ବିଜେପୁରରେ କଚଡ଼ା ଖାଇଲା କଂଗ୍ରେସ : ଫେଲ ମାରିଲା କମବ୍ୟାକ୍ ପ୍ଲାନ୍, କୌଣସି ରାଉଣ୍ଡରେ ୫୦୦ ଭୋଟ୍ ଛୁଇଁପାରିଲାନି ଦେଶର ସର୍ବପୁରାତନ ଦଳ

1,453

କନକ ବ୍ୟୁରୋ : ବିଜେପୁରରେ ବିଜେଡ଼ିର ହ୍ୟାଟିକ୍ ବିଜୟ । ବିପୁଳ ଭୋଟରେ ବିଜୟୀ ହୋଇଛନ୍ତି ବିଜେଡ଼ି ପ୍ରାର୍ଥୀ ରୀତା ସାହୁ । ଏକପ୍ରକାର ବିରୋଧୀଙ୍କୁ କଚାଡ଼ି ରେକର୍ଡ଼ ଭୋଟ୍ ହାତେଇଛନ୍ତି । ଲଗାତାର ତିନୋଟି ନିର୍ବାଚନରେ  ବିଜେଡ଼ି ହ୍ୟାଟ୍ରିକ୍ ବିଜୟ କରିଛି । ଅନ୍ୟପଟେ ବିଜେପୁରରେ କଂଗ୍ରେସର ବିପର୍ଯ୍ୟୟ ହୋଇଛି । ବିଜେପୁରରେ କଂଗ୍ରେସର କମବ୍ୟାକ୍ ପ୍ଲାନ୍ ଫ୍ଲପ୍ ହେଲା । ଦିନେ କଂଗ୍ରେସର ଗଡ଼ ବୋଲାଉଥିବା ବିଜେପୁର ଆଜି ବିଜେଡ଼ି ଗଡ଼ରେ ପରିଣତ ହୋଇଛି । ସାଧାରଣ ନିର୍ବାଚନ ପରି ବିଜେପୁର ନିର୍ବାଚନରେ ଶୋଚନୀୟ ପରାସ୍ତ ହୋଇଛି କଂଗ୍ରେସ ଦଳ । ମୋଟ୍ ୨୧ ରାଉଣ୍ଡରୁ ଗୋଟିଏ ବି ରାଉଣ୍ଡରେ ୫୦୦ ଭୋଟ ଛୁଇଁପାରି ନାହାନ୍ତି କଂଗ୍ରେସ ପ୍ରାର୍ଥୀ ଦିଲ୍ଲୀପ ପଣ୍ଡା । ମାତ୍ର ୫ ହଜାର ୮୭୩  ଖଣ୍ଡ ଭୋଟ୍ ପାଇଛି କଂଗ୍ରେସ ।

ବିଜେପୁରରେ କଚଡ଼ା ଖାଇଲା କଂଗ୍ରେସ । ଏକପ୍ରକାର ରସାତଳକୁ ଚାଲିଗଲା କହିଲେ ଚଳେ । ଗୋଟିଏ ବି ରାଉଣ୍ଡରେ ଭଲ ପ୍ରଦର୍ଶନ କରିନି ଦେଶର ସବୁଠାରୁ ପୁରୁଣା ଦଳ । ଫେଲ୍ ମାରିଲା କଂଗ୍ରେସର ବଡ଼ ନେତାଙ୍କ କମବ୍ୟାକ୍ ପ୍ଲାନ୍ । ଉଠିବା ବଦଳରେ ପଡ଼ିଗଲା ‘ହାତ’ । ବିଜେପୁର ଉପନିର୍ବାଚନ ଫଳାଫଳ କଂଗ୍ରେସକୁ ଶକ୍ତ ଝଟକା ଦେଇଛି । ଗଡ଼ ରକ୍ଷା କରିବା ଦୂରର କଥା ବିଜେପୁରରେ ଅମାନତ ହରାଇଲା କଂଗ୍ରେସ । ୨୦୧୯ ସାଧାରଣ ନିର୍ବାଚନ କଂଗ୍ରେସ  ପ୍ରାର୍ଥୀ ରିପୁନାଥ ସେଠ୍ ମାତ୍ର ୧୪, ୩୩୪ ଖଣ୍ଡ ପାଇଥିବା ବେଳେ ଚଳିତ ଉପନିର୍ବାଚନରେ ମାତ୍ର ୫ ହଜାର ୮୭୩  ଖଣ୍ଡ ଭୋଟ୍ରେ ସୀମିତ ରହିଯାଇଛନ୍ତି ଦିଲ୍ଲୀପ ପଣ୍ଡା ।

ଦଳର ଆଭ୍ୟନ୍ତରୀଣ ପାଣିପାଗ କେଉଁଠି ନାଁ କେଉଁଠି ପୂର୍ବରୁ ଫଳାଫଳ ବିଷୟରେ ସୂଚାଇ ଦେଉଥିଲା  । ହେଲେ କଂଗ୍ରେସ ନେତାମାନେ ବିଜେପୁର ବିଜୟ ପାଇଁ ବୃଥା  ରଣହୁଙ୍କାର ଦେଉଥିଲେ । ବିଜେପୁର ଉପନିର୍ବାଚନର ଫଳାଫଳ ସିଧାସଳଖ ରାଜ୍ୟ କଂଗ୍ରେସ ନେତୃତ୍ୱ ଉପରେ ପଡିବ ବୋଲି ଚର୍ଚ୍ଚା ହେଉଛି । କାରଣ ଏହି ଫଳାଫଳ  ପୂର୍ବତନ କଂଗ୍ରେସର ଗଡକୁ ସମ୍ପୂର୍ଣ୍ଣ ଭାବେ ଦୋହଲାଇ ଦେଇଛି ।

ତେବେ ସାଧାରଣ ନିର୍ବାଚନରେ ପରାଜୟ ପରେ ଦଳର ମାନସମନ୍ଥନ ଉପନିର୍ବାଚନରେ କିଛି କାମ ଦେଇନି । ନିର୍ବାଚନ ଫଳାଫଳକୁ ଦେଖିଲେ ସ୍ପଷ୍ଟ ହେଉଛି ସର୍ବ ପୁରାତନ ଦଳ ଏବେ ଆତ୍ମସମୀକ୍ଷା କରିବା ଉଚିତ୍ । ଦଳର ନେତାମାନେ ବାହାସ୍ପଟ ମାରିବା ଛାଡ଼ି ଦଳକୁ ତୃଣମୂଳ ସ୍ତରରେ ଆଗେଇ ନେଲେ ହୁଏତ ଦଳ ପାଇଁ ଆଗାମୀ ସମୟ ଶୁଭଙ୍କର ହୋଇପାରେ ।