ ସାରିଛନ୍ତି । ୨୦୧୯ରେ କଂଗ୍ରେସ ଏହି ଆସନ ପାଇଁ ତିରୁପତି ପାଣିଗ୍ରାହୀ ଓ ତ୍ରିନାଥ ବେହେରାଙ୍କ ନାଁ ସୁପାରିଶ କରିଥିବେ ବେଳେ ତିରୁପତି ପାଣିଗ୍ରାହୀଙ୍କୁ ଟିକେଟ ମିଳିଥିବା ଏପ୍ରକାର ସ୍ପଷ୍ଟ ବୋଲି କୁହାଯାଉଛି ।

ଆସ୍କା ଲୋକସଭା ଆସନ
୨୦୧୪ରେ ଏହି ଆସନରୁ ଲୋକନାଥ ରଥ ଲଢିଥିଲେ । ଏହି ଆସନରୁ ସାଂସଦ ଭାବେ ନିର୍ବାଚିତ ହୋଇଥିବା ରାମଚନ୍ଦ୍ର ରଥଙ୍କ ପୁଅ ଆଉ ସୁପ୍ରିମକୋର୍ଟ ଆଇନଜୀବି ମଧ୍ୟ । ହେଲେ ୨୦୧୪ରେ ସେ ବିଜେଡି ପ୍ରାର୍ଥୀ ଲଡୁକିଶୋର ସ୍ୱାଇଁଙ୍କ ଠାରୁ ପରାସ୍ତ ହୋଇଥିଲେ । ୨୦୧୯ରେ କଂଗ୍ରେସ ଏହି ଆସନ ମେଂଟ ସହଯୋଗୀଙ୍କ ପାଇଁ ଛାଡିବ, ସେଥିପାଇଁ ଏହି ଆସନ ପାଇଁ କାହା ନାଁ ସୁପାରିଶ କରାଯାଇ ନାହିଁ ।

କୋରାପୁଟ ଲୋକସଭା ଆସନ
୨୦୧୪ରେ ଏହି ଆସନରୁ ଲଢିଥିଲେ ଗିରିଧାରୀ ଗମାଙ୍ଗ । ବିଜେଡି ପ୍ରାର୍ଥୀ ଝିନ୍ନ ହିକକ୍କାଙ୍କ ଠାରୁ ପରାସ୍ତ ହୋଇଥିଲେ ଏହି ବରିଷ୍ଠ ନେତା । ରାଜନୈତିକ ଘଟଣାକ୍ରମରେ ଗିରିଧାରୀ ଗମାଙ୍ଗ ଏବେ ବିଜେପି ଦଳରେ । ତେଣୁ ସ୍ୱାଭାବିକ ଭାବେ କଂଗ୍ରେସ ଏହି ଆସନରେ ନୂଆ ପ୍ରାର୍ଥୀ ଦେବାକୁ ସୁପାରିଶ କରିଛି । ଦଳ ତରଫରୁ ମେରି ସୁରିନ ଓ ସପ୍ତଗିରି ଉଲାକାଙ୍କ ନାଁ ସୁପାରିଶ କରାଯାଇଥିବା ସୂଚନା ମିଳିଛି । ୨୦୧୯ରେ କଂଗ୍ରେସ ପ୍ରାର୍ଥୀ ଭାବେ ମେରି ସୁରିନ୍ ସାମ୍ନାକୁ ଆସିପରନ୍ତି ବୋଲି ସୂଚନା ମିଳିଛି ।

ନବରଙ୍ଗପୁର ଲୋକସଭା ଆସନ
୨୦୦୯ରେ ସାଂସଦ ଥିବା ପ୍ରଦୀପ ମାଝୀ ୨୦୧୪ରେ ପ୍ରାର୍ଥୀ ହୋଇ ବିଜେଡି ପ୍ରାର୍ଥୀ ବଲଭଦ୍ର ମାଝୀଙ୍କ ଠାରୁ ପରାସ୍ତ ହୋଇଥିବା ବେଳେ ୨୦୧୯ରେ ମଧ୍ୟ କଂଗ୍ରେସ ତାଙ୍କୁ ପ୍ରାଥ୍ଥକ୍ଷ କରିବ । ତେଣୁ ଏହି ଆସନରେ ପ୍ରଦୀପ ମାଝୀ ଦଳ ପାଇଁ ଭୋଟ ଲଢେଇରେ ସାମ୍ନାକୁ ଆସିବେ ବୋଲି କୁହାଯାଉଛି ।

