ନିର୍ବାଚନ ମୁହାଁ ଓଡିଶା କଂଗ୍ରେସ, ଆସନ୍ତା ୨ମାସରେ ଅଧିକାଂଶ ଆସନରେ ପ୍ରାର୍ଥୀ ଘୋଷଣା ! କାମିକା, ଦକ୍ଷ ଯୁବକ ଓ ମହିଳାଙ୍କୁ ଦିଆଯିବ ଗୁରୁତ୍ୱ

41

କନକ ବ୍ୟୁରୋ : ଓଡିଶା କଂଗ୍ରେସ ଏବେଠୁ ନିର୍ବାଚନ ମୁହାଁ ହୋଇଛି । ଦଳର ଶୀର୍ଷ ସ୍ତରରେ ନବକଳେବର ସହିତ ଅଖିଳ ଭାରତୀୟ କଂଗ୍ରେସ କମିଟି ପ୍ରଥମ ଦିନରୁ ଆସନ୍ତା ନିର୍ବାଚନ ପାଇଁ ଗୋଟିଚାଳନା ଆରମ୍ଭ କରିଦେଇଛି । ଦଳର ଓଡିଶା ପ୍ରଭାରୀ ଜିତେନ୍ଦ୍ର ସିଂହ ରାଜ୍ୟ କଂଗ୍ରେସ ଭବନରେ ଗଣମାଧ୍ୟମକୁ ସମ୍ବୋଧନ କରିବାବେଳେ ବୁଲେଇ ବଙ୍କେଇ ଏମିତି କିଛି ସଙ୍କେତ ଦେଇଛନ୍ତି । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ମଧ୍ୟ ନିର୍ବାଚନ ପ୍ରସ୍ତୁତି ନେଇ ସଙ୍କେତ ଦେଇଛନ୍ତି । ଜିତେନ୍ଦ୍ର ସିଂ କହିଛନ୍ତି ୨୦୧୯ ସାଧାରଣ ନିର୍ବାଚନ ଓ ଓଡିଶା ବିଧାନସଭା ନିର୍ବାଚନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ୱରେ ହିଁ ଲଢ଼ାଯିବ ।ଆସନ୍ତା ନିର୍ବାଚନରେ ତୃଣମୂଳସ୍ତରରେ ଲୋକଙ୍କ ସହ ଯୋଡି ହୋଇ ରହିଥିବା ଟାଣୁଆ ଓ କାମିକା ଏବଂ ଯୋଗ୍ୟ ଯୁବକ ଓ ମହିଳାଙ୍କୁ ପ୍ରାର୍ଥୀ କରିବା କ୍ଷେତ୍ରରେ ପ୍ରାଥମିକତା ଦିଆଯିବ । ଏବଂ ଆସନ୍ତା ୨ମାସ ମଧ୍ୟରେ ଅଧିକାଂଶ ଆସନରେ ପ୍ରାର୍ଥୀ ଘୋଷଣା କରାଯିବ ବୋଲି ସେ ସୂଚନା ଦେଇଛନ୍ତି ।

ସେପଟେ କଂଗ୍ରେସ ପାଇଛି ପୁନର୍ଜୀବନ । ବରିଷ୍ଠ ନେତା ନିରଂଜନ ପଟ୍ଟନାୟକ ପୁଣି ଥରେ ପିସିସି ସଭାପତି ହେବା ପରେ ଚଳଚଂଚଳ ହୋଇ ଉଠିଛି ରାଜ୍ୟ କଂଗ୍ରେସ ଶିବିର । ଆଗାମୀ ଦିନରେ ରାଜ୍ୟର ସ୍ୱାର୍ଥ ପାଇଁ ରାଜରାସ୍ତାକୁ ଓହ୍ଲାଇବ ବୋଲି ଦଳ ନିଷ୍ପତି ହୋଇଛି । ଏହା ସହ କଂଗ୍ରେସର ଫୋକସରେ ଓଡିଶା ରହିଥିବା ବେଳେ ଆବଶ୍ୟକ ହେଲେ ପ୍ରତି ମାସରେ ଏଆଇସିସି ଅଧ୍ୟକ୍ଷ ରାହୁଲ ଗାନ୍ଧି ଓଡିଶା ଗସ୍ତ କରିବେ ବୋଲି ସୂଚନା ଦେଇଛନ୍ତି ପ୍ରଭାରୀ ଜିତେନ୍ଦ୍ର ସିଂ । ଏପଟେ ତୃଣମୂଳ ସ୍ତରରୁ ଲୋକଙ୍କ ସହ ସାମିଲ ହେବାକୁ ଆହ୍ୱାନ ଦେଇଛନ୍ତି ପିସିସି ସଭାପତି ନିରଂଜନ ପଟ୍ଟନାୟକ ।

ଅନ୍ୟପଟେ କଂଗ୍ରେସର ସମ୍ବିଧାନ ବଂଚାଅ ଅଭିଯାନ । କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଆଜିଠାରୁ ଆରମ୍ଭ କରିବେ ସମ୍ବିଧାନ ବଂଚାଅ ଅଭିଯାନ । ବିଜେପି ଶାସିତ ସରକାରରେ ସମ୍ବିଧାନ ଓ ପଛୁଆ ବର୍ଗର ଲୋକଙ୍କୁ ଅଣଦେଖା କରାଯାଉଥିବା ଅଭିଯୋଗରେ ଦେଶବ୍ୟାପୀ ଏହି ଅଭିଯାନ ଚଳାଇବେ ରାହୁଲ । ସଚେତନତା ସୃଷ୍ଟି କରିବା ପାଇଁ ରାହୁଲ ଏହି କ୍ୟାମ୍ପେନ୍ କରିବେ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି । ସମ୍ବିଧାନ ବଂଚାଅ ଅଭିଯାନର ଉଦଘାଟନୀ କାର୍ଯ୍ୟକ୍ରମରେ ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂ, ଗୁଲାମ ନବୀ ଆଜାଦ୍, ମଲିକାଜୁର୍ନ ଖଡଗେ ଓ ସୁଶୀଲ କୁମାର ସିନେ୍ଧଙ୍କ ସହ ବରିଷ୍ଠ କଂଗ୍ରେସ ନେତାମାନେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।