ବିଧାୟକ ବନାମ ହାଇକମାଣ୍ଡ : ଛିଡୁନି କଂଗ୍ରେସ୍ ଝଗଡା

35

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ରୋଚକ ମୋଡରେ କଂଗ୍ରେସ ରାଜନୀତି । ହାଇକମାଣ୍ଡଙ୍କ ପାଖରୁ ଅଭୟବାଣୀ ପାଇ ଭୁବନେଶ୍ୱର ଫେରିଲେ ପ୍ରସାଦ । ଆଉ ଏପଟେ ନରସିଂହଙ୍କ ଘରେ ପହଂଚିଥିଲେ ନିରଂଜନ । ଦୁଇ ହେଭିୱେଟଙ୍କ ମଧ୍ୟରେ ବେଶ କିଛି ସମୟ ଧରି ହୋଇଥିଲା ଆଲୋଚନା । ଗଣମାଧ୍ୟମ ପାଇଁ ପ୍ରସଙ୍ଗ ଥିଲା ମହାନଦୀ ।

ହେଲେ କୁହାଯାଉଛି, ବରିଷ୍ଠ ନେତାଙ୍କ ପରବର୍ତୀ ପଦକ୍ଷେପ କଣ ହେବ ସେନେଇ ହୋଇଥିଲା ପର୍ଯ୍ୟାଲୋଚନା । ରାହୁଲଙ୍କୁ ଭେଟି ବିଧାୟକ ଦଳ ନିଜ ଅସନ୍ତୋଷ ଜଣାଇବା ସତ୍ୱେ ପ୍ରସାଦଙ୍କ ପଦରେ ହାତ ମାରିବାକୁ ହାଇକମାଣ୍ଡ ଅନିଛା ପ୍ରକାଶ କଲେ । ଯାହା ନରସିଂହ ଆଣ୍ଡ ଟିମଙ୍କ ପାଇଁ ଝଟକା ହୋଇଛି । ଆଗାମୀ ରଣନୀତି ନେଇ ଆଜି ଆଲୋଚନା ହୋଇଥିବା ଅନୁମାନ କରାଯାଉଛି । ହେଲେ ଉଭୟ ନେତା ଏହାକୁ ଖଣ୍ଡନ କରିଛନ୍ତି ।

ସେପଟେ ଦିଲ୍ଲୀରୁ ଫେରି ପ୍ରସାଦ କହିଛନ୍ତି, ଅସନ୍ତୋଷ ଦୂର ପାଇଁ ସେ ବିଧାୟକଙ୍କ ସହ ଆଲୋଚନା କରିବେ । ଦଳରେ ଏମାନଙ୍କୁ ଫରୱାର୍ଡ ପ୍ଲେୟାର ଭାବେ ବର୍ଣ୍ଣନା କରିଛନ୍ତି । ହେଲେ ପ୍ରସାଦଙ୍କ ଏହି ହସ ଭରା ପ୍ରତିକ୍ରିୟା ଭିତରେ କିନ୍ତୁ ବିଷର୍ଣ୍ଣତା ବେଶ ବାରି ହୋଇ ଯାଇଥିଲା ।

ବଡ କଥା ହେଉଛି, କପ୍ତାନଙ୍କୁ ନେଇ ଖେଳାଳି ଖୁସି ନାହାନ୍ତି । ହେଲେ କପ୍ ଜିତିବାକୁ କୋଚ୍ ଆଶା ରଖିଛନ୍ତି । କିଛି ଏଭଳି ସ୍ଥିତି ଏବେ କଂଗ୍ରେସରେ । ଆଗକୁ ପଂଚାୟତ ଟୁର୍ଣ୍ଣାମେଂଟରେ ଲଢେଇ କରିବା ଆଗରୁ କଂଗ୍ରେସ ୱାକ୍ଓଭର୍ ଦେବା ସ୍ଥିତିକୁ ଆସିଗଲାଣି । ଆଉ ଏବେ ନଜର ଏହି ମନୋମାଳିନ୍ୟ ଦଳ ଭିତରେ ବିଭାଜନ କରୁଛି ନା ନୂଆ ମଙ୍ଗୁଆଳଙ୍କୁ ସାମ୍ନାକୁ ଆଣି ଦଳ ଆଗକୁ ବଢୁଛି ।