କଳାହାଣ୍ଡି ଲୋକସଭା ଆସନ
୨୦୧୯ରେ ପୂର୍ବଭଳି ଭକ୍ତଚରଣ ଦାସ କଂଗ୍ରେସର ପ୍ରାର୍ଥୀ ହେବା ସମ୍ଭାବନା ଅଧିକ । ୨୦୦୯ରେ ସେ ବାଜିମାତ କରିଥିବେ ବେଳେ ୨୦୧୪ରେ ପରାସ୍ତ ହୋଇଥିଲେ କଂଗ୍ରେସର ଏହି ଭେଟେରାନ ନେତା ।

ସମ୍ବଲପୁର ଲୋକସଭା ଆସନ
ଏହି ଲୋକସଭା ଆସନ ପାଇଁ କଂଗ୍ରେସ ୨ ହେଭିୱେଟଙ୍କ ନାଁ ସୁପାରିଶ କରିଛି । ପୂର୍ବତନ ସାଂସଦ ଅମର ପ୍ରଧାନ ଏବଂ ପୂର୍ବତନ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ନାଁ ସୁପାରିଶ କରାଯାଇଛି । ୨୦୦୯ରେ ଏହି ଆସନରୁ ସାଂସଦ ଥିଲେ ଅମର ପ୍ରଧାନ, ୨୦୧୪ରେ ପରାସ୍ତ ହୋଇଥିଲେ । ତେବେ ଦୁଇ ହେଭିୱେଟଙ୍କୁ ସାମ୍ନାକୁ ଆଣି କଂଗ୍ରେସ ବଡ ଧରଣର ଗୋଟିଚାଳନା କରିଥିବା ଅନୁମାନ କରାଯାଉଛି ।

ବରଗଡ ଲୋକସଭା ଆସନ
୨୦୧୪ରେ କଂଗ୍ରେସ ପ୍ରାର୍ଥୀ ଥିଲେ ୨୦୦୯ରେ ବିଜୟୀ ହୋଇଥିବା ସଂଜୟ ଭୋଇ । ହେଲେ ବିଜେଡି ପ୍ରାର୍ଥୀ ପ୍ରଭାସ ସିଂଙ୍କ ଠାରୁ ସେ ପରାସ୍ତ ହୋଇଥିଲେ । ୨୦୧୯ ପାଇଁ ହେମାନନ୍ଦ ବିଶ୍ୱାଳ, ପ୍ରକାଶ ଦେବତା, କିଶୋର ପଟେଲ, ସାଧୁ ନେପାକଙ୍କ ଭଳି ତୁଙ୍ଗ ନେତାଙ୍କ ନାଁ ସୁପାରିଶ କରାଯାଇଥିବା ସୂଚନା ମିଳିଛି । ୨୦୧୯ ପାଇଁ ହେମାନନ୍ଦ ବିଶ୍ୱାଳ କଂଗ୍ରେସର ପ୍ରାର୍ଥୀ ହେବା ସମ୍ଭାବନା ଅଧିକ ।

ବାଲେଶ୍ୱର ଲୋକସଭା ଆସନ
୨୦୦୯ରେ ଏହି ଆସନରୁ ଜିତି କେନ୍ଦ୍ରମନ୍ତ୍ରୀ ହୋଇଥିବା ଶ୍ରୀକାନ୍ତ ଜେନା ୨୦୧୪ରେ ଏହି ଆସନରୁ ପରାସ୍ତ ହୋଇଥିଲେ । ବଦଳିଥିବା ସମୀକରଣରେ ଶ୍ରୀକାନ୍ତ ଜେନା କଂଗ୍ରେସରୁ ବହିଷ୍କୃତ ହୋଇ ସାରିଛନ୍ତି । ବଡ ରଜନୈତିକ ଘଟଣାକ୍ରମରେ ପିସିସି ସଭାପତି ନିରଂଜନ ପଟ୍ଟନାୟକଙ୍କ ପୁଅ ନବଜ୍ୟୋତି ପଟ୍ଟନାୟକ ଏହି ଆସନରୁ ୨୦୧୯ରେ ଲଢିବା ଏକପ୍ରକାରର ସ୍ପଷ୍ଟ ।

