ଟିକେଟ୍ ପାଇଁ କଂଗ୍ରେସ ଭବନ ହୁଲୁସ୍ତୁଲ୍ ! ଜ୍ୟାକବ ପ୍ରଧାନଙ୍କ ବିରୋଧରେ ବର୍ଷିଲେ ଜି.ଉଦୟଗିରି କଂଗ୍ରେସ କର୍ମୀ, ଟିକେଟ୍ ନଦେବାକୁ କଲେ ଦାବି ।

217

କନକ ବ୍ୟୁରୋ : ଆଜି କଂଗ୍ରେସ ସ୍କ୍ରିନିଂ କମିଟି ବୈଠକ ଶେଷ ହୋଇଛି । ତେବେ ବୈଠକ ଚାଲିଥିବା ବେଳେ ଦେଖିବାକୁ ମିଳିଥିଲା ଅଭାବନୀୟ ଦୃଶ୍ୟ । ନିଜ ସମର୍ଥକମାନଙ୍କ ସହ ସ୍କ୍ରିନିଂ କମିଟିକୁ ଭେଟିବାକୁ ଆସିଥିଲେ ଜି. ଉଦୟଗିରି ବିଧାୟକ ଜ୍ୟାକବ ପ୍ରଧାନ । ଠିକ ଏହି ସମୟରେ ତାଙ୍କ ନିର୍ବାଚନ ମଣ୍ଡଳୀର କିଛି କଂଗ୍ରେସ କର୍ମୀ ଆସି ପହଂଚିଥିଲେ । ଜ୍ୟାକବକୁ ଟିକେଟ ନ ଦେବାକୁ ସେମାନେ ସ୍କ୍ରିନିଂ କମିଟି ଆଗରେ ଦାବି ରଖିଥିଲେ । ସେମାନଙ୍କ ଅଭିଯୋଗ ହେଲା, ନିର୍ବାଚନ ମଣ୍ଡଳୀରେ କଂଗ୍ରେସକୁ ଦୁର୍ବଳ କରୁଛନ୍ତି ଜ୍ୟାକବ । ଇନ୍ଦିରା ଆବାସ କରାଇବା ପାଇଁ ଚାନ୍ଦା ମାଗୁଛନ୍ତି ବୋଲି ସେମାନେ ଅଭିଯୋଗ କରିଛନ୍ତି । ଲୋକେ ତାଙ୍କୁ ସମର୍ଥନ କରୁନାହାନ୍ତି । ଟିକେଟ ମିଳିଲେ ସେ ହାରିଯିବାର ଆଶଙ୍କା ରହିଛି ବୋଲି ଏହି କଂଗ୍ରେସ କର୍ମୀମାନେ କହିଥିଲେ ।

ଜ୍ୟାକବଙ୍କୁ ଟିକେଟ ମିଳିଲେ ଆମେ ସମର୍ଥନ ଦେବୁନାହିଁ ବୋଲି ଖୋଲାଖୋଲି କହିଥିଲେ ଏହି କଂଗ୍ରେସ କର୍ମୀ । ନିଜ ସାଥିରେ ଜ୍ୟାକବ ବିଜେପି କର୍ମୀଙ୍କୁ ରଖୁଥିବା ମଧ୍ୟ ଅଭିଯୋଗ ହୋଇଛି । ତେଣୁ ତାଙ୍କୁ ଟିକେଟ ନ ଦେବାପାଇଁ ସେମାନେ ଦାବି କରିଛନ୍ତି । ଜବାବରେ ଜ୍ୟାକବ କହିଛନ୍ତି ମୁଁ ଅସଲି କଂଗ୍ରେସିୟା । ଯେଉଁମାନେ ନକଲି ସେମାନେ ବିରୋଧ କରୁଛନ୍ତି । ମତେ ହିଁ ଟିକେଟ୍ ମିଳିବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ଜ୍ୟାକବ । ଏହାରି ଭିତରେ ସ୍କ୍ରିନିଂ କମିଟିର ଦ୍ୱିତୀୟ ପର୍ଯ୍ୟାୟରେ ବାରିପଦା, ସମ୍ବଲପୁର, ବରଗଡ, ବାଲେଶ୍ୱର, ଭଦ୍ରକ, କେନ୍ଦୁଝର, ସୁନ୍ଦରଗଡ, ବଲାଙ୍ଗିର, କନ୍ଧମାଳ, ଯାଜପୁୁରରେ ସ୍କିନିଂ ଶେଷ ହୋଇଛି । ମୋଟ ୧୪୭ ବିଧାନସଭା ଏବଂ ୨୧ ଲୋକସଭା ଆସନ ପାଇଁ ସରିଛି ସ୍କ୍ରିନିଂ । ଆସନ୍ତା ୬ ତାରିଖରେ ପ୍ରଦେଶ ଇଲେକସନ୍ କମିଟି ବୈଠକ ବସିବାକୁ ଯାଉଛି । ଏଥିସହ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ୮ ତାରିଖରେ ଓଡିଶା ଆସିବେ ବୋଲି ସୂଚନା ମିଳିଛି  ।