ନିର୍ବାଚନ କୁରୁକ୍ଷେତ୍ରକୁ ଓହ୍ଲାଇବା ପୂର୍ବରୁ କଂଗ୍ରେସ ପ୍ରାର୍ଥୀଙ୍କ ନାଁ କଟିଲା । ଜୟଦେବ ଆସନରୁ କଂଗ୍ରେସ ପ୍ରାର୍ଥୀ ସୁକାନ୍ତ ତିଆଡି ଭୋଇଙ୍କ ନାମାଙ୍କନ ପତ୍ର ନାକଚ, ବିଜେପି-ବିଜେଡି ମଧ୍ୟରେ ହେବ କଡା ଲଢେଇ

309

କନକ ବ୍ୟୁରୋ : ନିର୍ବାଚନ କୁରୁକ୍ଷେତ୍ରକୁ ଓହ୍ଲାଇବା ପୂର୍ବରୁ ନାଁ କଟିଲା । ନାମାଙ୍କନପତ୍ର ଯାଞ୍ଚ ପରେ ଜୟଦେବ ଆସନ ଲଢେଇରୁ କଂଗ୍ରେସ ବିଦା ହୋଇଛି । କଂଗ୍ରେସ ପ୍ରାର୍ଥୀ ସୁକାନ୍ତ ତିଆଡି ଭୋଇଙ୍କ ନାମାଙ୍କନ ପତ୍ର ନାକଚ ହୋଇଥିବା ସୂଚନା ମିଳିଛି । ପ୍ରାର୍ଥୀପତ୍ରରେ ତ୍ରୁଟି ଥିବା କାରଣରୁ ସୁକାନ୍ତ ନିର୍ବାଚନ ଲଢେଇ ରେସରୁ ବାଦ୍ ପଡିଥିବା ନେଇ ବିଶ୍ୱସ୍ତ ସୁତ୍ରରୁ ଖବର ମିଳିଛି ।

ନିର୍ବାଚନ ମୈଦାନରୁ ସୁକାନ୍ତ ଆଉଟ ହେବା ପରେ ଏବେ ଲଢେଇ ବିଜେପି-ବିଜେଡି ଯୋଦ୍ଧାଙ୍କ ମଧ୍ୟରେ ହେବାକୁ ଯାଉଛି । ଗତକାଲି ଜୟଦେବ ଆସନ ପାଇଁ ନାମାଙ୍କନ ଦାଖଲର ଶେଷ ତାରିଖ ରହିଥିଲା । ତେଣୁ ସୁକାନ୍ତଙ୍କ ପ୍ରାର୍ଥୀପତ୍ର ନାକଚ ହେବା କଂଗ୍ରେସକୁ ବଡ ଝଟକା ଦେଇଛି । ଆଉ ଏହାସହ ସ୍ପଷ୍ଟ ହୋଇଛି ଯେ, ଏଥର ଜୟଦେବରେ ଅରବିନ୍ଦ ଓ ନରେନ୍ଦ୍ରଙ୍କ ମଧ୍ୟରେ ବଡ ଲଢେଇ ଦେଖିବାକୁ ମିଳିବ ।

ଜୟଦେବ ଆସନ ସେତେବେଳେ ଚର୍ଚ୍ଚାକୁ ଆସିଥିଲା ଯେତେବେଳେ ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରାଙ୍କ ଟିକେଟ କାଟିଥିଲା ବିଜେଡି । ଏହି ହେଭିୱେଟ ନେତାଙ୍କ ବଦଳରେ ଦଳ ଏଠାରେ ଅରବିନ୍ଦଙ୍କ ଉପରେ ଭରସି ଥିଲା । ଅନ୍ୟପଟେ ବିଜେପି ଏହି ଆସନକୁ କବଜା କରିବାକୁ ନରେନ୍ଦ୍ରଙ୍କୁ ସାମ୍ନାକୁ ଆଣିଛି । ଏଭଳି ପରିସ୍ଥିତିରେ ଆସନ୍ତା ୨୩ ତାରିଖରେ ଭୋଟ ହେବାକୁ ଜୟଦେବ ଆସନରେ ଭୋଟ ଗ୍ରହଣ ହେବ । ଜଣେ ପ୍ରତିଦ୍ୱନ୍ଦୀ ମୈଦାନକୁ ଓହ୍ଲାଇବା ପୂର୍ବରୁ ବାହାରର ରାସ୍ତା ଦେଖିଥିବା ବେଳେ ଏବେ ବିଜେଡି-ବିଜେପି ପ୍ରାର୍ଥୀଙ୍କ ମଧ୍ୟରେ ଦେଖିବାକୁ ମିଳିବ କଡା ମୁକାବିଲା ।