ସୁନ୍ଦରଗଡ ଲୋକସଭା ଆସନ
୨୦୦୯ରେ ସାଂସଦ ଥିବା ହେମାନନ୍ଦ ବିଶ୍ୱାଳ ୨୦୧୪ରେ ଦଳର ପ୍ରାର୍ଥୀ ହୋଇ ପରାସ୍ତ ହୋଇଥିଲେ । ୨୦୧୯ ପାଇଁ ଦୁଇ ନୂଆ ଚେହେରାଙ୍କୁ ସାମ୍ନାକୁ ଆଣିଛି କଂଗ୍ରେସ । ନିକଟରେ କଂଗ୍ରେସରେ ସାମିଲ ହୋଇଥିବା ଜର୍ଜ ତିର୍କୀ ଓ ତଳସାରା ବିଧାୟକ ପ୍ରଫୁଲ ମାଝୀଙ୍କ ନାଁ ଦଳ ସୁପାରିଶ କରିଥିବା କୁହାଯାଉଛି । ଚର୍ଚ୍ଚା ଅନୁସାରେ, ଜର୍ଜ ତିର୍କୀ ୨୦୧୯ ପାଇଁ ସୁନ୍ଦରଗଡ କ୍ଷେତ୍ରରେ ଦଳର ପ୍ରାର୍ଥୀ ହେବା ସମ୍ଭାବନା ଅଧିକ ।

ଭୁବନେଶ୍ୱର ଲୋକସଭା ଆସନ
୨୦୧୪ରେ ଏହି ଆସନରୁ ପ୍ରାର୍ଥୀ ହୋଇଥିବା ବିଜୟ ମହାନ୍ତି ରାଜନୀତିରୁ ନିଜକୁ ଦୂରେଇ ଦେଇଛନ୍ତି । ଆଉ ୨୦୧୯ରେ କଂଗ୍ରେସ ଏହି ଆସନରେ ପ୍ରାର୍ଥୀ ନଦେଇ ମେଂଟ ସହଯୋଗୀଙ୍କୁ ଆସନ ଛାଡିଦେବ । ସୂଚନା ଅନୁସାରେ ବରିଷ୍ଠ ବାମପନ୍ଥୀ ନେତା ଜନାର୍ଦ୍ଦନ ପତି ଏହି ଆସନରୁ ୨୦୧୯ରେ ଲଢିବେ ।

କନ୍ଧମାଳ ଲୋକସଭା ଆସନ
୨୦୧୪ରେ ଏହି ଆସନରୁ ପ୍ରାର୍ଥୀ ଥିଲେ ହରିହର କରଣ । ତାଙ୍କ ଦେହାନ୍ତ ପରେ କଂଗ୍ରେସ ଏହି ଆସନ ପାଇଁ ନୂଆ ପ୍ରାର୍ଥୀଙ୍କୁ ସାମ୍ନାକୁ ଆଣୁଛି । ମନୋଜ ଆଚାର୍ଯ୍ୟ ଏବଂ ଚନ୍ଦ୍ରଶେଖର ପରିଡାଙ୍କ ନାଁକୁ କଂଗ୍ରେସ ଟିକେଟ ତାଲିକାରେ ରଖିଛି ।

ପୁରୀ ଲୋକସଭା ଆସନ
୨୦୧୪ରେ ଏହି ଆସନରୁ ସୁଚରିତା ମହାନ୍ତି ଲଢିଥିଲେ ମଧ୍ୟ ପ୍ରଭାବୀ ପ୍ରଦର୍ଶନ କରିବାରେ ବିଫଳ ହୋଇଥିଲେ । ୨୦୧୯ ପାଇଁ ଦୁଇ ଯୁବ ଚେହେରାଙ୍କୁ କଂଗ୍ରେସ ସାମ୍ନାକୁ ଆଣି ବଡ ଧରଣର ଲଢେଇ ପାଇଁ ପ୍ରସ୍ତୁତ ହେଉଛି । ବିଶ୍ୱ ମହାନ୍ତି ଓ ସତ୍ୟ ପ୍ରକାଶ ନାୟକଙ୍କ ନାଁ ଉପରେ ପ୍ରଦେଶ ନିର୍ବାଚନ କମିଟି ମୋହର ମାରି ଦିଲ୍ଲୀ ପଠାଇଥିବା ସୂଚନା ମିଳିଛି ।

