ସମସ୍ୟା ଘେରରେ କଟକ । ହେଲେ ପିଟାପିଟି ହୋଇ କର୍ପୋରେଟରଙ୍କ ବୈଠକ ସରି ଯାଉଛି ୧୦ ମିନିଟରେ

37

କନକ ବ୍ୟୁରୋ : ମାତ୍ର ୧୦ ମିନିଟରେ ବୈଠକ ଶେଷ । ଏଭଳି ଏକ ଦୃଶ୍ୟ କଟକ ସିଏମସି ବୈଠକରେ ଦେଖିବାକୁ ମିଳିଛି । ଗୋଟିଏ ପଟେ କଟକ ସହର ଅସରାଏ ବର୍ଷାରେ ଜଳବନ୍ଦୀ ହେଉଥିବା ବେଳେ ପରିମଳ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭାବେ ବିପର୍ଯ୍ୟସ୍ତ ହୋଇପଡିଛି । କିନ୍ତୁ ଏହାର ସମାଧାନ ତ ଦୂରର କଥା ବରଂ ସିଏମସି ଅଧିକାରୀ ମାନେ କେମିତି ଡ୍ୟୁଟି ସାରି ଭୁବନେଶ୍ୱର ଫେରିବେ ସେଥିପାଇଁ ବ୍ୟଗ୍ର ବୋଲି କଂଗ୍ରେସ କର୍ପୋରେଟର ମାନେ ଅଭିଯୋଗ କରିଛନ୍ତି ।

କଟକରେ କମିଶନରଙ୍କ ପାଇଁ କ୍ୱାର୍ଟର ଦିଆଯାଇଛି ସତ କିନ୍ତୁ କ୍ୱାର୍ଟରରେ ନ ରହି ପ୍ରତିଦିନ ଭୁବନେଶ୍ୱରକୁ ଯିବା ଆସିବା କାହିଁକି କରୁଛନ୍ତି ବୋଲି ପ୍ରଶ୍ନ ଉଠାଇଛନ୍ତି ବିରୋଧୀ କଂଗ୍ରେସ କର୍ପୋରେଟର । ଏହାଛଡା ସହର ଜଳବନ୍ଦୀ ଓ ପରିମଳ ଟେଣ୍ଡର ଦୁର୍ନୀତି ନେଇ କଂଗ୍ରେସ କର୍ପୋରେଟର ହଟ୍ଟଗୋଳ କରିଛନ୍ତି । ମେୟରଙ୍କ ଇସ୍ତଫା ଦାବି ସହ କମିଶନରଙ୍କ ବଦଳି ଦାବି କରିଛନ୍ତି କଂଗ୍ରେସ କର୍ପୋରେଟର । ସବୁଠୁ ବଡ କଥା ହେଲା, କଟକରେ ଅନେକ ସମସ୍ୟା ରହିଛି । ପରିମଳ ଠାରୁ ଆରମ୍ଭ କରି ଏଲଇଡି ଲାଇଟ ସମସ୍ୟା, ଏପରିକି ଜଳବନ୍ଦୀ ସମସ୍ୟାକୁ ନେଇ କଟକବାସୀ ଅତିଷ୍ଠ ହୋଇ ପଡିଥିବା ବେଳେ କର୍ପୋରେଟର ମାନେ ଏହାର ସମାଧାନ ନ କରି ନିଜ ନିଜ ମଧ୍ୟରେ ପିଟାପିଟିରେ ବ୍ୟସ୍ତ ।
ଆଉ ଏସବୁ ଭିତରେ ଆଜି ହୋଇଥିବା ବୈଠକକୁ କେହି ନଆସିବାରୁ ମାତ୍ର ୧୦ ମିନିଟରେ ବୈଠକ ଶେଷ କରି କକ୍ଷତ୍ୟାଗ କରିଥିଲେ ବିଜେଡି କର୍ପୋରେଟର ଓ ମେୟର । ମେୟରଙ୍କ ପାଖରେ ଉତର ନଥିବାରୁ ସେ ଭୟଭୀତ ହୋଇ କକ୍ଷତ୍ୟାଗ କରିଥିବା କଂଗ୍ରେସ କର୍ପୋରେଟର କହିଛନ୍ତି । ଅନ୍ୟପଟେ ଆଲୋଚନାରେ ଭାଗ ନନେଇ ଗୃହର ମର୍ଯ୍ୟାଦାହାନୀ କରିଛନ୍ତି କଂଗ୍ରେସ କର୍ପୋରଟର, ତେଣୁ ସେ ବାଧ୍ୟ ହୋଇ ବୈଠକ ଶେଷ ବୋଲି ଘୋଷଣା କରିଥିବା ମେୟର କହିଛନ୍ତି । ଏପରିକି ବୈଠକରେ ଯେଉଁ ବାବଦରେ ଆଲୋଚନା ହେବାକୁ ସ୍ଥିର କରାଯାଇଥିଲା ତାହା ନ କରି କଂଗ୍ରେସ କର୍ପୋରେଟର ମାନେ ବିନା କାରଣରେ ହଟ୍ଟଗୋଳ କରିଥିଲେ ।