କଂଗ୍ରେସ ଧରିବ ମାୟାବତୀଙ୍କ ହାତ ! କର୍ଣ୍ଣାଟକ ପରେ ଅନ୍ୟ ରାଜ୍ୟରେ ମୋଦିଙ୍କୁ ରୋକିବା ପାଇଁ କଂଗ୍ରେସର ରଣନୀତି ।

39

ଚଳିତ ବର୍ଷ ଶେଷ ଆଡକୁ ମଧ୍ୟପ୍ରଦେଶ ସମେତ ରାଜସ୍ଥାନ, ଛତିଶଗଡ ଓ ମିଜୋରାମ ଭଳି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଥିବାବେଳେ ବିଜେପି ପାଇଁ ଦିନକୁ ଦିନ ଅଡୁଆ ବଢ଼ିବାରେ ଲାଗିଛି । କାରଣ ମଧ୍ୟପ୍ରଦେଶର ନବ ନିଯୁକ୍ତ କଂଗ୍ରେସ ମୁଖ୍ୟ କମଳ ନାଥ ସୂଚନା ଦେଇଛନ୍ତି ଯେ, କଂଗ୍ରେସ ସହ ବିଏସପି ମୁଖ୍ୟ ମାୟାବତୀ ଯୋଡି ହେବେ ବୋଲି ଏକ ପ୍ରକାର ସ୍ପଷ୍ଟ ହୋଇଛି । ତେବେ ଏହି ମେଣ୍ଟ ଦ୍ୱାରା ବିଜେପିକୁ ବାକି ଥିବା ୪ଟି ରାଜ୍ୟର ଫଳାଫଳ ମହଙ୍ଗା ପଡିବ ବୋଲି କଂଗ୍ରେସ କହିଛି । ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡରେ ବିଜେପିର ସରକାର ଥିବାବେଳେ କଂଗ୍ରେସ ଏହି ଦୁର୍ଗକୁ ଭାଙ୍ଗିବା ପାଇଁ ପ୍ରୟାସ ଆରମ୍ଭ କରିଛି । କିନ୍ତୁ ମଧ୍ୟ ପ୍ରଦେଶରେ ବିଜେପିକୁ ଗାଦିଚ୍ୟୁତ କରିବା ପାଇଁ କଂଗ୍ରେସ ଉଦ୍ୟମ ଜାରି ରଖିଛି । ଏନେଇ ମେଣ୍ଟ କରିବା ପାଇଁ ଦଳ ଯେ କୌଣସି ସ୍ତରକୁ ଯାଇପାରେ ବୋଲି ପ୍ରମାଣିତ ହୋଇଛି । ଯେଉଁଭଳି ଭାବେ କର୍ଣ୍ଣାଟକରେ ଜେଡିଏସ ସହିତ ମେଣ୍ଟ କରି ମୋଦି ମ୍ୟାଜିକକୁ ଫିକା କରିଥିଲା କଂଗ୍ରେସ ସେହିଭଳି ବାକି ଥିବା ରାଜ୍ୟର ବିଧାନସଭା ନିର୍ବାଚନରେ ବିଜେପିକୁ ବାଜିମାତ୍ କରିବା ଲକ୍ଷ୍ୟରେ ରହିଛି କଂଗ୍ରେସ । ଏହାକୁ ନେଇ କମଳ ନାଥ କହିଛନ୍ତି ଯେ, ଆମ୍ଭେମାନେ ଏକତ୍ରିତ ହୋଇ ଲଢ଼ିଲେ ବିଜେପିକୁ ଚେକ ମେଟ୍ ଦେବାରେ ସମର୍ଥ ହେବୁ ।

ମଧ୍ୟପ୍ରଦେଶରେ କେବଳ ବିଏସପି ନୁହେଁ ବରଂ ଗୋଣ୍ଡୱାନା ଗଣତନ୍ତ୍ର ପାର୍ଟି ସହିତ କଂଗ୍ରେସ ମେଣ୍ଟ କରିବ ବୋଲି ଜଣାପଡିଛି । କାରଣ ଗୋଣ୍ଡୱାନା ପାର୍ଟି ଆଦିବାସୀ ମାନଙ୍କର ସମର୍ଥନ ଥିବାବେଳେ, ମଣ୍ଡେଲା, ଡିଣ୍ଡୋରୀ, ଜବଲପୁର ଓ ଛିନ୍ଦୱାଡା ପ୍ରମୁଖ ଅଞ୍ଚଳରେ ବିଜେପିକୁ ଚିତ୍ କରିବା ପାଇଁ କଂଗ୍ରେସ ଓ ଅନ୍ୟ ବିରୋଧୀ ଦଳଙ୍କୁ ସମର୍ଥନ ରହିଥିବା ଜଣାପଡିଛି । କର୍ଣ୍ଣାଟକ ପରେ ଏବେ ମଧ୍ୟପ୍ରଦେଶରେ କଂଗ୍ରେସ ପାଇଁ ଅଗ୍ନି ପରୀକ୍ଷା ହେବାକୁ ଯାଉଛି । ଯଦି କଂଗ୍ରେସ ଏଠାରେ ବିଜୟ ହୁଏ ତେବେ ୨୦୧୯ ନିର୍ବାଚନରେ କେନ୍ଦ୍ରରେ କ୍ଷମତାକୁ ଆସିବା ପାଇଁ ଆଉ ଏକ ପାହାଚ ପୂରଣ କରିବ ।

କଣ କହୁଛି ଭୋଟ ଅଙ୍କ ?

ଯଦି ପୂର୍ବ ନିର୍ବାଚନ ଅଙ୍କ ଦେଖିବା ତେବେ ବିଜେପିକୁ ୪୮ ପ୍ରତିଶତ ଭୋଟ ମିଳିଥିଲା । ସେପଟେ କଂଗ୍ରେସକୁ ମଧ୍ୟ ୩୬ ପ୍ରତିଶତ ଭୋଟ ମିଳିଥିବାବେଳେ ବିଏସପିକୁ ୬ ପ୍ରତିଶତ ଭୋଟ ମିଳିଥିଲା । ଯଦି କଂଗ୍ରେସ ଓ ବିଏସପି ଭୋଟକୁ ଗତବର୍ଷ ତୁଳନାରେ ଆକଳନ କରାଯାଏ ତେବେ ମୋଟ ୪୨ ପ୍ରତିଶତ ଭୋଟ କଂଗ୍ରେସ ପାଖରେ ରହୁଛି । ତେବେ ଦୁଇ ଦଳଙ୍କ ମଧ୍ୟରେ ମାତ୍ର ୨ ପ୍ରତିଶତ ଭୋଟ ବ୍ୟାଙ୍କ ତାରତମ୍ୟ ରହୁଥିବା ରାଜନୈତିକ ବିଶେଷଜ୍ଞମାନେ କହୁଛନ୍ତି । ଅନ୍ୟପଟେ ମଧ୍ୟପ୍ରଦେଶରେ ୬୦ଟି ଆସନ ଉପରେ ବିଏସପିର ଦବଦବା ରହିଛି । ତେଣୁ କଂଗ୍ରେସ ପାଇଁ ବିଏସପି କିଙ୍ଗ୍ ମେକର ସାଜିବ ବୋଲି ରାଜନୈତିକ ମହଲରେ ଏବେଠୁ ଚର୍ଚ୍ଚା ଆରମ୍ଭ ହେଲାଣି ।