ବଳ ଗୋଟାଉଛି ବିଜେପି ! ଆଜି ବିରାଟ ମିଶ୍ରଣ ପର୍ବରେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେବେ ଲୁଲୁଙ୍କ ପରିବାର

37

କନକ ବ୍ୟୁରୋ: ବିଜେପି ଉପକୂଳ ଓଡ଼ିଶାରେ ବଳ ଜୁଟାଇବାକୁ କସରତ୍ ଜାରି ରଖିଛି । ଏକ ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମରେ କଂଗ୍ରେସର ପୂର୍ବତନ ବିଧାୟକ ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ପରିବାର ବିଜେପିରେ ମିଶିବାକୁ ଯାଉଛନ୍ତି । ଲୁଲୁଙ୍କ ପରଲୋକ ପରେ ତାଙ୍କ ସମର୍ଥକଙ୍କ ଦ୍ୱାରା ଗଢ଼ାଯାଇଥିବା ଲୁଲୁ ସେନା ବିଧିବଦ୍ଧ ଭାବେ ବିଜେପିରେ ମିଶିଯିବ । ଲୁଲୁଙ୍କ ଭାଇ ଓ ତାଙ୍କ ଝିଅଙ୍କ ନେତୃତ୍ୱରେ ଏହି ମିଶ୍ରଣ ପର୍ବ ହେବ । ଉପକୂଳ ଓଡ଼ିଶାରେ ବିଜେପି ମିଶ୍ରଣ ପର୍ବର ଆଉ ଏକ ଦୃଶ୍ୟ ଆସନ୍ତା ସପ୍ତାହରେ କେନ୍ଦ୍ରାପଡ଼ାର ପଟ୍ଟାମୁଣ୍ଡାଇରେ ଦେଖିବାକୁ ମିଳିବ । ରାଜନଗରରେ ବିଜେଡିର ପୂର୍ବତନ ବିଧାୟକ ଅଲେଖ ଜେନା ବିଜେପିରେ ମିଶିବେ ।

ଲୁଲୁଙ୍କ ପରିବାର ଓ ସମର୍ଥକଙ୍କ ବିଜେପିରେ ମିଶ୍ରଣକୁ ପ୍ରଭାବୀ ଢଙ୍ଗରେ କରି ରାଜନୈତିକ ଫାଇଦା ଗୋଟାଇବାକୁ ବିଜେପି ଲକ୍ଷ୍ୟ ରଖିଛି । ସେଥି ପାଇଁ ଦଳୀୟ କାର୍ଯ୍ୟାଳୟରେ ଚିରାଚରିତ ମିଶ୍ରଣ ପର୍ବ ନ କରି ପ୍ରଦର୍ଶନୀ ପଡ଼ିଆରେ ସ୍ୱତନ୍ତ୍ର ଆୟୋଜନ କରାଯାଇଛି । ୨୦ ହଜାରରୁ ଅଧିକ ଲୋକଙ୍କୁ ଏକାଠି କରିବାକୁ ଉଦ୍ୟମ ଚାଲିଛି । ପ୍ରଥମ ଥର ପାଇଁ ରାଜଧାନୀରେ ବିଜେପିର ଏପରି ଏକ ବଡ଼ ଧରଣର ମିଶ୍ରଣ ପର୍ବ ଆୟୋଜନ କରାଯାଉଛି । କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଜେପିର ରାଜ୍ୟ ନେତୃତ୍ୱଙ୍କ ଉପସ୍ଥିତିରେ ଲୁଲୁଙ୍କ ପରିବାର ବିଜେପିରେ ମିଶିବେ ।

ଲୁଲୁଙ୍କ ଭାଇ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ଓ ତାଙ୍କ ଝିଅ ଉପାସନା ମହାପାତ୍ରଙ୍କ ବାଦ୍ ପିସିସିର ପୂର୍ବତନ ସମ୍ପାଦକ ରାଜେନ୍ଦ୍ର ପଣ୍ଡା ଓ ଛାତ୍ର କଂଗ୍ରେସର ପୂର୍ବତନ ସଭାପତି ସତ୍ୟଜିତ ପଟ୍ଟନାୟକ ମଧ୍ୟ ବିଜେପିରେ ମିଶିବେ । ସତ୍ୟଜିତ କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇ ବିଜେପିରେ ମିଶିବା ନେଇ ଘୋଷଣା କରିଛନ୍ତି । ସେ ଗତ ନିର୍ବାଚନରେ ରଣପୁରରୁ କଂଗ୍ରେସର ବିଧାୟକ ପ୍ରାର୍ଥୀ ଥିଲେ ।