କଟକ ଲୋକସଭା ଆସନ
ଓଲିଉଡ ଅଭିନେତ୍ରୀ ଅପରାଜିତା ମହାନ୍ତି ୨୦୧୪ରେ ଏହି ଆସନରୁ ଲଢିଥିଲେ । ଆଉ ଏବେ କଂଗ୍ରେସ ଛାଡି ବିଜେପିରେ ସାମିଲ ହୋଇ ସାରିଛନ୍ତି ଅପରାଜିତା ମହାନ୍ତି । ୨୦୧୯ ପାଇଁ କଂଗ୍ରେସରେ ନିକଟରେ ସାମିଲ ହୋଇଥିବା ପୂର୍ବତନ ଅର୍ଥମନ୍ତ୍ରୀ ପଂଚାନନ କାନୁନଗୋ ଏବଂ ବରିଷ୍ଠ କଂଗ୍ରେସ ନେତା ସୁରେଶ ମହାପାତ୍ରଙ୍କ ନାଁ ସୁପାରିଶ କରାଯାଇଛି । ସୂଚନା ଅନୁସାରେ ପଂଚାନନ କାନୁନଗୋ ଦଳ ଟିକେଟରୁ ୨୦୧୯ରେ ନିର୍ବାଚନ ଲଢିବେ ।

ଢେଙ୍କାନାଳ ଲୋକସଭା ଆସନ
୨୦୧୪ରେ ଏହି ଆସନରୁ ପ୍ରାର୍ଥୀ ହୋଇଥିବା ସୁଧୀର ସାମଲ ଏବେ ବିଜେଡି କ୍ୟାମ୍ପରେ । ଆଉ ୨୦୧୯ ପାଇଁ କଂଗ୍ରେସ ଦୁଇ ଭେଟେରାନ ଚେହେରାଙ୍କ ନାଁ ସୁପାରିଶ କରିଛି । ପୂର୍ବତନ ପିସିସି ସଭାପତି କେ. ପି. ସିଂଦେଓ ଏବଂ ପୂର୍ବତନ ରାଜ୍ୟସଭା ସାଂସଦ ରାମଚନ୍ଦ୍ର ଖୁଂଟିଆଙ୍କ ନାଁକୁ ଏଆଇସିସି ନିକଟକୁ ପଠାଇଛି ଦଳ । ବଡ ଲଢେଇ ପାଇଁ କିଏ ଏଠି ମୈଦାନକୁ ଓହ୍ଲାଇବ ତା’ଉପରେ ସମସ୍ତଙ୍କ ନଜର ରହିଛି ।

ବଲାଙ୍ଗୀର ଲୋକସଭା ଆସନ
୨୦୧୪ରେ ଏହି ଆସନରୁ ଲଢିଥିଲେ ଶରତ ପଟ୍ଟନାୟକ । ତାଙ୍କ ନାଁକୁ ସୁପାରିଶ କରାଯାଇଛି ସମ୍ବଲପୁର ଲୋକସଭା ଆସନ ପାଇଁ । ଆଉ ୨୦୧୯ ପରିପ୍ରେକ୍ଷୀରେ ସମରେନ୍ଦ୍ର ମିଶ ଏବଂ ଲକ୍ଷ୍ମଣ କୁମାର ମେହେରାଙ୍କ ନାଁ ଦଳ ତରଫରୁ ସୁପାରିଶ କରାଯାଇଛି । ସୂଚନା ଅନୁସାରେ, ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ପୁଅ ସମରେନ୍ଦ୍ର ମିଶ୍ର ୨୦୧୯ରେ ଦଳର ପ୍ରାର୍ଥୀ ହୋଇପାରନ୍ତି ।

ମୟୁରଭଂଜ ଲୋକସଭା ଆସନ
କଂଗ୍ରେସ ପ୍ରାର୍ଥୀ ଭାବେ ଶ୍ୟାମ ସୁନ୍ଦର ହାଁସଦା ୨୦୧୪ରେ ମୈଦାନକୁ ଆସିଥିଲେ । ହେଲେ ୨୦୧୯ ପାଇଁ କଂଗ୍ରେସ ଏହି ଆସନ ମେଂଟ ସହଯୋଗୀଙ୍କୁ ଛାଡିବ । ସୂଚନା ଅନୁସାରେ ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନଙ୍କ ଝିଅ ଅଂଜଳି ସୋରେନ ଏହି ଆସନରୁ ଲଢିବା ସମ୍ଭାବନା ଅଧିକ ।

