କଂଗ୍ରେସର ସମ୍ଭାବ୍ୟ ପ୍ରାର୍ଥୀ ତାଲିକାକୁ ନେଇ ଚର୍ଚ୍ଚା! ପ୍ରଥମ ପର୍ଯ୍ୟାୟରେ ୭ ସାଂସଦ ଓ ୫୦ ବିଧାୟକ ପ୍ରାର୍ଥୀଙ୍କ ନାଁ ଘୋଷଣା କରିପାରେ ଦଳ, ଜାଣନ୍ତୁ କାହା ନାଁ ରହିଛି ଚର୍ଚ୍ଚାରେ

458

କନକ ବ୍ୟୁରୋ : ଲୋକସଭା ଓ ବିଧାନସଭାରେ ରାଜ୍ୟର ସମ୍ଭାବ୍ୟ ପ୍ରାର୍ଥୀ ତାଲିକା ନେଇ ଦିଲ୍ଲୀରେ କସରତ ଚାଲିଛି । ମିଳିଥିବା ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତି ଯାଏଁ ବସିଥିବା ବୈଠକରେ ୭ ଲୋକସଭା ଓ ୫୦ ବିଧାନସଭା ଆସନ ପାଇଁ କଂଗ୍ରେସର ପ୍ରାର୍ଥୀ ତାଲିକା ଚୂଡାନ୍ତ ହୋଇଛି । ମିଳିଥିବା ଖବର ଅନୁସାରେ, ନବରଙ୍ଗପୁର ଲୋକସଭା ଆସନରୁ ପ୍ରଦୀପ ମାଝୀ ଓ କଳାହାଣ୍ଡିରୁ ଭକ୍ତ ଦାସ ନିର୍ବାଚନ ଲଢିବେ । ସେହିପରି କୋରାପୁଟରୁ ସପ୍ତଗିରି ଉଲାକା ଓ ବ୍ରହ୍ମପୁରରୁ ଭି. ଚନ୍ଦ୍ରଶେଖର ନାଇଡୁଙ୍କ ନାଁ ଉପରେ ମୋହର ବାଜିଛି ବୋଲି ସୂଚନା ମିଳିଛି ।

ଓଡିଶା ରାଜନୀତିରେ ୨୦୧୯ ସାଧାରଣ ନିର୍ବାଚନ କଂଗ୍ରେସ ପାଇଁ ଅଗ୍ନିପରୀକ୍ଷାର ବେଳ । କାରଣ ୨୦୦୦ ମସିହାରେ କଂଗ୍ରେସ କ୍ଷମତାରୁ ଯିବା ପରେ ଆଉ କ୍ଷମତାକୁ ଫେରିବ କଣ ସେବେଠାରୁ ଦେଶର ସବୁଠାରୁ ପୁରୁଣା ଦଳର ଲୋକପ୍ରିୟତା ଖସିବାରେ ଲାଗିଛି । ତେଣୁ ଏଥର ପ୍ରାର୍ଥୀ ଚୟନକୁ ବେଶ ଗୁରୁତ୍ୱ ଦେଉଛି ଦଳ । ଗତକାଲି ଦିଲ୍ଲୀରେ ବସିଥିବା ସ୍କ୍ରିନିଂ କମିଟି ବୈଠକରେ ୭ ଲୋକସଭା ଓ ୫୦ ଜଣ ବିଧାନସଭା ପ୍ରାର୍ଥୀଙ୍କ ନାଁ ଚୁଡାନ୍ତ ହୋଇଥିବା ଜଣାପଡିଛି ।

ବିଶ୍ୱସ୍ତସୁତ୍ରରୁ ମିଳିଥିବା ଖବର ଅନୁସାରେ, ନବରଙ୍ଗପୁରରୁ ଦଳ ପ୍ରଦୀପ ମାଝୀଙ୍କୁ ଛିଡା କରିବା ପାଇଁ ସ୍ଥିର କରିଛି । ଗତ ୨୦୧୪ ସାଧାରଣ ନିର୍ବାଚନରେ ବିଜେଡି ପ୍ରାର୍ଥୀ ବଳଭଦ୍ର ମାଝୀଙ୍କ ଠାରୁ ମାତ୍ର ୨ ହଜାର ଭୋଟରେ ହାରିଥିଲେ ପ୍ରଦୀପ । ସେହିଭଳି କଳାହାଣ୍ଡି ଲୋକସଭା ଆସନରୁ ଭକ୍ତ ଦାସଙ୍କୁ ପ୍ରାର୍ଥୀ କରିବାକୁ କଂଗ୍ରେସ ସ୍କ୍ରିନିଂ କମିଟି ବୈଠକରେ ସ୍ଥ୍ିର ହୋଇଥିବା ଜଣାପଡିଛି । ଗତ ୨୦୧୪ ନିର୍ବାଚନରେ ଭକ୍ତ ତୃତୀୟ ସ୍ଥାନରେ ରହି ୩ ଲକ୍ଷ ୮ ହଜାର ଭୋଟ ପାଇବାକୁ ସକ୍ଷମ ହୋଇଥିଲେ ।

କୋରାପୁଟରୁ ସପ୍ତଗିରି ଉଲ୍ଲାକା ଓ ବ୍ରହ୍ମପୁରରୁ ଭି. ଚନ୍ଦ୍ରଶେଖର ନାଇଡୁଙ୍କ ନାଁ ଚୁଡାନ୍ତ ହୋଇଥିବା ଜଣାପଡିଛି । ତେବେ ଆଉ କେତେ ଜଣଙ୍କ ନାଁକୁ ନେଇ ସ୍କ୍ରିନିଂ କମିଟିରେ ଆଲୋଚନା ହୋଇଥିବା ଖବର ମିଳିଛି । ବରଗଡରୁ କିଶୋର ପଟେଲ ଓ କନ୍ଧମାଳରୁ ଚନ୍ଦ୍ରଶେଖର ପରିଡାଙ୍କ ନାଁକୁ ନେଇ ମଧ୍ୟ ଚର୍ଚ୍ଚା ହେଉଛି । ମାର୍ଚ୍ଚ ୧୬ ତାରିଖ ସନ୍ଧ୍ୟା କିମ୍ବା ୧୭ ତାରିଖ ସକାଳେ କଂଗ୍ରେସର ପ୍ରାର୍ଥୀ ତାଲିକା ପ୍ରକାଶ ପାଇବାର ସମ୍ଭାବନା ରହିଛି ।