କଂଗ୍ରେସର ୧୫ଟି ଲୋକସଭା ୧୦୫ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଚୂଡ଼ାନ୍ତ ! ମହିଳାଙ୍କୁ ଅଗ୍ରାଧିକାର, ୧୭ରେ ହୋଇପାରେ ନାମ ଘୋଷଣା

260

କନକ ବ୍ୟୁରୋ : ଚାଲିଛି କଂଗ୍ରେସର ପ୍ରାର୍ଥୀ ଚୟନ କସରତ୍ । ଗତକାଲି ଦିନ ତମାମ ନୂଆଦିଲ୍ଲୀରେ ଚାଲିଥିବା କଂଗ୍ରେସର ସ୍କ୍ରିନିଂ କମିଟି ବୈଠକ ସରୁସରୁ ଆଜି ଭୋର ୪ଟା ବାଜିଯାଇଥିଲା । ବୈଠକରେ ଓଡ଼ିଶାର ୧୫ଟି ଲୋକସଭା ଓ ୧୦୫ଟି ବିଧାନସଭା ଆସନ ପାଇଁ କଂଗ୍ରେସ ପ୍ରାର୍ଥୀମାନଙ୍କ ତାଲିକା ଆପାତତଃ ଚୂଡ଼ାନ୍ତ ହୋଇଛି । ସେହି ତାଲିକା ଏଆଇସିସିର କେନ୍ଦ୍ରୀୟ ନିର୍ବାଚନ କମିଟି(ସିଇସି)କୁ ପଠାଯାଇଥିବା ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଛି । ଓଡ଼ିଶାରେ ନିର୍ବାଚନ ପାଇଁ ଆସନ୍ତା ୧୮ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ ।

ଏହା ପୂର୍ବରୁ ଅର୍ଥାତ୍‌ ୧୭ ତାରିଖରେ ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟା‌ୟରେ ନିର୍ବାଚନ ସାମ୍ନା କରୁଥିବା ରାଜ୍ୟର ସମସ୍ତ ଲୋକସଭା ଓ ବିଧାନସଭା ପାଇଁ ସମ୍ଭବତଃ କଂଗ୍ରେସ ପ୍ରାର୍ଥୀମାନଙ୍କ ନାମ ଘୋଷଣା ହେବ। ସ୍କ୍ରିନିଂ କମିଟିର ମାରାଥନ୍‌ ବୈଠକରୁ ଏଭଳି ଆଭାସ ମିଳିଛି । ଏନେଇ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ଅଧିକାଂଶ ଆସନ ପାଇଁ ଆଲୋଚନା ସରିଛି । ଅଳ୍ପ କିଛି ଆସନ ପାଇଁ ବିଚାର ବିମର୍ଶ ଜାରି ରହିଛି । ୧୬ ତାରିଖରେ ସ୍କ୍ରିନିଂ କମିଟି ପୁଣି ଥରେ ବସିବ । ସେଦିନ ସମସ୍ତ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ତାଲିକାକୁ ଅନ୍ତିମ ରୂପ ଦିଆଯାଇ ସିଇସିକୁ ପଠାଯିବ ।  ୧୭ରେ ଆପାତତଃ ପ୍ରାର୍ଥୀ ତାଲିକା ଘୋଷଣା ହୋଇପାରେ ବୋଲି ନିରଞ୍ଜନ ପଟ୍ଟନାୟକ କହିଛନ୍ତି । ଆଗାମୀ ଦୁଇଦିନ ମଧ୍ୟରେ ଅଧିକ ସାମର୍ଥ୍ୟଥିବା ମହିଳା ପ୍ରାର୍ଥୀଙ୍କୁ ଖୋଜାଯିବ । ବିଧାନସଭା କ୍ଷେତ୍ର ପାଇଁ ଚୟନ କମିଟି ବୈଠକ ୧୬ରେ ଥିବାରୁ ସେଥିପାଇଁ ଚୟନରେ ବିଳମ୍ବ ହେଉଛି । ତେବେ ଏପର୍ଯ୍ୟନ୍ତ କାହାରି ଟିକେଟ୍‌ ଫାଇନାଲ୍‌ ହୋଇନାହିଁ ।

ଏବେ କୌଣସି ତାଲିକା ସିଇସିକୁ ପଠାଯାଇ ନାହିଁ ବୋଲି ସେ କହିଛନ୍ତି । ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନାନୁସାରେ ଅଧିକାଂଶ ଆସନ ପାଇଁ ସ୍କ୍ରିନିଂ କମିଟି ଜଣେ ଲେଖାଏଁ ପ୍ରାର୍ଥୀଙ୍କ ନାମ ସୁପାରିସ କରିଛି। ଅଳ୍ପ କିଛି ଆସନ ପାଇଁ ଏକାଧିକ ପ୍ରାର୍ଥୀଙ୍କ ନାମ ବି ରହିଛି । ତେବେ ଚୂଡ଼ାନ୍ତ ନିଷ୍ପତ୍ତି ନେବ ସିଇସି । ତା’ ଉପରେ ମୋହର ମାରିବେ ଏଆଇସିସି ସଭାପତି ରାହୁଲ ଗାନ୍ଧୀ । ଏଥିପାଇଁ ସ୍କ୍ରିନିଂ କମିଟିର କସରତ କରିସାରିଛି । ଏପଟେ ଅନେକ ଟିକେଟ୍‌ ଆଶାୟୀ ଦିଲ୍ଲୀରେ ଡେରା ପକାଇଛନ୍ତି ।