ଗୋଆରେ ସରକାର ଗଢିବାକୁ ଦାବି କଲା କଂଗ୍ରେସ । କହିଲା, ପାରିକରଙ୍କ ପାଖରେ ଆବଶ୍ୟକୀୟ ସଂଖ୍ୟା ନାହିଁ

209

ଗୋଆରେ ପୁଣି ଆରମ୍ଭ ହୋଇଛି ସିଂହାସନ ଦଖଲ ପାଇଁ ଲଢେଇ । ଗୋଆରେ ସରକାର ଗଢିବା ପାଇଁ ରାଜ୍ୟପାଳଙ୍କୁ ଚିଠି ଲେଖିବା ସହ ଦାବି କରିଛି କଂଗ୍ରେସ । ଦଳ ପକ୍ଷରୁ କୁହାଯାଇଛି, ବିଜେପିର ଜଣେ ବିଧାୟକଙ୍କ ମୃତ୍ୟୁ ପରେ ଏବେ ସରକାର ପାଇଁ ବିଜେପି ପାଖରେ ଆବଶ୍ୟକୀୟ ସଂଖ୍ୟା ନାହିଁ । ତେଣୁ ବଡ ଦଳ ହିସାବରେ କଂଗ୍ରେସକୁ ସରକାର ଗଢିବାକୁ ସୁଯୋଗ ଦିଆଯାଉ ବୋଲି ଦାବି କରିଛି ଦଳ ।

୨୦୧୭ ଫେବ୍ରୁଆରିରେ ବିଧାନସଭା ନିର୍ବାଚନ ଫଳାଫଳ ଘୋଷଣା ଅନୁସାରେ କଂଗ୍ରେସ ୧୭ଟି ଆସନରେ ବଜୟୀ ହୋଇଥିଲା କିନ୍ତୁ ପରବର୍ତ୍ତୀ ସମୟରେ ଦଳର ୩ ଜଣ ବିଧାୟକ ବିଜେପିରେ ଯୋଗ ଦେଇଥିଲେ। ଫଳରେ ରାଜ୍ୟରେ ବିଜେପି ସରକାର ଗଢ଼ିଥିଲା। ଏହା ପରେ ବିଜେପି ନେତୃତ୍ୱରେ ପରିଚାଳିତ ସରକାରରେ ମନୋହର ପାର୍ରିକର ମୁଖ୍ୟମନ୍ତ୍ରୀ ହୋଇଥିଲେ।

ରାଜ୍ୟପାଳଙ୍କୁ ଚିଠି ଲେଖିବା ସହ କଂଗ୍ରେସ କହିଛି ଯେ, ବିଧାୟକ ଡିସୁଜାଙ୍କ ପରଲୋକ ପରେ ବିଧାନସଭାରେ ବିଜେପିର ୧୩ ଜଣ ବିଧାୟକ ଅଛନ୍ତି। ତେବେ ମହାରାଷ୍ଟ୍ରବାଦୀ ଗୋମନ୍ତକ ପାର୍ଟିର ୩, ଗୋଆ ଫରୱାର୍ଡ ପାର୍ଟିର ୩ ଓ ୩ ସ୍ୱାଧୀନ ବିଧାୟକଙ୍କ ସମର୍ଥନରେ ବିଜେପି ଗୋଆରେ ସରକାର ଗଢିଛି । ତେବେ ବିଜେପିର ଜଣେ ବିଧାୟକଙ୍କ ମୃତ୍ୟୁ ପରେ ମନୋହର ପାର୍ରିକରଙ୍କ ନେତୃତ୍ୱରେ ପରିଚାଳିତ ସରକାରଙ୍କ ଠାରୁ ଲୋକଙ୍କର ଭରସା ତୁଟି ସାରିଛି। ଦଳର ସଂଖ୍ୟାଗରିଷ୍ଠା ନ ଥିବାରୁ ସରକାରରେ ରହିବା କୌଣସି ଅଧିକାର ନାହିଁ। ଆମେ ଚାହୁଁଛୁ ଯେ, ନୂତନ ସରକାର ଗଢ଼ାଯାଉ ଏବଂ ସବୁଠାରୁ ବଡ଼ ଦଳ କଂଗ୍ରେସକୁ ସରକାର ଗଢ଼ିବା ପାଇଁ ସୁଯୋଗ ଦିଆଯାଉ।

ସୂଚନାଯୋଗ୍ୟ ବିଜେପିର ଜଣେ ବିଧାୟକ ଫ୍ରାନସିସି ଡିସୁଜାଙ୍କ ଫେବ୍ରୁଆରିରେ ମୃତ୍ୟୁ ଘଟିଥିଲା। ଆମେରିକାର ଏକ ହସ୍ପିଟାଲରେ ବିଧାୟକଙ୍କ ଚିକିତ୍ସା ସମୟରେ ପରଲୋକ ହୋଇଥିଲା। ସେ କର୍କଟ ରୋଗରେ ପୀଡ଼ିତ ଥିଲେ। ସେ କଂଗ୍ରେସ ଟିକେଟ୍‌ରେ ୧୯୯୯ରେ ପ୍ରଥମ ଥର ପାଇଁ ଗୋଆ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ପରେ ବିଜେପିରେ ସାମିଲ ହୋଇଥିଲେ। ସେ ୨୦୦୨, ୨୦୦୭, ୨୦୧୨ ଏବଂ ୨୦୧୭ରେ ବିଧାୟକ ହୋଇଥିଲେ। ପାର୍ରିକରଙ୍କ ନେତୃତ୍ୱ ସରକାରରେ ଡିସୁଜା ଉପ-ମୁଖ୍ୟମନ୍ତ୍ରୀ ଥିଲେ।