ବିପର୍ଯ୍ୟୟ ପରେ ବିଜୟ ନିଶ୍ଚିତ : ‘ହାତ’ ନିକଟକୁ ଫେରିବ ବିଜେପୁର, ଦୃଢ଼ୋକ୍ତି କଲେ ପିସିସି ସଭାପତି

404

କନକ ବ୍ରୁରୋ : ବିଜେପୁର ଉପନିର୍ବାଚନ ପାଇଁ ତାରିଖ ଘୋଷଣା ପରେ କସରତ ଆରମ୍ଭ କରିଦେଇଛନ୍ତି ସମସ୍ତ ରାଜନୈତିକ ଦଳ । କିଭଳି ଉପନିର୍ବାଚନରେ ବାଜିମାତ କରିବେ ସେନେଇ ରାଜ୍ୟର ୩ ପ୍ରମୁଖ ରାଜନୈତିକଦଳ ବିଜେଡି, ବିଜେପି ଓ କଂଗ୍ରେସ ରଣନୀତି ପ୍ରସ୍ତୁତରେ ଲାଗିପଡିଛନ୍ତି । ତାରିଖ ଘୋଷଣା ହେବା ପରେ ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ ମଧ୍ୟରେ ତତ୍ପରତା ପ୍ରକାଶ ପାଇଛି । ବିଜେଡ଼ି କବଜାରେ ଥିବା ବିଜେପୁରକୁ ହାତେଇବାକୁ କଂଗ୍ରେସ ପ୍ରସ୍ତୁତି ଚଳାଇଛି । ବିଜେପୁର ପାଇଁ ନରସିଂହ ମିଶ୍ରଙ୍କ ନେତୃତ୍ବରେ କଂଗ୍ରେସ କମିଟି ଗଠନ କରିଛି । ଦଳର ପ୍ରାର୍ଥୀ କିଏ ହେବ ଏବଂ ବିଜେଡି-ବିଜେପିକୁ ଚେକ୍ ଦେବାକୁ ରଣନୀତି କଣ ହେବ ସେନେଇ ଦଳ ପ୍ରାଥମିକ ବୈଠକ ସରିଛି ।

ଆସନ୍ତା ୨୪ରୁ ଆରମ୍ଭ ହେବ କଂଗ୍ରେସର ବିଜେପୁର କସରତ । ୨୪ ତାରିଖରେ କଂଗ୍ରେସ ଦଳର ବୈଠକ ବସିବ ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି । ବିଜେପିରୁ ଉପନିର୍ବାଚନ ପାଇଁ ଗଠିତ କମିଟି ରିପୋର୍ଟକୁ ଆଧାର କରି ପ୍ରାର୍ଥୀ ଚୂଡାନ୍ତ ହେବ । ଆଉ ତା’ପରେ ବିଧିବଦ୍ଧ ନିଷ୍ପତ୍ତି ନିଆଯିବ । ଏଥର ବିଜେପୁରରେ କଂଗ୍ରେସର ବିଜୟ ନିଶ୍ଚୟ । ବିପର୍ଯ୍ୟୟ ପରେ ହିଁ ବିଜୟ ହୁଏ । ବିଜେପୁରରେ କଂଗ୍ରେସ ବିଜୟ ପତାକା ଲହରେଇବ ବୋଲି ନିରଞ୍ଜନ ପଟ୍ଟନାୟକ  ଦୃଢୋକ୍ତି ପ୍ରକାଶ କରିଛନ୍ତି ।

ସେପଟେ ଆସନ୍ତକାଲି ବିଜେଡି ପକ୍ଷରୁ ନବୀନ ନିବାସରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ । ଏହି ବୈଠକରେ ବିଜେଡି ସମନ୍ୱୟ କମିଟି ତୃଣମୂଳ ସ୍ତରରୁ ବିଜେପୁରରୁ ଆସିଥିବା ରିପୋର୍ଟକୁ ସୁପ୍ରିମୋଙ୍କୁ ଦେବେ । ବିଜେପୁର ପାଇଁ ଚୂଡାନ୍ତ ରଣନୀତି ବୈଠକରେ ଆଲୋଚନା ହେବ । ଦିନେ, ଦୁଇଦିନ ଭିତରେ ବିଜେଡି ବିଜେପୁର ପାଇଁ ପ୍ରାର୍ଥୀ ଘୋଷଣା କରିପାରେ ଦଳ ।

ସେହିପରି ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା କହଛିନ୍ତିି ତାଙ୍କ ଦଳ ନିର୍ବାଚନ ପାଇଁ ପ୍ରସ୍ତୁତ ଅଛି । ଠିକ୍ ସମୟରେ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯିବ । ବିଜେପୁର ଅଂଳଚକୁ ଉପେକ୍ଷା, ଜଳସେଚନ, ବେରୋଜଗାରୀ, ଶିକ୍ଷା ଓ ସ୍ୱାସ୍ଥ୍ୟ ଅବ୍ୟବସ୍ଥାକୁ ନିର୍ବାଚନରେ ଭାରତୀୟ ପାର୍ଟି ମୁଖ୍ୟ ପ୍ରସଙ୍ଗ କରିବ ।