ଯାଜପୁର ଲୋକସଭା ଆସନ
୨୦୧୪ରେ ଏହି ଆସନରୁ ଲଢି କଂଗ୍ରେସ ପ୍ରାଥୀ ଅଶୋକ ଦାସ ପରାସ୍ତ ହୋଇଥିଲେ । ୨୦୧୯ ପାଇଁ ମାନସ ଜେନା ଓ ଅର୍ଜୁନ ଚରଣ ଦାସଙ୍କ ନାଁ ସୁପାରିଶ କରାଯାଇଛି ।

ଜଗତସିଂହପୁର ଲୋକସଭା ଆସନ
୨୦୦୯ରେ ସିପିଆଇ ପ୍ରାର୍ଥୀ ଭାବେ ଆସନରୁ ଜିତିଥିବା ବିଭୁ ପ୍ରସାଦ ତରାଇ, ୨୦୧୪ରେ କଂଗ୍ରେସ ଟିକେଟରୁ ଲଢି ପରାସ୍ତ ହୋଇଥିଲେ । ୨୦୧୯ରେ କଂଗ୍ରେସ ବିଭୁ ତରାଇଙ୍କୁ ହିଁ ର୍ପ୍ରାୀ କରିବାର ସମ୍ଭାବନା ଅଧିକ । ବିଭୁଙ୍କ ସହ ପ୍ରଶାନ୍ତ ମଲ୍ଲିକଙ୍କ ନାଁ ଯଦିଓ ସୁପାରିଶ କରାଯାଇଛି ହେଲେ ବିଭୁ ତରାଇଙ୍କ ପଲ୍ଲା ଭାରି ରହିଛି ।

କେନ୍ଦୁଝର ଲୋକସଭା ଆସନ
୨୦୧୪ରେ ଏହି ଆସନରୁ ଲଢିଥିଲେ ମାଧବ ସର୍ଦ୍ଦାର । ୨୦୧୯ ପାଇଁ କଂଗ୍ରେସ ଏଠି ପ୍ରାର୍ଥୀ ବଦଳାଇବ । ହରମୋହନ ସୁରେନ, ବିନିତା ମାଝୀ ଙ୍କ ନାଁ ପ୍ରଦେଶ ନିର୍ବାଚନ କମିଟି ତରଫରୁ ଏଆଇସିସି ନିକଟକୁ ସୁପାରିଶ କରାଯାଇଥିବା ଜଣାପଡିଛି ।

କେନ୍ଦ୍ରାପଡା ଲୋକସଭା ଆସନ
୨୦୧୪ରେ ଏହି ଆସନରୁ ଲଢିଥିଲେ ଧରଣୀଧର ନାୟକ । ୨୦୧୯ ପାଇଁ ମଧ୍ୟ କଂଗ୍ରେସ ତାଙ୍କୁ ପ୍ରାର୍ଥୀ କରିବ । ରାଜ୍ୟ କଂଗ୍ରେସ ତରଫରୁ ଧରଣୀଧର ନାୟକ, ଚିନ୍ମୟ ବେହୁରାଙ୍କ ନାଁ ଯଦିଓ ସୁପାରିଶ କରାଯାଇଛି, ହେଲେ ଧରଣୀଧରଙ୍କ ପଲ୍ଲା ଭାରି ରହିଛି ।

ଭଦ୍ରକ ଲୋକସଭା ଆସନ
୨୦୧୪ରେ ସଂଗ୍ରାମ ଜେନା ନିର୍ବାଚନ ଲଢିଥିବା ବେଳେ ୨୦୧୯ ପାଇଁ କଂଗ୍ରେସ ଜଣେ ପୁରୁଖା ନେତାଙ୍କୁ ସାମ୍ନାକୁ ଆଣିବ ବୋଲି ସୂଚନା ମିଳିଛି । ଅନନ୍ତ ସେଠୀ, ପଂଚାନନ ମଣ୍ଡଳଙ୍କ ନାଁ ପ୍ରଦେଶ କଂଗ୍ରେସ କମିଟି ତରଫରୁ ସୁପାରିଶ କରାଯାଇଥିବା ବେଳେ ଅନନ୍ତ ସେଠୀଙ୍କ ପଲ୍ଲା ଭାରି ରହିଥିବା କୁହାଯାଉଛି ।